Home General ମା’ଙ୍କ ଆଶୀର୍ବାଦରେ ସବୁ ସମ୍ଭବ

ମା’ଙ୍କ ଆଶୀର୍ବାଦରେ ସବୁ ସମ୍ଭବ

ଭୁବନେଶ୍ୱର : ଏମିତି ପ୍ରାୟ କୈଣସି ଏକ ସଂଧ୍ୟା ନାହିଁ, ଯେଉଁ ଦିନ ମୋ ପ୍ରିୟ ମାଁଙ୍କ ମୂଖରୁ ବ୍ରହ୍ମ ବୈବର୍ତ୍ତେ ପୂରାଣ, ମହାଭାରତ ଆଦି ଧର୍ମଗ୍ରନ୍ଥର ବାଣୀ ନିସୃତ ହେଉ ନ ଥିଲା। ସ୍ୱାଧିନତାର ପ୍ରାକ୍ ସମୟରେ ଏକ ଚାଷୀ ପରିବାରରେ ଜନ୍ମିତ, ବିଦ୍ୟାଳୟକୁ କେବେ ଯାଇନଥିବା ଏବଂ ସ୍ୱଳ୍ପ ବୟସରେ ବିବାହିତ ହେଲାପରେ ସେ ମୋ ବାପାଙ୍କ ପାଖରେ ବସି ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ଲେଖି ପଢ଼ି ପାରୁଥିଲା। ବୈଷ୍ଣବ ଧର୍ମରେ ଦିକ୍ଷିତା ମୋର ମାଁ ସଂପୂର୍ଣ୍ଣ ଭାବରେ ଇଶ୍ୱରଙ୍କ ପ୍ରତି ସମର୍ପିତା ଥିଲେ। ପିଲା ବେଳେ ପ୍ରତି ସନ୍ଧ୍ୟାରେ ତା ପାଖରେ ବସି ସେ ବିଭିନ୍ନ ପୁରାଣ ପଠନ କରୁଥିବା ବେଳେ ଏକାନ୍ତ ଚିତ୍ତରେ ମୁଁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ କାହାଣୀକୁ ଶୁଣି ହୃଦୟଙ୍ଗମ କରି ପାରୁଥିଲି। ସେ ସବୁ ମୋ ଉପରେ ଗଭୀର ପ୍ରଭାବ ବିସ୍ତାର କରିଛି। ଏପରିକି ବଙ୍ଗଳା ଭାଷାରେ ମାଁ ଙ୍କର ପଠନକୁ ଦେଖି ମୁଁ ସେହି ବଙ୍ଗାଳୀ ଭାଷାରେ ଅଧ୍ୟୟନ କରିବାକୁ ସମର୍ଥ ହୋଇ ପାରିଛି।

ଜୀବନ ଯାତ୍ରା ଆରମ୍ଭ କରୁ କରୁ ବହୁ କଠିନ ସମୟକୁ ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ। ବାହା ହୋଇ ଆସିବା ସମୟରେ ଏକ ରୁଗ୍ଣା ଶାଶୁ ଏବଂ ଜଣେ ମସ୍ତିଷ୍କ ପାଗଳ ଦେଢ଼ ଶଶୁରଙ୍କ ଜତ୍ନ ନେବା କେତେ କଷ୍ଟକର ହୋଇଥିବ ଜଣେ ଆଠ ବର୍ଷର ନବବିବାହିତା କନ୍ନ୍ୟାଟିଏ ପାଇଁ ତାହା ସହଜରେ ଅନୁମୟ ନୁହେଁ। କିଛି ସମୟ ପାଇଁ ଭାଗ୍ୟ ପରିବର୍ତ୍ତନର ଆଶା ସଞ୍ଚାର ହୋଇଥିଲା। ତା ପାଇଁ ଯେତେବେଳେ ମୋର ପିତା ତାଙ୍କ ଆଈଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ।

ସୁଖ ସ୍ୱଳ୍ପସ୍ଥାୟୀ ଥିଲା। ପୁତ୍ର ସନ୍ତାନ ନଥିବାରୁ ଏବଂ ବିଭିନ୍ନ କାରଣରୁ ଈଶ୍ୱାନ୍ୱିତ ହୋଇ ଗ୍ରାମର କେତେଜଣ ଖଳ ପ୍ରବୃତ୍ତିର ଲୋକଙ୍କର ପ୍ରରୋଚନାରେ ପଡ଼ୋଷୀମାନେ ନିର୍ଜାତନା ଦେବାକୁ ଆରମ୍ଭ କଲେ।ଜମିବାଡ଼ି ସବୁ ବିକ୍ରିକରି ବଙ୍ଗ ପ୍ରଦେଶରେ ରହୁଥିବା ଜଣେ ଆତ୍ମୀୟଙ୍କ ପାଖରେ ବସତି ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଲେ। କ୍ରେତାଙ୍କ ଉପରେ ସହଜ ବିଶ୍ୱାସ କରି କବଲା ସବୁ କରିଦେଲା ପରେ, ଠକାମିର ଶିକାର ହେଲେ। ଜମିବାଡ଼ି ସବୁ ଗଲା, ଟଙ୍କା ପିଇସା ବି ମିଳିଲାନି।

ତା ଉପରେ ପଡ଼ୋଶୀ ମାନଙ୍କର ଅତ୍ୟାଚାର ବଢ଼ି ଚାଲିଲା।  ଷାଠିଏ ଏବଂ ସତୁରୀ ଦଶକର କଥା। ନା ଥିଲା ଶୁଣିବାକୁ ପୋଲିସ, ନା ପଞ୍ଚାୟତ, ବହୁ ଆକ୍ରମଣର ଶିକାର ହୋଇଥିଲେ ମାଁ। ଅଭିମନ୍ନ୍ୟୁଙ୍କୁ ଚକ୍ରବ୍ୟୁହ କରି ମାରିଲା ପରି, ଥରେ କିଛି ପଡ଼ୋଶୀ ସ୍ତ୍ରୀ ଲୋକ ଏବଂ ପୁରୁଷ ମାନେ ତାଙ୍କୁ ଘେରି ଠେଙ୍ଗାରେ ପିଟି ପିଟି ବିଭତ୍ସ ଭାବରେ ମୃତ ପ୍ରାୟ କରି ଦେଇଥିଲେ। ମାସାଧିକ କାଳ ମେଦିନୀପୁର ଜିଲ୍ଲାରେ ଚିକିତ୍ସିତ ହେଲାପରେ ଘରକୁ ଫେରିଥିଲୁ ସପରିବାର।

ଜମିବାଡ଼ିକୁ ନେଇ ଗଣ୍ଡଗୋଳ ସବୁ ଦେଖିବା ପିଲାବେଳେ ମୋ ପାଇଁ ଏକ ସବୁଦିନିଆ କଥା ଥିଲା। ସ୍କୁଲକୁ ପ୍ରଥମଥର କରି ଯାଇଥାଏ ମୁଁ। ଆମଠୁ କ୍ରୟ କରିଥିବା ସମ୍ପତ୍ତିରପ୍ରାପ୍ୟ ମାଗିବାରୁ ମୋର ବାପା ଏବଂ ମାଁ ଙ୍କୁ ପିଟି ପିଟି ମାରି ଘୋଷାଡ଼ି ଘୋଷାଡ଼ିଗାଁ ରାସ୍ତାରେ ନେଇଯାଇ ଥିଲେ କେତେ ଜଣ ପ୍ରତିପତ୍ତିଶାଳୀ ବ୍ୟକ୍ତି ବିଶେଷ। ମିଛ କେଶରେ ଫସାଇବାରୁ ବାପାଙ୍କୁ ଗୋଟିଏଦିନ ଜେଲରେ ଭର୍ତ୍ତିକରିଥିଲେ। କାନ୍ଦି କାନ୍ଦି ତିନୋଟି ଛୋଟ ଛୋଟ ଶିଶୁଙ୍କୁ ଧରି ଗାଁରୁ ବାଲେଶ୍ୱର ସଦର ମହକୁମାକୁ ଗୋଡ଼ାଇ ଯାଇଥିଲା ମୋ ମାଁ। ନିଜ ବାପଘର ଗାଁର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସାହାଯ୍ୟ ପାଇ ଜାମିନରେ ଆଣି ପାରିଥିଲା ମୋ ବାପାଙ୍କୁ।

ଜୀବନ ବହୁ କଷ୍ଟକର ହୋଇପଡ଼ୁଥିଲା। ସେ କିନ୍ତୁ ହାର୍ ମାନିବା ପାଇଁ ପ୍ରସ୍ତୁତ ନଥିଲା। ଜମିସବୁ ପଡ଼ିଆ ପଡ଼ି ରହିଲା।ନଡ଼ିଆ କତାରୁ ଦଉଡ଼ି ତିଆରି କରିବା, ପଇଡ଼ ବିକ୍ରି କରିବା, ମାଛଧରା ଜାଲ ବୁଣିବା, ଧାନରୁ ଚାଉଳ ତିଆରି କରି ବିକ୍ରି କରିବା, ଅନ୍ୟ ଘରେ ମୂଲ ଲାଗିବା ପର୍ଯ୍ୟନ୍ତ ସବୁ କରୁଥିଲା ସେ ସମୟ ସମୟରେ। ମାଲି ମକଦ୍ଦମାରେ ବାଲେଶ୍ୱର ଯିବା ଏବଂ ସେଥିପାଇଁ ଖର୍ଚ୍ଚାନ୍ତ ହେବା ଏକ ନିୟମିତ କଥା ଥିଲା।ଗାଈଗୋରୁ, ବାସନକୁସନ, ସୁନାରୂପା ଏବଂ ଘରକରଣା ସବୁ ଜିନିଷ ବିକ୍ରି ହୋଇଯାଇଥିଲା ଗୋଟିଏ ପରେ ଗୋଟିଏ। ପିଲା ମାନଙ୍କର ପେଟ ବଢ଼ିଲା ବେଳକୁ ଧୀରେ ଧୀରେ ନିସ୍ୱ ହୋଇଯାଉଥିଲେ ମୋର ପିତା ମାତା।

କିଛି ଯନ୍ତ୍ରଣାଦାୟକ କଥା ଏବେ ମୋର ମନେ ଅଛି। ଆମ ବାଡ଼ିରେ ଥିବା ପୋଖରୀରେ ମାଛ ଭରପୁର ଥିଲା। ଜଣେ କିଏ ପରଶ୍ରୀକାତର ବ୍ୟକ୍ତି ରାତ୍ରୀ ସମୟରେ ବିଷ ଦେଇଦେବାରୁ ସକାଳ ବେଲକୁ ସବୁ ମାଛ ମରିଯାଇଥିଲେ। ଗ୍ରାମର ବିଚାରକ ମାନେ ମାଛ ମାନଙ୍କର ମୃତ୍ୟୁ ନକ୍ଷତ୍ରଲାଞ୍ଜ ପଡ଼ି ଯାଇଥିବାରୁ ହୋଇଛି ବୋଲି ରାୟ ଦେଇଥିଲେ। କଥାଟି ସେଇଥିରେ ସରିଥିଲା।

ବାପା ଏବଂ ମାଁ ତିନିଜଣ ପିଲା ମାନଙ୍କୁ ଧରି ବାଲେଶ୍ୱର ସହରରେ ଥିବା କୋର୍ଟ୍ କଚେରୀକୁ ସବୁବେଳେ ଦଉଡ଼ୁଥିଲେ। ସେତେବେଳେ ଭଲ ରାସ୍ତା ନଥିଲା। ଧୂଳି ଧୁସରିତ ଗ୍ରାମ୍ୟ ରାସ୍ତାକୁ ଅତିକ୍ରମ କଲାପରେ ଘଣ୍ଟା ଘଣ୍ଟା ବସ୍ କୁ ଅପେକ୍ଷା କରିବାକୁ ପଡ଼ୁଥିଲା।ପିଇବା ପାଇଁ ଆମ ଟାଇଲ୍ ଛାତ ଘର ପାଖକୁ ଲାଗି ଏକ ଟ୍ୟୁବ୍‌ୱେଲ୍ ଥିଲା। ସବୁ ବେଳେ ଆଶଙ୍କା ଥିଲା କାଳେ କିଏ ସେଥିରେ ବିଷ ଢାଳି ଦେଇଥିବ।ଘରକୁ ଫେରିଲା ବେଳେ ଟ୍ୟୁବ୍‌ୱେଲ୍ ରୁ ବାହାରୁଥିବା ପାଣିକୁ ମାଁ ହି ପ୍ରଥମେ ପାନ କରୁଥିଲା।

କିଛି ସମୟ ଅପେକ୍ଷା କଲାପରେ, ତାର କିଛି ଅସୁବିଧା ନହେବା ଦେଖି ଅନ୍ୟମାନେ ସେ ପାଣି ପିଉଥିଲେ। ପରିବାରର ଅନ୍ୟ ସଦସ୍ୟକୁ ହିତ ପାଇଁ ସେ ମରିବା ପାଇଁ ପ୍ରସ୍ତୁତ ଥିଲା ଏବଂ ସହଜରେ ସେ ଦାୟିତ୍ୱ ନିଜେ ନେଉଥିଲା। ମୋତେ କାଳେ କିଏ ଆକ୍ରମଣ କରିବ ସେଥିପାଇଁ ବାପା ଏବଂ ମାଁ ଦୁଇଜଣ ସଜାଗ ଥିଲେ।ବହୁ ବର୍ଷ ପର୍ଯ୍ୟନ୍ତ ସ୍କୁଲ ଛଡ଼ା ଆଉ କୌଣସି ଘରକୁ ଯିବା ମୋପାଇଁ ସମ୍ଭବପର ନଥିଲା। ଘରେ ରହି କେବଳ ପଢ଼ାପଢ଼ି କରୁଥିଲି।

ଯେହେତୁ ସେ ସବୁବେଳେ କୋର୍ଟ୍ କଚେରୀକୁ ଦୌଡ଼ୁଥିଲେ ଏବଂ ଶୁଣୁଥିଲେ କଲେକ୍ଟର ଜଣେ କିଏ ବ୍ୟକ୍ତି ଯିଏ ଚାହିଁଲେ ଅନ୍ୟକୁ ନ୍ୟାୟ ଦେଇପାରିବ, ସେଇଥିପାଇଁ ମୋତେ ସେ କଲେକ୍ଟର ହେବାପାଇଁ ପିଲା ଦିନରୁ କହୁଥିଲେ। ସେତେବେଳେ ସମାଜର ବ୍ୟବସ୍ଥା ସହିତ ମୋର କୌଣସି ଅନୁଭୂତି ନଥିଲା।ଇଶ୍ୱରଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା। ପ୍ରତି ସୋମବାର ଦିନ ପଇଡ଼ଟିଏ ଧରି ସୁଦୁର ଚନ୍ଦନେଶ୍ୱର ମନ୍ଦିର ପାଖକୁ ଯାଉଥିଲେ ମୋ ପାଇଁ ପ୍ରାର୍ଥନା କରିବା ପାଇଁ ।

ସେ କହୁଥିଲେ ଚନ୍ଦନେଶ୍ୱର ମହାଦେବଙ୍କୁ ମାନସିକ କଲାପରେ ମୋର ଜନ୍ମ ହୋଇଛି।ମୋ ଜୀବନର ପ୍ରତ୍ୟେକ ପଦକ୍ଷେପକୁ ସେ ନଜରରେ ରଖିଥିଲେ। ସୁଦୁର ରାଉରକେଲା, ମୁମ୍ବାଇ, ମସୁରୀ କିମ୍ବା ଅନ୍ୟ ସହରରେ ରହୁଥିବା ସମୟରେ ପ୍ରତ୍ୟେକ ସପ୍ତାହକୁ ଗୋଟିଏ ଚିଠି ପଠାଇବା ମୋର କର୍ତ୍ତବ୍ୟ ଥିଲା।ବିଳମ୍ବ ହେଲେ ସେ ବହୁତ ବ୍ୟତିବ୍ୟସ୍ତ ହେଉଥିଲେ।କିଛି ବର୍ଷ ପରେ ସବୁକିଛି ଠିକ୍ ହୋଇଗଲା। ଅଶ୍ୱିନୀ ବୈଷ୍ଣବ ଜିଲ୍ଲାପାଳ ଥାନ୍ତି ବାଲେଶ୍ୱର ଜିଲ୍ଲାରେ।ମୋ ବାପାଙ୍କର ଜମିକୁ ଲାଗି ଦିର୍ଘ ଦିନରୁ ଚାଲିଥିବା ମକଦ୍ଦମାକୁ ସେ ଅନୁଧ୍ୟାନ କରିଥିଲେ, ଯାହାର ଶୁଣାଣୀ ବହିଦିନ ଧରି ହେଉନଥିଲା। ତିନି ଦଶନ୍ଧିରୁ ଅଧିକ ସମୟରୁ ଚାଲିଥିବା କେଶ୍ ର ପରିସମାପ୍ତି ଘଟିଥିଲା। ନିଜର ଜମିବାଡ଼ିକୁ ଜଣେ ନ୍ୟାୟବନ୍ତ ଜିଲ୍ଲାପାଳଙ୍କ ଠାରୁ ପାଇ ନିଜକୁ ଧନ୍ୟ ମନେ କରିଥିଲେ ଏବଂ ତାକୁ ଅଜସ୍ର ଆଶିର୍ବାଦ ଦେଇଥିଲେ।

ଏ ବର୍ଷ ହୋଲି ପର୍ବର ସନ୍ଧ୍ୟାକାଳ। ଗାଁ ରୁ ଖବର ଆସିଲା, ଟିକେ ଭଲ ନ ଲାଗିବାରୁ ମାଁଙ୍କୁ ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।ସେଭଳି କଥା ବହୁ ସାଧାରଣ ଥିଲା। କାରଣ ସେଠାକୁ ସେ ପ୍ରାୟତଃ ଯାଆନ୍ତି ଏବଂ ସାମାନ୍ୟ ଚିକିତ୍ସାପରେ ଘରକୁ ଫେରି ଆସନ୍ତି।କିନ୍ତୁ ବିଶ୍ୱନିୟନ୍ତାଙ୍କ ଖେଳ ଅନ୍ୟ ପ୍ରକାରର। ଦୁଃଖଦ ଖବର ପାଇ ରାତ୍ରିରେ ସପରିବାର ଗ୍ରାମରେ ପହଞ୍ଚିଲୁ। ଯେଉଁ ଜମିପାଇଁ ଜୀବନସାରା ସଂଗ୍ରାମ କରିଥିଲେ ସେହି ଜମିରେ ପୂର୍ବରୁ ପ୍ରକାଶିତ ଇଚ୍ଛା ଅନୁସାରେ, ବିଧି ମୁତାବକ ଧରଣୀ ମାଁଙ୍କୁ ଅର୍ଥ ପ୍ରଦାନକରି ଅନୁମତି ନେଇ ସେଇଠାରେ ପ୍ରାତ ସମୟରେ ମୁଖାଗ୍ନୀ ଦେବାର ଅନିଚ୍ଛାକୃତ ସୌଭାଗ୍ୟ ଲାଭ କଲି ମୁଁ। ମୋ ମାଁ ମୋ ପାଇଁ ଚିର ନମସ୍ୱ। ଜାଣେନି ସେ ଏବେ କେଉଁଠି, ଆଶା ଏବଂ ବିଶ୍ୱାସ, ସେ ପବିତ୍ର ଆତ୍ମା ମୋର ଜୀବନଯାତ୍ରାକୁ ଆଲୋକିତ କରି ଆଗକୁ ବଢ଼ାଇ ନେବ।

ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର