Home News in Odia ମାର୍ଚ୍ଚରୁ ବର୍ଦ୍ଧିତ ଦେୟ ଅସୁଲି

ମାର୍ଚ୍ଚରୁ ବର୍ଦ୍ଧିତ ଦେୟ ଅସୁଲି

ଭୁବନେଶ୍ୱର : ଏପ୍ରିଲ ୧୧ତାରିଖ ପରେ ବିଦ୍ୟୁତ୍‍ ବିଲ୍‍ ପାଇଥିବା ଉପଭୋକ୍ତାମାନେ ଏଥର ତଣ୍ଡ ଗଣିବେ । ଏପ୍ରିଲ୍‍ ମାସରୁ ବିଜୁଳି ବିଲ୍‍ ୟୁନିଟ୍‍ ପିଛା ୩୦ପଇସା ବୃଦ୍ଧି ପାଇଁ ଘୋଷଣା ହୋଇଥିବାବେଳେ ହିତାଧିକାରୀମାନେ କିନ୍ତୁ ମାର୍ଚ୍ଚରୁ ଏହା ପଇଠ କରିବେ । ତେବେ ଯେଉଁ ଗ୍ରାହକମାନେ ଏପ୍ରିଲ୍‍ ୧୧ତାରିଖ ପୂର୍ବରୁ ବିଲ୍‍ ପାଇଛନ୍ତି ସେମାନେ ପୁରୁଣା ହାରରେ ବିଲ୍‍ ପଇଠ କରିବେ ।

ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ନିଜର କ୍ଷତି ଭରଣା ପାଇଁ ଦର ବଢାଇବାକୁ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ଗୁହାରି କରିବାପରେ ଓଇଆରସି ଚଳିତ ଏପ୍ରିଲ୍‍ରୁ ୟୁନିଟ୍‍ ପିଛା ୩୦ପଇସା ବୃଦ୍ଧି ପାଇଁ ସୁପାରିଶ୍‍ କରିଛନ୍ତି । ତଦନୁଯାୟୀ ଖାଉଟିମାନେ ଏପ୍ରିଲ୍‍ମାସରୁ ବର୍ଦ୍ଧିତ ବିଜୁଳି ବିଲ୍‍ ଦେବାକଥା । ହେଲେ ଗତମାସର ବିଜୁଳି ବିଲ୍‍ରେ ୟୁନିଟ୍‍ ପିଛା ୩୦ପଇସା କରି ଟାଟା ପାୱାର କର୍ତ୍ତୃପକ୍ଷ ବଢାଇ ଦେଇଛନ୍ତି ।

ଯେଉଁ ଖାଉଟିମାନଙ୍କର ବିଲ୍‍ ମାର୍ଚ୍ଚ ୧୫ତାରିଖରେ ପ୍ରସ୍ତୁତ ହୋଇଥିଲା ସେମାନଙ୍କ ପରବର୍ତ୍ତୀ ମାସର ବିଲ୍‍ ମାର୍ଚ୍ଚ ୧୬ରୁ ଏପ୍ରିଲ୍‍ ୧୫ ମଧ୍ୟରେ ବ୍ୟବହାର ବିଦ୍ୟୁତ୍‍ ଅନୁଯାୟୀ ହୋଇଛି । ତେଣୁ ଚଳିତମାସରେ ବିଲ୍‍ ପାଇଥିବା ଖାଉଟିମାନେ ଗତମାସରେ ଅଧା ବିଜୁଳି ବ୍ୟବହାର କରିଛନ୍ତି । ହେଲେ ଗତମାସରୁ ସେମାନଙ୍କର ବର୍ଦ୍ଧିତ ହାରରେ ଅର୍ଥ ହିସାବ ହୋଇଛି ।

ଟାଟା ପାୱାର କର୍ତ୍ତୃପକ୍ଷଙ୍କର ଏଭଳି ବିଚିତ୍ର ହିସାବ ଯୋଗୁଁ ସର୍ବନିମ୍ନ ୫୦ ୟୁନିଟ୍‍ ବ୍ୟହାର କରୁଥିବା ଗ୍ରାହକଟିଏ ୩୦ ଟଙ୍କା ଅଧିକ ତଣ୍ଡଗଣିବ । ସେହିଭଳି ୨୦୦ ୟୁନିଟ୍‍ ପାଇଁ ଅତି କମ୍‍ରେ ୯୦ ଟଙ୍କା ଗଣିବାକୁ ପଡିବ । କର୍ତ୍ତୃପକ୍ଷ ଯଦି ଗତମାସର ୧୫ଦିନ ବ୍ୟବହାର ହୋଇଥିବା ବିଜୁଳି ବିଲ୍‍କୁ ପୁରୁଣା ଦରରେ ହିସାବ କରିଥାନ୍ତେ ତେବେ ଗ୍ରାହକମାନେ ରିହାତି ପାଇଥାନ୍ତେ । ହେଲେ ତାହା ନକରି ମନଇଚ୍ଛା ଚଳିତମାସ ୧୧ତାରିଖକୁ ଦିନ ଧାର୍ଯ୍ୟ କରି ଅର୍ଥ ଆଦାୟ କରିବାରେ ଲାଗିଛନ୍ତି ।

ଏ ସଂକ୍ରାନ୍ତରେ ଗ୍ରାହକସେବା କେନ୍ଦ୍ରକୁ ପ୍ରଶ୍ନ କଲେ ସେଠାରୁ ଗୋଟିଏ ଉତ୍ତର ମିଳୁଛି ଆମରୁ ଉପର ହାକିମ କହିଛନ୍ତି ୧୧ତାରିଖ ପରେ ନୂଆ ଦରରେ ବିଲ୍‍ ଦିଆଯିବ । ହେଲେ ଏ ନିର୍ଦ୍ଦେଶ କିଏ ଜାରିକଲା ତାହାର ଉତ୍ତର ନାହିଁ କି ଉପର ହାକିମଙ୍କ ଟେଲିଫୋନ୍‍ ନମ୍ବରଟିଏ ମଧ୍ୟ ଦେଉ ନାହାନ୍ତି । ଓଡିଶାର ଲକ୍ଷାଧିକ ଗ୍ରାହକଙ୍କ ନିକଟରୁ ଟାଟା ପାୱାର ଏଭଳି ଉପାୟରେ କୋଟି କୋଟି ଟଙ୍କା ଆଦାୟରେ ମାତିଥିବାବେଳେ ବିଦ୍ୟୁତ୍‍ ବିଭାଗ ଓ ଓଇଆରସି ସମସ୍ତେ ଏକ ପ୍ରକାର ନିରବ । ଦେୟ ପଇଠ ନକଲେ ଲାଇନ୍‍ କଟିବା ଭୟରେ ବି ଗ୍ରାହକ ଟଙ୍କା ଜମା କରିବାରେ ବ୍ୟସ୍ତ ।

ଏଠାରେ ଉଲ୍ଲେଖନୀୟ ଯେ ବିଜୁଳି ବିଲ୍‍ ବୃଦ୍ଧିକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ପରେ ଦର ହ୍ରାସ ପାଇଁ ରାଜ୍ୟ ସରକାର ଓଇଆରସିଙ୍କୁ ପତ୍ର ଲେଖିବେ ବୋଲି ଖୋଦ୍‍ ଶକ୍ତି ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ । ସେତେବେଳେ ଓଇଆରସି ପୁର୍ନବିଚାର ନକରିବା ପର୍ଯ୍ୟନ୍ତ ବର୍ଦ୍ଧିତ ବିଲ୍‍ ଆଦାୟ ସ୍ଥଗିତ ରଖିବାକୁ ଦାବି ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏଥିପାଇଁ ଚିଠି ଲେଖିଛନ୍ତି କି ନାହିଁ ତାହାର ନିର୍ଦ୍ଧିଷ୍ଟ ସୂଚନା ନଥିବାବେଳେ ଟାଟା ପାୱାର କର୍ତ୍ତୃପକ୍ଷ କିନ୍ତୁ କରୋନା କାଳରେ ଗତ ମାସରୁ ବର୍ଦ୍ଧିତ ଦର ଅସୁଲି ଆରମ୍ଭ କରିଛନ୍ତି । ଏ ଦିଗରେ ରାଜ୍ୟ ଶକ୍ତି ବିଭାଗ ଓ ଓଇଆରସି ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ଦାବି ହେଉଛି । (ତଥ୍ୟ)