Home News in Odia ମାନୁନାହାନ୍ତି ପୁଲିସ୍‍ ମାର୍ଗନିର୍ଦ୍ଦେଶିକା

ମାନୁନାହାନ୍ତି ପୁଲିସ୍‍ ମାର୍ଗନିର୍ଦ୍ଦେଶିକା

192
0

ଭୁବନେଶ୍ୱର : ଅପରାଧ ହ୍ରାସ ସହିତ ଅପରାଧିଙ୍କ ଉପରେ କଡା ନଜର ରଖିବାପାଇଁ ମଦଦୋକାନୀମାନଙ୍କ ଲାଗି କମିଶନରେଟ ପୁଲିସ୍‍ ଜାରି କରିଥିବା ମାର୍ଗଦର୍ଶିକାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ଜାରି ହୋଇଥିବା ଏହି ମାର୍ଗଦର୍ଶିକାକୁ ଅନେକ ଏକ ପ୍ରକାର ଭୁଲିଗଲେଣି ।

ଜାରି ମାର୍ଗଦର୍ଶିକାରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ପ୍ରତ୍ୟେକ ମଦ ଦୋକାନୀ ନିଜ ନିଜ ଦୋକାନରେ ସିସିଟିଭି ଲଗାଇବେ । ସିସିଟିଭି ଫୁଟେଜକୁ ଅତି କମ୍‍ରେ ୧୫ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବେ ଓ ଯେତେବେଳେ ପୁଲିସ୍‍ ଏହା ଦେଖିବାକୁ ଚାହିଁବ ସେତେବେଳେ ଦୋକାନୀ ତାହା ଦେଖାଇବାକୁ ବାଧ୍ୟ । ମଦ ଦୋକାନୀମାନେ ନିଜ ନିଜ ଦୋକାନରେ ଲୋକଙ୍କୁ ଆକର୍ଷିତ କରିବାଭଳି କୌଣସି ପ୍ରକାର ରଙ୍ଗ ବେରଙ୍ଗର ହୋର୍ଡିଂ ଲଗାଇ ପାରିବେ ନାହିଁ । ସେହିଭଳି ମଦ ଦୋକାନ ଆଖପାଖରେ କୌଣସି ପ୍ରକାର ଚାଖଣା ଦୋକାନ ହୋଇପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିଲା । ଏଥି ସହିତ ଆଉ କିଛି କଟକଣା ବି ଥିଲା ।

ହେଲେ ରାଜଧାନୀ ସମେତ କମିଶନରେଟ ପୁଲିସ୍‍ ଇଲାକାରେ ଥିବା ମଦ ବ୍ୟବସାୟୀମାନେ ଏହାକୁ ଏକ ପ୍ରକାର ପାଶୋରୀ ଦେଇଛନ୍ତି । ଅଧିକାଂଶ ଦୋକାନରେ ସିସିଟିଭି ନାହିଁ । ଯିଏ ଲଗାଇଛି ସିଏ କେବଳ ନିଜର କ୍ୟାଶ କାଉଣ୍ଟର ଜଗିବାପାଇଁ । ଅବସ୍ଥା ଏଭଳି ହୋଇଛି ଯେ ମଦଦୋକାନ ଇଲାକାରେ ନିଜ ନିଜର ସୁରକ୍ଷା ପାଇଁ ଅନ୍ୟ ଦୋକାନୀମାନେ ସିସିଟିଭି ଲଗାଇ ଏହାର କ୍ୟାମେରାକୁ ମଦ ଦୋକାନ ଆଡକୁ ରଖିଛନ୍ତି ।

ସେହିଭଳି ରାଜଧାନୀର ସଂଖ୍ୟାଧିକ ମଦଦୋକାନ ମଦ ଦୋକାନ ଆଖପାଖରେ ମାଳ ମାଳ ଚାଖଣା ଦୋକାନ ଗଢି ଉଠିଛି । କେଉଁଠି ମଦ ଦୋକାନ ସାମ୍ନାରେ ତ ଆଉ କେଉଁଠି ଦୋକାନ ପାଶ୍ୱର୍ରେ । ଏହା ଏକ ପ୍ରକାର କୁଟୀରଶିଳ୍ପରେ ପରିଣତ ହେଲାଣି । ସକାଳ ଠାରୁ ଅଧରାତି ପର୍ଯ୍ୟନ୍ତ ମଦ ସାଙ୍ଗକୁ ଚାଖଣା କାରବାର ସର୍ବ ସମ୍ମୁଖରେ ଚାଲୁଥିଲେ ମଧ୍ୟ ପୁଲିସ୍‍ ପ୍ରଶାସନ ଏହାକୁ କୌଣସି କାରଣରୁ ଅଣଦେଖା କରୁଛନ୍ତି ।

ସହରରେ ଘଟୁଥିବା ଅଧିକାଂଶ ଅପରାଧର ଲିଙ୍କ୍‍ ମଦ ଦୋକାନ ସହିତ ରହିଥିବା ଓ ଅପରାଧିମାନେ ଅଧିକାଂଶ ସମୟରେ ମଦ୍ୟପାନ ପରେ ଅପରାଧ ଘଟାଉଥିବାରୁ ତାହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‍ ଏଭଳି ମାର୍ଗଦର୍ଶିକା ଜାରି କରିଥିଲା । ଏହାକୁ ପାଳନ ନକଲେ ଜୋରିମାନାର ବି ବ୍ୟବସ୍ଥା ଥିଲା । ହେଲେ ଖୋଦ୍‍ ପୁଲିସ୍‍ ପ୍ରଶାସନ ଜାରି କରିଥିବା ମାର୍ଗଦର୍ଶିକା କିଭଳି ପାଳନ ହେବ ତାହା ଉପରେ ପୁଲିସ୍‍ ବାବୁମାନେ ଜୋର ଦେଉନଥିବାରୁ ସହରରେ ଘଟୁଥିବା ବିଭିନ୍ନ ଘଟଣାରେ ଅପରାଧିମାନଙ୍କୁ ସହଜରେ ଠାବ କରାଯାଇ ପାରୁନାହିଁ । ତେଣୁ କମିଶନରେଟ ପୁଲିସ୍‍ ଜାରି କରିଥିବା ମାର୍ଗଦର୍ଶିକା କଡାକଡିଭାବେ କାର୍ଯ୍ୟକାରୀ ଲାଗି ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here