Home Finance ମାର୍ଚ୍ଚ ଶେଷ ଭିଡ କମାଇବାକୁ ପରାମର୍ଶ

ମାର୍ଚ୍ଚ ଶେଷ ଭିଡ କମାଇବାକୁ ପରାମର୍ଶ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ଏକକାଳୀନ ଅର୍ଥ ଖର୍ଚ୍ଚ ପାଇଁ ଭିଡ ନକରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏହି ମର୍ମରେ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ପତ୍ର ଲେଖିଛନ୍ତି ।

ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗମାନଙ୍କୁ ପତ୍ର ଲେଖାଯାଇ ଅର୍ଥ ମଞ୍ଜୁର ସଂକ୍ରାନ୍ତରେ ଧାର୍ଯ୍ୟ ନୂତନ ସମୟସୀମା ସଂକ୍ରାନ୍ତରେ ଅବଗତ କରାଯିବା ସହିତ ଅର୍ଥ ମଞ୍ଜୁରୀ, ପାଣ୍ଠି ଫେରସ୍ତ, ଟ୍ରେଜେରୀରେ ବିଲ୍‍ ଦାଖଲ ଏବଂ ପାଣ୍ଠି ମଞ୍ଜୁରୀପାଇଁ ବିଭାଗରେ ପ୍ରସ୍ତାବ ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ପ୍ରଶାସନିକ ବିଭାଗଗୁଡିକୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ମାର୍ଚ୍ଚ ଶେଷରେ ଟ୍ରେଜେରୀରେ ଏକକାଳୀନ ବିଭିନ୍ନ ପ୍ରକାରର ବିଲ୍‍ ଦାଖଲରେ ସମସ୍ୟା ଦେଖାଦେବାରୁ ଅର୍ଥ ବିଭାଗ ନୂତନ ସମୟ ଧାର୍ଯ୍ୟ କରିଥିଲେ ।

ବର୍ତ୍ତମାନ ମାର୍ଚ୍ଚ ୯ତାରିଖ ପୂର୍ବରୁ ସମସ୍ତ ପ୍ରକାର ଯନ୍ତ୍ରପାତି ଖରିଦ, ସାଜ ସରଞ୍ଜାମ ଏବଂ ଯାନବାହାନ ଖରିଦ, ଅଂଶଧନ ନିବେଶ, ସମବାୟ ସଂସ୍ଥା ସପକ୍ଷରେ ବଜେଟ୍‍ ସହୟତା, ଶିଳ୍ପ ସଂସ୍ଥା, ପିଏସ୍‍ୟୁ ଗୁଡିକରେ ଋଣ କିମ୍ବା ଅଂଶଧନ ନିବେଶ ଓ ସବସିଡ୍‍ ଆଦି କାର୍ଯ୍ୟ ସାରିବାପାଇଁ କୁହାଯାଇଛି । ମାର୍ଚ୍ଚ ୯ତାରିଖ ପରେ କୌଣସି ଟ୍ରେଜେରୀ ଆଉ ଏହା ଗ୍ରହଣ କରିବେ ନାହିଁ ବୋଲି ଅର୍ଥ ସଚିବ ସତର୍କ କରାଇ ଦେଇଛନ୍ତି ।

ତେବେ ନୂତନ ସମୟସୀମା ଅନୁଯାୟୀ ବିଲ୍‍ଗୁଡିକର ସମସ୍ତ ତ୍ରୁଟିବିଚ୍ୟୁତି ସୁଧାରି ମାର୍ଚ୍ଚ ୧୪ସୁଦ୍ଧା ଦାଖଲ କରାଯିବ । ଉପରୋକ୍ତ ବର୍ଗ ବ୍ୟତିତ ଅନ୍ୟ ବିଲ୍‍ଗୁଡିକ ମାର୍ଚ୍ଚ ୧୫ ସୁଦ୍ଧା ଦାଖଲ ହେବ । କୌଣସି ପରିସ୍ଥିତିରେ ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ । ତେବେ ରିଲିଫ ବ୍ୟୟ, ପ୍ରାକୃତି ବିପର୍ଯ୍ୟୟ, ବିଜୁଳି, ଟେଲିଫୋନ୍‍ ବିଲ୍‍, ଘରଭଡା, ଯାନବାହାନ ଖର୍ଚ୍ଚ, ମେଡିକାଲ ଆଡଭାନ୍ସ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା, ବିଭିନ୍ନ ପ୍ରକାର ବୃତ୍ତି, ମଧ୍ୟାହ୍ନଭୋଜନ, ପୁଲିସ୍‍ ସଂଗଠନ, ନିର୍ବାଚନ ଆଦି ପାଇଁ ପ୍ରସ୍ତୁତ ବିଲ୍‍କୁ ମାର୍ଚ୍ଚ ୨୫ ସୁଦ୍ଧା ଦାଖଲ ପାଇଁ କୁହାଯାଇଛି ।

କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା, କେନ୍ଦ୍ର ସହାୟତା ଆଦି ଦାବି ଯାହାକି ମାର୍ଚ୍ଚ ୧୫ କିମ୍ବା ଏହା ପରେ ଗ୍ରହଣ କରାଯିବ ତାହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ରହିବ ବୋଲି ପ୍ରମୁଖ ସଚିବ କହିଛନ୍ତି । ପିଏମ୍‍ଏୱାଇ ଏବଂ ଆଇଟିଡିପି ଆଦିର ବିଲ୍‍ ଯାହାକି ସମ୍ପୃକ୍ତ ଡିଆରଡିଏ/ଆଇଟିଡିଏ ଆକାଉଣ୍ଟରେ ପଇଠ ହେବ ସେ ସଂକ୍ରାନ୍ତୀୟ ବିଲ୍‍ ମାର୍ଚ୍ଚ ୨୫ ସୁଦ୍ଧା ଦାଖଲ କରାଯାଇପାରିବ । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବ୍ୟୟ ହେବାକୁ ନଥିବା କୌଣସି ଅର୍ଥ ପାଇଁ ଟ୍ରେଜେରୀରେ ବିଲ୍‍ ଦାଖଲ ହେବନାହିଁ । ଏହି ଅର୍ଥକୁ ସରେଣ୍ଡର କରାଯାଇ ପାରିବ ।

୨୦୨୧-୨୨ ବଜେଟ୍‍ରୁ ଉଠାଯାଇ ଖର୍ଚ୍ଚ ହୋଇପାରିନଥିବା ଅର୍ଥ ମାର୍ଚ୍ଚ ଶେଷ ସୁଦ୍ଧା ସରକାରୀ ଆକାଉଣ୍ଟରେ ଜମା ହେବ । ବ୍ୟୟ ହୋଇପାରିନଥିବା ଏହି ଅର୍ଥ ପରବର୍ତ୍ତୀ ଆର୍ଥିକ ବର୍ଷରେ ବ୍ୟୟ ହୋଇପାରିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଯେଭଳି ଟ୍ରେଜେରୀରେ ବିଲ୍‍ ସବୁ ଦାଖଲ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ଡିଡିଓମାନଙ୍କୁ ପରାମର୍ଶ ଦିଆଯାଇଛି ।

ସରକାରୀ ଅର୍ଥକୁ ବେଆଇନ୍‍ ଭାବେ ବ୍ୟାଙ୍କ୍‍ରେ ଜମା ନକରିବାକୁ ଅର୍ଥ ବିଭାଗ ବାରଣ କରିଛି । ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସି ଠାରେ ସରକାରୀ ଅର୍ଥ ଏଭଳି ଭାବେ ବ୍ୟାଙ୍କ୍‍ରେ ଜମା ହେବ ତେବେ ସେଥିପାଇଁ ଡିଡିଓମାନେ ଦାୟୀ ରହିବେ ଓ ତାଙ୍କ ବିରୁଦ୍ଧରେ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । (ତଥ୍ୟ)