Home News in Odia ମାଓବାଦୀଙ୍କ ଠାରୁ ବିପୁଳ ଗୁଳିଗୋଳା ଜବତ

ମାଓବାଦୀଙ୍କ ଠାରୁ ବିପୁଳ ଗୁଳିଗୋଳା ଜବତ

ଭୁବନେଶ୍ୱର : ଗୁଇନ୍ଦା ସୂଚନା ଆଧାରରେ ଓଡିଶା ପୁଲିସ୍‍ ସହିତ ଏସ୍‍ଓଜି, ଡିଭିଏଫ୍‍ ଓ ବିଏସ୍‍ଏଫ୍‍ର ମିଳିତ ଚଢାଉ ସମୟରେ ମାଓବାଦୀଙ୍କ ଠାରୁ ବିପୁଳପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଏହି ଚଢଉ ଅଭିଯାନ ଚଳାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଓ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଇଲାକାରେ ମାଓ କ୍ୟାଡରମାନେ ଅସ୍ତ୍ରଶସ୍ତ୍ର ସହିତ କିଛ ଅଘଟଣ ପାଇଁ ସଜବାଜ ହେଉଥିବାର ଗୁଇନ୍ଦା ସୂଚନା ପାଇବାପରେ ସେମାନଙ୍କ ଉପରେ ସୁରକ୍ଷାବାହିନୀ ମିଳିତ ଭାବେ ଚଢଉ କରିଥିଲେ ।

ବୈପାରୀଗୁଡା ଥାନା ଅଧିନରେ ଥିବା କୁମିଖରି, ବାଦଲିପାହାଡ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବାବେଳେ ବିପୁଳ ପରିମାଣରେ ଗୁଳିଗୋଳା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ଏଥି ମଧ୍ୟରେ ଗୋଟିଏ ୩୦୩ ରାଇଫଲ, ଗୋଟିଏ ୩୦୩ ମାଗାଜିନ, ୬ ରାଉଣ୍ଡ ୩୦୩ ଗୁଳି, ୪ଟି ଡିଟୋନେଟର, ୨ଟି ୱାକିଟକି ଚାର୍ଜର, ୨ଟି ରିମୋର୍ଟ କଣ୍ଟ୍ରୋଲ ସହିତ ମାଓ ପୋଷ୍ଟ, ପୋଷାକ, ବ୍ୟାନର, ଛୁରୀ, ଚପଲ, ଲୁଙ୍ଗି, ଟର୍ଚ୍ଚଲାଇଟ୍‍, ଛତା, ପ୍ଲାଷ୍ଟିକ ଦଉଡି ସହିତ ଚଷମା ଆଦି ଜବତ ହୋଇଛି ।

ବିପୁଳ ମାଓ ସାମଗ୍ରୀ ଜବତ ସହିତ ସ୍ଥାନୀୟ ଯୁବକମାନେ ମାଓବାଦୀଙ୍କ ପ୍ରରୋଚାନାରେ ନଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଓଡିଶା ପୁଲିସ୍‍ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି । ଏପରିକି ଯେଉଁମାନେ ନିଜର ଅଜ୍ଞତା କାରଣରୁ ମାଓ ସଂଗଠନରେ ସାମିଲ ହୋଇଛନ୍ତି ସେମାନେ ଆତ୍ମସମର୍ପଣ ସହିତ ବିକାଶ ଧାରାରେ ସାମିଲ ପାଇଁ ଅପିଲ୍‍ କରାଯାଇଛି ।