ଭୁବନେଶ୍ୱର : ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନା ଦିନ ମନ୍ତ୍ରୀ, ବିଧାୟକମାନଙ୍କୁ ପରଷିଦେବେ କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଏଥିପାଇଁ ସେ ବାଚସ୍ପତିଙ୍କର ଅନୁମତି ଲୋଡିଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ସମ୍ମତି ପ୍ରଦାନ କରିଛନ୍ତି ।

ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ମାଣ୍ଡିଆ ଚାଷ ସଂକ୍ରାନ୍ତରେ ପଚାରିଥିବା ମୂଳ ପ୍ରଶ୍ନ ଉପରେ ବହୁ ସଦସ୍ୟ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ । ମାଣ୍ଡିଆ ପ୍ରତି ସଦସ୍ୟମାନଙ୍କର ଆଗ୍ରହକୁ ଦେଖି କୃଷିମନ୍ତ୍ରୀ ଡକ୍ଟର ସାହୁ ଉତ୍ତର ରଖିବାବେଳେ କହିଥିଲେ ଯେ ଯଦି ବାଚସ୍ପତି ଅନୁମତି ପ୍ରଦାନ କରିବେ ତେବେ ବିଭାଗର ଖର୍ଚ୍ଚଦାବି ଆଲୋଚନା ଦିନ ଗୃହର ସଦସ୍ୟମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ସେ ଯୋଗାଇଦେବେ । ବାଚସ୍ପତି ମଧ୍ୟ ତତ୍କାଳ ‘ହଉ ଆଣନ୍ତୁ’ବୋଲି କହିଥିଲେ ।

ମାଣ୍ଡିଆ ଉପରେ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୧୫ଟି ଜିଲ୍ଲାର ୮୧ଟି ବ୍ଲକରେ ଓଡିଶା ମିଲେଟ ମିଶନ ମାଧ୍ୟମରେ ମାଣ୍ଡିଆ ଚାଷ କରାଯାଉଛି । ସେଥି ମଧ୍ୟରୁ କୋରାପୁଟ,ରାୟଗଡା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାଗୁଡିକରେ ଅଧିକ ପରିମାଣରେ ମାଣ୍ଡିଆ ଚାଷ ହେଉଛି ।

ମାଣ୍ଡିଆଚାଷ ଓ ଏହାକୁ ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ୫୪୭୦ ଜଣ ଚାଷୀ ମାଣ୍ଡିଆ ଚାଷ କରିଥିବାବେଳେ ୨୦୧୯-୨୦ରେ ୨୦,୩୨୮ ଓ ୨୦୨୦-୨୧ରେ ୨୪,୩୨୪ ଜଣ ମାଣ୍ଡିଆ ଚାଷ କରିଥିଲେ ।

ସେହିଭଳି ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ଚାଷୀଙ୍କ ଠାରୁ ୧୭,୯୮୫ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଥିବାବେଳେ ୨୦୧୯-୨୦ରେ ୯୪,୭୪୫ ଓ ୨୦୨୦-୨୧ରେ ୧,୯୯,୪୮୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛନ୍ତି । ୨୦୨୦ ଖରିଫ ଋତୁରେ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଖୋରଧା ଓ ସୋନପୁର ଜିଲ୍ଲାକୁ ବାଦଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଉଣା ଅଧିକେ ମାଣ୍ଡିଆ ଚାଷ ହୋଇଛି ।