Home News in Odia ମାନସ ସ୍ୱାଇଁ ହତ୍ୟା ଘଟଣାରେ ବନ୍ଧାହେଲେ ନିରଞ୍ଜନ

ମାନସ ସ୍ୱାଇଁ ହତ୍ୟା ଘଟଣାରେ ବନ୍ଧାହେଲେ ନିରଞ୍ଜନ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଫଟୋ ସାମ୍ବାଦିକ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି । ତାଙ୍କ ସହିତ ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଥିବା ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ପୁଲିସ୍‍ ଗିରଫ କରିଛି ।

ଆଜି ଏ ସଂକ୍ରାନ୍ତରେ ଭଦ୍ରକର ଅତିରିକ୍ତ ଏସ୍‍ପି ଯତୀନ ପଣ୍ଡା ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କର ଡାକ୍ତରୀ ଓ କୋଭିଡ ପରୀକ୍ଷା ସରିଥିବାବେଳେ ସେମାନଙ୍କୁ ଆଜି ଅଦାଲତରେ ହାଜର କରାଯିବ ।

ତେବେ ନିରଞ୍ଜନଙ୍କ ଗିରଫଦାରୀ ସଂକ୍ରାନ୍ତରେ ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ଯଦିଓ ନିରଞ୍ଜନ ଚାନ୍ଦବାଲିରେ ଘଟିଥିବା ଅପରାଧ ସ୍ଥଳକୁ ଆସିନଥିଲେ ତେବେ ମାନସଙ୍କୁ ଭୁବନେଶ୍ୱରରେ ମାଡ ମରାଯିବା ସହିତ ନୟାଗଡରେ ତାଙ୍କ ଶବକୁ ପୋତାଯିବା ଘଟଣାରେ ସମ୍ପୃକ୍ତ ଥିଲେ । ପୂର୍ବରୁ ଗିରଫ ଅଭିଯୁକ୍ତମାନଙ୍କ ସୂଚନା ଓ ଠୋସ୍‍ ତଦନ୍ତ ଆଧାରରେ ନିରଞ୍ଜନଙ୍କୁ ଗିରଫ କରାଯାଇଛି ।

ସେହିଭଳି ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅପରାଧି କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଟା ରାଉତ ଏପର୍ଯ୍ୟନ୍ତ ପୁଲିସ୍‍ ହାତରେ ଧରାପଡିନଥିବା ଅତିରିକ୍ତ ଏସ୍‍ପି ସୂଚନା ଦେଇଛନ୍ତି । ତାଙ୍କ ଧରିବାପାଇଁ ଭଦ୍ରକ ପୁଲିସ୍‍ର ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

ତେବେ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା ଗୋଟିଏ ଚିପ୍‍ ପାଇଁ ଘଟିଥିବାବେଳେ ଏହି ଚିପ୍‍ ପୁଲିସ୍‍ ହାତରେ ଲାଗିନଥିବା କୁହାଯାଇଛି । ତେବେ ପୂର୍ବରୁ ଏହି ଘଟଣାରେ ଶର୍ମିଷ୍ଟାଙ୍କ ସହିତ ତିନି ଜଣଙ୍କୁ ଭଦ୍ରକ ପୁଲିସ୍‍ ଜେରା ପାଇଁ ଡାକି ପଚରା ଉଚୁରା ପରେ ଛାଡି ଦେଇଥିବା ପୁଲିସ୍‍ ଆଜି ସ୍ୱୀକାର କରିଛି ।

ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ୨୬ବର୍ଷ ବୟସ୍କ ଭାଗ୍ୟଧର ନାୟକ, ୧୯ବର୍ଷ ବୟସ୍କ ନିଲୁ ଓରଫ ବିବେକ ନାୟକ ଏବଂ ୫୦ବର୍ଷ ବୟସ୍କ କୃଷ୍ଣଚନ୍ଦ୍ର ନାୟକଙ୍କୁ ପୁଲିସ୍‍ ଗିରଫ କରିଛି । ଏହି ତିନି ଜଣ ଯାକ ଭୁବନେଶ୍ୱର ଅଞ୍ଚଳର । ସେହିଭଳି ଗିରଫ ହୋଇଥିବା ରାଜ କମ୍ୟୁନିକେଶସନର ମାଲିକ ରଞ୍ଜନ ନାୟକଙ୍କ ବୟସ ୨୯ବର୍ଷ ବୋଲି ଜଣାଯାଇଛି ।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‍ ଖୋଜୁଥିବାବେଳେ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଥିବାବେଳେ ପୁଲିସ୍‍ ଚାପରେ ନଥିବା ସେ ସ୍ପଷ୍ଟ କରିଛନ୍ତି ।