Home Administration ମାର୍ଚ୍ଚରେ ଆସିପାରେ କାମଚଳା ବଜେଟ୍‍

ମାର୍ଚ୍ଚରେ ଆସିପାରେ କାମଚଳା ବଜେଟ୍‍

ଭୁବନେଶ୍ୱର : ଏଥର ରାଜ୍ୟ ସରକାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‍ ନ ଆଣି ୪ ମାସିଆ କାମଚଳା ବଜେଟ ଆଗତ କରିପାରନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ହୋଇପାରେ ।

ରାଜ୍ୟ ବଜେଟରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି ଏବଂ ସେଥିଲାଗି ଅର୍ଥ ବରାଦ ମଧ୍ୟ ହୋଇଥାଏ । ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧିର ସମୟସୀମା ଶେଷ ହେବାକୁ ଯାଉଥିବା ବେଳେ ପୌର ନିର୍ବାଚନ ପାଇଁ କିନ୍ତୁ ଆଚରଣ ବିଧି ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ବଜେଟକୁ ମଞ୍ଜୁରୀ ନ ମିଳିଲେ ଏପ୍ରିଲ ପହିଲାରୁ ରାଜକୋଷରୁ ପଇସାଟିଏ ବି ଖର୍ଚ୍ଚ କରିହେବ ନାହିଁ ।

ଏ ପରିପ୍ରେକ୍ଷୀରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବା ବଦଳରେ ସଂକ୍ଷିପ୍ତ ସମୟ ପାଇଁ କାମଚଳା ବଜେଟ ବିଧାନସଭାରେ ଆଗତ କରିବା ଛଡା ରାଜ୍ୟ ସରକାରଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିବା ବରିଷ୍ଠ ବିଧାୟକମାନେ ମତ ଦେଉଛନ୍ତି ।

ସାଧାରଣତଃ କେନ୍ଦ୍ର ବଜେଟ ଆଗତ ହେବା ପରେ ରାଜ୍ୟ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇଥାଏ । ଏଥର କେନ୍ଦ୍ର ବଜେଟ ଚଳିତ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ନିର୍ବାଚନୀ କଟକଣା ଯୋଗୁଁ ଓଡ଼ିଶା ସରକାର ବଜେଟ ଆଗତ କରିବାରେ ବୈଷୟିକ ସମସ୍ୟା ରହୁଛି । ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟ ଆସିବା ସଂପର୍କରେ ଗଣମାଧ୍ୟମକୁ ସୂଚାଇଥିଲେ ।

କାମଚଳା ବଜେଟ ଆଗତ କରାଯିବା କିଛି ନୂଆକଥା ନୁହେଁ । ଅତୀତରେ ସାରା ଦେଶରେ ବହୁବାର ଏଭଳି ଘଟିଛି । ୨୦୦୯, ୨୦୧୪ ଓ ୨୦୧୯ର ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ବି ରାଜ୍ୟ ବିଧାନସଭାରେ କାମଚଳା ବଜେଟ ବା ଭୋଟ ଅନ୍‍ ଆକାଉଣ୍ଟ ଆଣିଥିଲେ । ଏଥର ବି ଅନୁରୂପ ଢ଼ାଞ୍ଚାରେ ମାର୍ଚ୍ଚ ମାସରେ ଏଭଳି ବଜେଟ ଆସିବାର ସମ୍ଭାବନା ରହିଛି । ପୂର୍ବରୁ ଅର୍ଥ ବିଭାଗ ସଂପୂର୍ଣ୍ଣ ବଜେଟ ପାଇଁ ପ୍ରସ୍ତୁତି ଚଳାଇଥିଲା । ତେବେ ଜାନୁଆରୀ ୧୧ରେ ପଞ୍ଚାୟତ ନିର୍ବାଚନ ଘୋଷିତ ହେବାରୁ ଆଉ ଏ ଦିଗରେ ବିଶେଷ କିଛି ଅଗ୍ରଗତି ହୋଇପାରିଲା ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଫେବୃୟାରୀ ମାସରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ଏବଂ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପରେ ବିଭିନ୍ନ ବିଭାଗ ପାଇଁ ଥିବା ସ୍ଥାୟୀ କମିଟିଗୁଡିକ ଏହା ଉପରେ ତର୍ଜମା କରି ରିପୋର୍ଟ ଦେବା ପାଇଁ ପ୍ରାୟ ୧୫ ଦିନ ସମୟ ରହୁଥିଲା । ରିପୋର୍ଟ ପ୍ରସ୍ତୁତି ପରେ ତାହା ବିଧାନସଭାରେ ଉପସ୍ଥାପିତ ହେଉଥିଲା ଏବଂ ଏହାପରେ ବିଭାଗୱାରୀ ଆଲୋଚନା ପରେ ବଜେଟ ଉପରେ ଭୋଟ ଗ୍ରହଣ କରାଯାଇ ରାଜ୍ୟର ବାର୍ଷିକ ଆୟ-ବ୍ୟୟକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଉଥିଲା ।

ଏବେ କିନ୍ତୁ ପଞ୍ଚାୟତ ଓ ପରେ ପରେ ପୌର ନିର୍ବାଚନ ଯୋଗୁଁ ସଂପୂର୍ଣ୍ଣ ବଜେଟ ଆଗତ କରିବା ସମ୍ଭବପର ହେବ ନାହିଁ ବୋଲି ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରୁଥିବା ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ମାସରେ ବିଧାନସଭା ଅଧିବେଶନ ଡକାଇ ଏଥିରେ କାମଚଳା ବଜେଟ ଆଗତ କରାଯିବାର ସମ୍ଭାବନା ଅଧିକ ରହିଛି ।

ପରବର୍ତ୍ତୀ ସମୟରେ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବା ସହ ଅନ୍ୟାନ୍ୟ ବିଧି ବ୍ୟବସ୍ଥାର ଅନୁପାଳନ କରିବେ ବୋଲି କୁହାଯାଉଛି । ତେବେ ଏ ସଂକ୍ରାନ୍ତରେ ଏଯାବତ୍‍ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ ଏବଂ ବରିଷ୍ଠ ଅଧିକାରୀମାନେ ପୂର୍ଣ୍ଣାଙ୍ଗ ବଜେଟ ଆସିବ କି କାମଚଳା ବଜେଟ ଆସିବ ସେ ସଂକ୍ରାନ୍ତରେ ମୁହଁ ଖୋଲୁ ନାହାନ୍ତି । (ତଥ୍ୟ)