Home Agriculture ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା-୨୦୨୧

ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା-୨୦୨୧

179
0

ଭୁବନେଶ୍ୱର : ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗରେ ୫ ଦିନିଆ କୃଷି ଓଡ଼ିଶା ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜନ କରାଯିବ ।

ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଏକ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ରଖାଯାଇଥିବାବେଳେ କୃଷି ଓଡ଼ିଶାର ଆୟୋଜନ ଯେପରି ରାଜ୍ୟର କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ ସହାୟକ ହୋଇପାରିବ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ୍‌ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବ । କୋଭିଡ୍‌-୧୯ ମାର୍ଗଦର୍ଶିକାକୁ ପାଳନ କରି କୃଷି ଓଡ଼ିଶାର ଆୟୋଜନ କରାଯିବାବେଳେ ଏହାକୁ ଯେପରି ଅଧିକରୁ ଅଧିକ ଲୋକ ଦେଖିପାରିବେ ସେଥି ନିମନ୍ତେ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌ ରଘୁପ୍ରସାଦ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here