Home General ମାଓ ବିସ୍ଫୋରଣରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ମାଓ ବିସ୍ଫୋରଣରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଯୁବ ସାମ୍ବାଦିକଙ୍କର ଏଭଳି ଅକାଳ ମୃତ୍ୟୁ ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୧୩ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଏହି ଦୁଃଖଦ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ବ୍ଲକ୍‌ର କର୍ଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀମାନେ ପଞ୍ଚାୟତ ର୍ନିବାଚନ ବର୍ଜନ ପାଇଁ ଦୁଲେନ ବ୍ରିଜ୍ ନିକରେ ପୋଷ୍ଟର ମାରିଥିଲେ । ସେ ସଂକ୍ରାନ୍ତୀୟ ଖବର ସଂଗ୍ରହ ପାଇଁ ସାମ୍ବାଦିକ ଶ୍ରୀ ବିଶ୍ୱାଳ ତାଙ୍କ ମୋଟରସାଇକେଲରେ ସେଠାକୁ ଯାଇଥିଲେ ।

ତେବେ ସେ ସେଠାରେ ପହଞ୍ଚିବା ମାତ୍ରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ସେ ମଟର ସାଇକେଲରୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖନୀୟ ଯେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ସୁରକ୍ଷାବଳଙ୍କ କ୍ୟାମ୍ପକୁ ତୁରନ୍ତ ଉଠାଇବାକୁ ମାଓବାଦୀମାନେ ଦାବି କରୁଛନ୍ତି । ସେଥିପାଇଁ ସେମାନେ ପଞ୍ଚାୟତ ଭୋଟ ବର୍ଜନ ଆହ୍ୱାନ ଦେଇଛନ୍ତି ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସରକାରୀ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।