Home Health ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଶିଶୁ

ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଶିଶୁ

ଭୁବନେଶ୍ୱର : ଏବେ ଯେଉଁ ହାରରେ କ୍ୟାନସର, କିଡ୍‍ନୀ, ଲିଭର, ହାର୍ଟ ରୋଗୀଙ୍କ ସଂଖ୍ୟା ବଢି ଚାଲୁଛି ତାହା ଅବ୍ୟାହତ ରହିଲେ ଆଗାମୀ ଦିନରେ ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିବ । ଏଭଳି ବ୍ୟୟବହୁଳ ମାରାତ୍ମକ ରୋଗ କାହିଁକି ବଢୁଛି ତାହାର କାରଣ ଖୋଜି ନିରାକରଣ ଉପାୟ ନକାଢିଲେ କେବଳ ଡାକ୍ତରଖାନାର କଳେବର ବୃଦ୍ଧି ଲୋକଙ୍କୁ ରକ୍ଷା କରିବାରେ ସହାୟକ ହୋଇପାରିବ ନାହିଁ ।

ଏବେ ଓଡିଶାରେ ଶିଶୁମାନଙ୍କ ଭିତରେ ଏଭଳି ସାଂଘାତିକ ରୋଗ ଅଧିକ ହାରରେ ପରିଲକ୍ଷିତ ହେଉଛି । ଶିଶୁରୋଗ ଓ କ୍ୟାନସର ରୋଗ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ରାଜ୍ୟରେ ଯେତେ ନୂଆ କ୍ୟାନସର ରୋଗୀ ଚିହ୍ନିତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ତିନି ପ୍ରତିଶତରୁ ଅଧିକ ରହୁଛି । ଏମିତିକି ରକ୍ତ କର୍କଟ ରୋଗରେ ବି ବହୁ ଶିଶୁ ଆକ୍ରାନ୍ତ ହେଉଛନ୍ତି । ଜଳବାୟୁରେ ପରିବର୍ତ୍ତନ ସହ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅପମିଶ୍ରିତ ଖାଦ୍ୟ ଗ୍ରହଣ ଶିଶୁମାନଙ୍କ ସ୍ୱାସ୍ଥ୍ୟପ୍ରତି ବଡ ବିପଦ ସୃଷ୍ଟି କରୁଛି ।

ଶିଶୁରୋଗ ବିଶେଷଜ୍ଞମାନେ କହୁଛନ୍ତି ଯେ ଅଧିକ ସ୍ୱାଦ ଯୁକ୍ତ ଚର୍ବି ବହୁଳ ଓ ମସଲାଯୁକ୍ତ ଖାଦ୍ୟ ଖାଉଥିବା ମା’ ମାନଙ୍କ ଶିଶୁମାନେ ଶୈଶବରୁ କ୍ୟାନସର ସମେତ ଅନ୍ୟ ଗୁରୁତର ରୋଗରେ ପଡିବା ସମ୍ଭାବନା ଅଧିକ । ଅନେକ ମା’ ପିଲାମାନଙ୍କୁ ସ୍ତନ୍ୟପାନ କରାଇବା ପରିବର୍ତ୍ତେ ବଜାରରେ ଉପଲବ୍ଧ ଯେଉଁ କୃତ୍ରିମ ଖାଦ୍ୟ ଦେଉଛନ୍ତି ସେଥିରୁ କିଏ ଅସଲି କିଏ ନକଲି ତାହା ଜାଣିବା ମୁସ୍କିଲ । ଶିଶୁମାନଙ୍କୁ ଇଣ୍ଟରନେଟ୍‍, ସ୍ମାର୍ଟଫୋନ୍‍ ସହ ଅଭ୍ୟସ୍ତ କରାଇବା ସଂଗେ ସଂଗେ ସେମାନଙ୍କୁ ପ୍ରାକୃତିକଖାଦ୍ୟ ବ୍ୟବହାରରୁ ଦୂରରେ ରଖାଯାଇ କୃତ୍ରିମ ଓ ମସଲାଯୁକ୍ତ ଖାଦ୍ୟ ସେବନ ଅଭ୍ୟାସରେ ପରିଣତ କରାଯିବା ଫଳରେ ସେମାନଙ୍କ ସ୍ନାୟୁବିକ ସମସ୍ୟା ବୃଦ୍ଧି ପାଇବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି ।

ଏଥିଯୋଗୁଁ ବାହାରକୁ ସୁସ୍ଥସବଳ ଦେଖାଯାଉଥିବା ଅନେକ ଶିଶୁଙ୍କର ଯେଉଁ ଶାରୀରିକ ସମସ୍ୟା ସୃଷ୍ଟି ହେଉଛି ସେଥିଯୋଗୁଁ କିଡ୍‍ନୀ, ଲିଭର, ହାର୍ଟ, ସ୍ନାୟୁ ଆଦି ଦୁର୍ବଳ ହେବା ସହିତ କ୍ୟାନସର ରୋଗରେ ସେମାନେ ପୀଡିତ ହେବାର ଆଶଙ୍କା ବଢୁଛି ।

ତିରିଶ ବର୍ଷ ତଳେ ଓଡିଶାରେ ବର୍ଷକୁ ହାରାହାରି ଯେତେ ସଂଖ୍ୟକ କିଡ୍‍ନୀ, ଲିଭର, ହାର୍ଟ, ସ୍ନାୟୁ ଓ କ୍ୟାନସର ରୋଗୀ ଚିହ୍ନଟ ହେଉଥିଲେ ଏବେ ସେହି ସଂଖ୍ୟା ଢେର ବଢିଛି । ଏଥିସହ ତାଳ ଦେଇ ସରକାରୀ ଓ ବେସରକାରୀ ସ୍ତରରେ ଏଭଳି ବ୍ୟୟବହୁଳ ରୋଗର ଚିକିତ୍ସା ଲାଗି ଡାକ୍ତରଖାନା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନର ବି ଓଡିଶାର ବିଭିନ୍ନ ଅଞ୍ଚଳରେ ଉପଯୋଗ କରାଯାଉଛି । ଏହା ସତ୍ୱେ ଏଭଳି ରୋଗ କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।

ଏବେ ରାଜ୍ୟର ପ୍ରାୟ ସମସ୍ତ ସରକାରୀ ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ଓ ଚିକିତ୍ସା କେନ୍ଦ୍ର ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଏଭଳି ରୋଗର ଚିକିତ୍ସା ଲାଗି ବ୍ୟବସ୍ଥା ବଢାଯାଉଛି । କିନ୍ତୁ ଏହା ରୋଗୀଙ୍କ ତୁଳନାରେ ପର୍ଯ୍ୟାପ୍ତ ହେଉନଥିବାରୁ କର୍ପୋରେଟ ଡାକ୍ତରଖାନାଗୁଡିକରେ ଭିଡ ଜମୁଛି । ଏ କ୍ଷେତ୍ରରେ ସାଧାରଣ ରୋଗୀ ଓ ସେମାନଙ୍କ ପରିବାର ପାଇଁ ପ୍ରମୁଖ ସାହାରା ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

ଏ ବାବଦରେ ସରକାର ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିକି ଓଡିଶାର ଏଭଳି କିସମର ଅନେକ ରୋଗୀ ଅନ୍ୟ ରାଜ୍ୟକୁ ଚିକିତ୍ସା ଲାଗି ଯାଉଛନ୍ତି । ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି ଯେ ଏଭଳି ଭୟଙ୍କର ରୋଗରୁ ଦୂରେଇ ରହିବାପାଇଁ ବ୍ୟାପକ ଗଣସଚେତନତା ସହ ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କୁ ପ୍ରଶିକ୍ଷିତ କରାଗଲେ ବଢି ଚାଲୁଥିବା ରୋଗୀଙ୍କ ହାର ହ୍ରାସ ପାଇପାରିବ । (ତଥ୍ୟ)