Home News in Odia ମାନଭଞ୍ଜନରେ ବ୍ୟସ୍ତ ଦଳୀୟ ପ୍ରାର୍ଥୀ

ମାନଭଞ୍ଜନରେ ବ୍ୟସ୍ତ ଦଳୀୟ ପ୍ରାର୍ଥୀ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ଆସନ ପାଇଁ ଟିକଟ ହାତେଇଥିବା ନେତାମାନେ ଏବେ ମାନଭଞ୍ଜନରେ ବ୍ୟସ୍ତ । ବିରୋଧି ବିଶେଷକରି ନିଜ ନିଜ ଦଳରେ ଥିବା ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ପାଇଁ ଦିନ ରାତି ଏକକରି ଦେଇଛନ୍ତି । ଏମାନଙ୍କୁ ଶୀଘ୍ର ନମନାଇଲେ ଏହି ଅସନ୍ତୁଷ୍ଟମାନେ ଅନ୍ୟ ଦଳକୁ ଯିବା ସହିତ ବ୍ୟାପକ କ୍ଷତି କରିବାର ଆଶଙ୍କା ଉପୁଜିଛି ।

ବିଜେଡି ଓ କଂଗ୍ରେସର ଟିକଟ ବଣ୍ଟନ ଏକ ପ୍ରକାର ଚୂଡାନ୍ତ ସ୍ଥିତିରେ ଥିବାବେଳେ ବିଜେପି ଏବେ ବି ଆଉ ୧୬ଟି ବିଧାନସଭା ଆସନ ଘୋଷଣା ଅପେକ୍ଷାରେ ରହିଛି । ବିଜେଡିର ୬ଟି ବିଧାନସଭା ଆସନ ଘୋଷଣା ବାକି ଥିବାବେଳେ କଂଗ୍ରେସର ୯ଟି ବିଧାନସଭା ଆସନ ଘୋଷଣା ବାକି ଅଛି । ତେବେ ତିନି ଦଳରୁ ଯେଉଁମାନେ ଟିକଟ ନେଇଛନ୍ତି ସେମାନେ ଏବେ ଦିନ ରାତି ନିଜ ଦଳର ଅସନ୍ତୁଷ୍ଟମାନଙ୍କୁ ସାମ୍ନା କରୁଛନ୍ତି ।

ଯେଉଁଠାରେ ଦଳୀୟ ଆଶାୟୀ ବିଶେଷକରି ବିଧାୟକମାନଙ୍କର ଟିକଟ କଟିଛି ସେମାନେ ସ୍ଥିତି ଅତ୍ୟନ୍ତ ଜଟିଳ । ଟିକଟ କଟିଥିବା ବିଧାୟକମାନେ ରାତାରାତି ଦଳ ବଦଳାଉଥିବାବେଳେ ଦଳୀୟ କର୍ମୀମାନଙ୍କ ଉପରେ ପ୍ରାର୍ଥୀଙ୍କ ନଜର ରହିଛି । ଏହି କର୍ମୀଙ୍କୁ ନିଜ ସପକ୍ଷରେ ଧରି ରଖିବାପାଇଁ ଚାଲିଛି ଜୋରଦାର ଉଦ୍ୟମ । ନେତା ସହିତ କାଳେ କର୍ମୀ ଅନ୍ୟ ଦଳକୁ ଯାଇ ଖେଳ ବିଗାଡିବେ ସେଥିପାଇଁ ସେମାନଙ୍କୁ ନେତାମାନେ ଜଗି ରହିଛନ୍ତି ।

ବଡ ବଡ ଅସନ୍ତୁଷ୍ଟ ନେତାଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଡାକି ମାନଭଞ୍ଜନ କରାଯାଉଥିବାବେଳେ ସେମାନଙ୍କ ସହିତ କର୍ମୀମାନେ ଆସିବାର ସୁଯୋଗ ନଥିବାରୁ କିଭଳି ସେମାନଙ୍କୁ ମନାଇବେ ସେଥିପାଇଁ ଏବେ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଉଛି । ଏପରିକି ରାଜ୍ୟ ସ୍ତରର କିଛି ନେତାଙ୍କୁ ଜିଲ୍ଲା ସ୍ତରକୁ ପଠାଇ କର୍ମୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିଧାୟକ ଟିକଟ ହାତେଇଥିବା ସଂଖ୍ୟାଧିକ ବିଧାୟକ ଏବେ ରାଜଧାନୀ ଛାଡି ନିଜ ନିଜ ଅଞ୍ଚଳରେ ଡେରା ପକାଇଛନ୍ତି । ସେଠାରେ ନିଜ ଦଳର କର୍ମୀଙ୍କୁ ଦିନ ରାତି ଭେଟିବା ସହିତ ଅସନ୍ତୁଷ୍ଟଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଯେଉଁମାନେ ଦଳ ଓ ଦଳୀୟ ନେତାଙ୍କ ବିରୁଦ୍ଧରେ ଅଛନ୍ତି ସେମାନଙ୍କ ମାନଭଞ୍ଜନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଛି ।

ତେବେ ରାଜଧାନୀରେ ବିଭିନ୍ନ ଦଳର ଅସନ୍ତୁଷ୍ଟଙ୍କୁ ନିଜ ନିଜ ସନ୍ତୁଷ୍ଟ କରିବାରେ ସଫଳ ହୋଇଥିବାବେଳେ ଏହି ଫର୍ମୁଲା ଗାଁ ଗହଳରେ ଲାଗୁ କରି ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ଲାଗି ଉଦ୍ୟମ ଜାରି ରହିଛି । ଟିକଟ ନପାଇବା ଓ ନିଜ ନିଜ ଦଳର ନେତାମାନେ ରାତାରାତି ଅନ୍ୟ ଦଳକୁ ଡିଆଁ ମାରୁଥିବାରୁ କର୍ମୀମାନେ କ’ଣ କରିବେ ଓ କେଉଁଆଡେ ଯିବେ ତାହାକୁ ନେଇ ଚିନ୍ତାରେ ରହୁଛନ୍ତି । ଏହି କର୍ମୀମାନଙ୍କୁ ନିଜ ପଟକୁ ଆଣି ନିର୍ବାଚନ ବୈତରଣୀ ପାର ପାଇଁ ବିଧାୟକ ପ୍ରାର୍ଥୀମାନେ ଲାଗି ପଡିଥିବାବେଳେ ମତଦାନ ତାରିଖ ପର୍ଯ୍ୟନ୍ତ ଏହି ମାନଭଞ୍ଜନ ପର୍ବ ଜାରି ରହିବ ବୋଲି କୁହାଯାଉଛି । ଚଳିତବର୍ଷ ଯେଉଁ ହାରରେ ଟିକଟ କାଟ୍‍ ଓ ଦଳଡିଆଁ ଜାରି ରହିଛି ସେ ଅନୁଯାୟୀ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିଛି ଓ ସେମାନଙ୍କୁ ମନାଇବା ପାଇଁ ଦଳୀୟ ନେତା ଓ ପ୍ରାର୍ଥୀଙ୍କ ପାଇଁ ଅଗ୍ନିପରୀକ୍ଷା ପାଲଟିଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)