Home News in Odia ମାଗଣାରେ ଟିକା ଦିଅ

ମାଗଣାରେ ଟିକା ଦିଅ

ଭୁବନେଶ୍ୱର : କୋଭିଡ୍ ଟୀକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କିଛି ସ୍ୱତନ୍ତ୍ର ଅଧିକାର ରହିବା ଆବଶ୍ୟକ ବୋଲି ଓଡିଶା ସରକାର ବାରମ୍ବାର କହିଆସୁଥିଲେ । ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମହୋଦୟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ କିଛି ପ୍ରସ୍ତାବ ଦେଇଥିଲେ, ଯାହାକି ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଯାଇଥିଲା ।

ଖୋଲା ବଜାରରେ କୋଭିଡ୍ ଟୀକା ଉପଲବ୍ଧ ହେଲେ ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ବିଶେଷଜ୍ଞ, ଡାକ୍ତର, ଟୀକା ପ୍ରସ୍ତୁତକାରୀ କଂପାନୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଏବଂ ଖୋଲା ବଜାରରେ ୫୦ ପ୍ରତିଶତ ଟୀକା ଉପଲବ୍ଧ କରାଇବାର ବ୍ୟବସ୍ଥା ଗ୍ରହଣ କଲେ । ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଭାରତୀୟ ଏହି ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଟୀକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

ଏହି ନିଷ୍ପତି ଓ ଘୋଷଣା ପରେ ଉତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଆସାମ ଭଳି ଦେଶର କିଛି ରାଜ୍ୟମାନେ ନିଜ ନିଜ ରାଜ୍ୟ ପାଇଁ ଟୀକା କିଣି ସେମାନଙ୍କ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇ ଦେବେ ବୋଲି ଇତି ମଧ୍ୟରେ ଘୋଷଣା କରିସାରିଛନ୍ତି । ତେଣୁ ଓଡିଶା ସରକାର ନିଜ ଆଡୁ ଆଗେଇ ଆସି ଟୀକା ଉତ୍ପାଦକାରୀ କଂପାନୀମାନଙ୍କ ସହ ଆଲୋଚନା କରି ଆମ ରାଜ୍ୟ ପାଇଁ ଆବଶ୍ୟକ ମାତ୍ରାର ଟୀକା କ୍ରୟ କରି ମାଗଣାରେ ଯୋଗାଇ ଦେବାର ଘୋଷଣା ତୁରନ୍ତ କରନ୍ତୁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଗତ କାଲି ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହରର ବିସ୍ତାର ଏବଂ ଏହାର ସଠିକ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲୁ । ବର୍ତମାନ ସୁଦ୍ଧା କୈାଣସି ସନ୍ତୋଷଜନକ ଉତର ସ୍ୱାସ୍ଥ୍ୟ ବିଭାଗ କି ରାଜ୍ୟ ସରକାର ଦେଇନାହାନ୍ତି । ଆଶା କରୁଛୁ ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କୋଭିଡ୍ ଟୀକା ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଓଡିଶାକୁ ଶତ ପ୍ରତିଶତ କୋଭିଡ୍ ଟୀକାକରଣ କରାଇବେ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଛନ୍ତି ।