Home Health ମାଲକାନଗିରିରେ ମାଡୁଛି ଡେଙ୍ଗୁ

ମାଲକାନଗିରିରେ ମାଡୁଛି ଡେଙ୍ଗୁ

ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ ‘ଡ୍ରାଏ ଡେ’ ପାଳନ ହେଉଥିବାବେଳେ ମାଲକାନଗିରି ଜିଲ୍ଲାରେ ଏହା କାୟା ମେଲାଇବାରେ ଲାଗିଛି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୨ରେ ପହଞ୍ଚିଥିବାବେଳେ ମାଲକାନଗିରି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୭୧ ହେଲାଣି । କେବଳ ଗତକାଲି ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋରଧା ଜିଲ୍ଲାରେ ଏହା ପଛକୁ ୬୧ଜଣ ରହିଛନ୍ତି । ସେହିଭଳି କୋରାପୁଟ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ଛୁଇଁଛି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ପୁରୀରେ ୧୯, ରାୟଗଡାରେ ୧୬, ଭଦ୍ରକ ଓ କେନ୍ଦ୍ରାପଡାରେ ୪କରି, କଟକ ଓ ନୟାଗଡରେ ୩କରି, ଜଗତ୍‍ସିଂହପୁର ଓ ଯାଜପୁରରେ ୨ଜଣ କରି ଏବଂ ଅନୁଗୁଳ, ଢେଙ୍କାନାଳ, ଗଜପତି, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ଜଣେ କରି ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରୁ ଡେଙ୍ଗୁ ସନ୍ଦେହରେ ୪୯୫୭ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୨୩୭ଟି ନମୂନାରୁ ଏଲିସା ଟେଷ୍ଟ ହୋଇଥିଲା । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଅଧିକ ରହିଥିବା ଜଣାଯାଇଛି । ଗତବର୍ଷ ଏହି ସମୟରେ ରାଜ୍ୟରେ ମାତ୍ର ୮୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ । ତେବେ ଗତବର୍ଷ କଟକରେ ଡେଙ୍ଗୁ କାୟାବିସ୍ତାର କରିଥିବାବେଳେ ଏଥିର କିନ୍ତୁ କଟକରେ ଡେଙ୍ଗୁ ପ୍ରକୋପ ଦେଖିକାୁମିଳୁନାହିଁ । ଗତବର୍ଷ ଏହି ସମୟରେ କଟକରେ ୧୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋରଧାରେ ଏହି ସଂଖ୍ୟା ୧୦ରହିଥିଲା । ତେବେ ଚଳିତବର୍ଷ ଖୋରଧା ଜିଲ୍ଲା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ତାହାର ପ୍ରକୋପ ଦେଖାଇବାରେ ଲାଗିଛି ।

ତେବେ ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‍ସି ‘ଡ୍ରାଏ ଡେ’ ପାଳନ କରୁଥିବାବେଳେ ଏହା କେବଳ ଲୋକ ଦେଖାଣିଆ ବୋଲି ରାଜଧାନୀବାସୀ ମତ ଦେଉଛନ୍ତି । ରାଜଧାନୀର ଗଳି କନ୍ଦି ତ ଦୂରର କଥା ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାରେ ଯେଭଳି ପାଣି ଜମି ରହୁଛି ତାହା ଡେଙ୍ଗୁ ରୋଗକୁ ଏକ ପ୍ରକାର ନିମନ୍ତ୍ରଣ କରୁଛି । ସେହିଭଳି ସହରରେ ଗଢି ଉଠିଥିବା ବେଆଇନ୍‍ ବସ୍ତି ମଧ୍ୟ ଏ କ୍ଷେତ୍ରରେ ପୃଷ୍ଠପୋଷକ ସାଜିଛି । କାରଣ ଏହିସବୁ ବସ୍ତିକୁ ରାତାରାତି ଜଳ ସଂଯୋଗ ଦିଆଯାଉଥିବାବେଳେ ସେମାନଙ୍କ ବର୍ଜ୍ୟଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମାହୋଇ ମଶାବଂଶର ଏନ୍ତୁଡିଶାଳ ପାଲଟିଛି ।

ଅନ୍ୟ ପକ୍ଷରେ ଡେଙ୍ଗୁରୋଗୀଙ୍କ ପାଇଁ ରାଜଧାନୀରେ ରକ୍ତ ପରୀକ୍ଷାର ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ପ୍ରତିଦିନ ରକ୍ତ ପରୀକ୍ଷା ପାଇଁ ଆସୁଥିବା ଲୋକେ ହୀନସ୍ତା ହେଉଛନ୍ତି । ଗତବର୍ଷ ମଧ୍ୟ ଏଭଳି ଅବସ୍ଥା ଉପୁଜିଥିଲା । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ଓ ୟୁନିସେଫ୍‍ ପକ୍ଷରୁ ଲୋକଙ୍କ ମତାମତ ଲୋଡାଯାଇଥିଲେ ମଧ୍ୟ ସ୍ଥିତିରେ ସେଭଳି ଉନ୍ନତି ପରିଲକ୍ଷିତ ହୋଇନାହିଁ । (ତଥ୍ୟ)