Home General ମାଡିବସିଛନ୍ତି ଶ୍ରୀଲିଙ୍ଗରାଜଙ୍କ ଜମି

ମାଡିବସିଛନ୍ତି ଶ୍ରୀଲିଙ୍ଗରାଜଙ୍କ ଜମି

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଭୁବନେଶ୍ୱର ସହରରେ ଥିବା ୩୬.୩୭୦ଏକର ଜମିକୁ ଲୋକେ ମାଡି ବସିଛନ୍ତି । ଭାରତର ମହା ଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରୀଲିଙ୍ଗରାଜଙ୍କର ମୋଟ୍‍ ୧୫୨୩.୮୭୯ ଏକର ଭୂସମ୍ପତ୍ତି ଥିବାବଳେ ମନ୍ଦିର କର୍ତ୍ତୃପକ୍ଷଙ୍କ ଦଖଲରେ ମାତ୍ର ୩୧.୫୫୬ ଏକର ରହିଛି । ଶ୍ରୀଲିଙ୍ଗରାଜଙ୍କର ସମଗ୍ର ରାଜ୍ୟରେ ଜମିଜମା ଥିବାବେଳେ କର୍ତ୍ତୃପକ୍ଷ କେବଳ ଭୁବନେଶ୍ୱର ସହରର ଜବରଦଖଲ ବିଷୟରେ ଅବଗତ ଅଛନ୍ତି । ଅନ୍ୟ ସ୍ଥାନରେ ଥିବା ଜମିର ମାଲିକାନା ଓ ଜବରଦଖଲ ବିଷୟରେ ଶ୍ରୀଲିଙ୍ଗରାଜ ପ୍ରଶାସନ ଅଜଣା ରହିଛନ୍ତି ।

ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଡିଟ୍‍ ସମୟରେ ଦର୍ଶାଇଛନ୍ତି ଯେ ଭୁବନେଶ୍ୱର ସହରରେ ଥିବା ମୋଟ୍‍ ୬୯.୪୨୩ ଏକର ଜମି ମଧ୍ୟରୁ ୩୬.୩୭୦ ଏକର ଜମି ଜବରଦଖଲ ହୋଇଛି । ୦.୩୦ ଏକର ଜମିପାଇଁ ୨୩ଟି ମାମଲା ରୁଜୁ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ୧୯୯୦ ରୁ ୨୦୧୦ ମଧ୍ୟରେ ଜବରଦଖଲକାରୀଙ୍କ ବିରୁଦ୍ଧରେ ୨୭୨ଟି ମାମଲା ରୁଜୁ ହୋଇଛି । ଦେବତ୍ତୋର କମିଶନ ୨୨୨ଟି ୨୦୧୯ ଅକ୍ଟୋବରରେ ଫଏସଲା କରିଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ୧୯୬ଟି ମାମଲାକୁ କମିଶନ ଖୋରଧା ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ ।

ଫଏସଲା ହୋଇଥିବା ୨୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ କୌଣସି ରେକର୍ଡ ନାହିଁ । ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ୧୯୬ ମାମଲା ମଧ୍ୟରୁ ୭୯ଟି ମାମଲା କେବଳ ଭୁବନେଶ୍ୱର ତହସିଲ ଅଞ୍ଚଳର । ୧୫ଟି ମାମଲାରେ ଜମି ଉଦ୍ଧାର ହୋଇଥିବାବେଳେ ୧୭ଟି ମାମଲା ଏବେ ବି ଜିଲ୍ଲାପାଳଙ୍କ ନିକଟରେ ପଡି ରହିଛି । ୪୭ଟି ମାମଲାରେ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ଯୋଗୁଁ ଆଇନ୍‍ଶୃଙ୍ଖଳା ସମସ୍ୟା ସୃଷ୍ଟି ଆଶଙ୍କାରେ ଜବର ଦଖଲ ଉଚ୍ଛେଦ ସମ୍ଭବପର ହୋଇପାରୁ ନାହିଁ ।

ସିଏଜି ପୁଣି ଦର୍ଶାଇଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମର ଗୌତମନଗରରେ ଶ୍ରୀଲିଙ୍ଗରାଜଙ୍କର ୫.୯୮୮ ଏକର ଜମି ରହିଛି । ୧୯୯୫ ମସିହାରେ ଏହି ଜମି ତତ୍କାଳୀନ ଟ୍ରଷ୍ଟବୋର୍ଡର ଟ୍ରଷ୍ଟିଙ୍କ ନାମରେ ହୋଇଥିଲା । ୨୦୧୯ ମସିହା ନଭେମ୍ବରରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦର୍ଶାଇଥିଲେ ଯେ ଏହି ଜମିର ବଜାର ଦର ୬୨.୮୭ କୋଟି ଟଙ୍କା ରହିଥିଲା ।

ଏହା ଦର୍ଶାଉଛି ଯେ ଉଭୟ ଟ୍ରଷ୍ଟ ବୋର୍ଡ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଠିକଣା ପଦକ୍ଷେପ ନେଇନଥିବା ଅଡିଟର ଦର୍ଶାଇଛନ୍ତି । ତେବେ ଯଦି ଜବରଦଖଲ ଜମି ମୁକ୍ତ ହୋଇନପାରୁଛି ଜମି ମାଡି ବସିଥିବା ଲୋକଙ୍କ ଠାରୁ ଭଡା ଆକାରରେ ଜୋରିମାନା ଆଦାୟ ପାଇଁ ସିଏଜି ସୁପାରିଶ୍‍ କରିଛନ୍ତି । ସେହଭଳି ଯେଭଳି ଶ୍ରୀଲିଙ୍ଗରାଜଙ୍କର ଥିବା ଅନ୍ୟ ଜମି ଯେଭଳି ଜବରଦଖଲ ନହୁଏ ତାହାର ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି । (ତଥ୍ୟ)