Home Environment ମହେନ୍ଦ୍ରଗିରିକୁ ଦ୍ୱିତୀୟ ଜୈବ ବିବିଧତା ମାନ୍ୟତା

ମହେନ୍ଦ୍ରଗିରିକୁ ଦ୍ୱିତୀୟ ଜୈବ ବିବିଧତା ମାନ୍ୟତା

ଭୁବନେଶ୍ୱର : ମହେନ୍ଦ୍ରଗିରି ପାର୍ବତ୍ୟମାଳାକୁ ଓଡିଶାର ଦ୍ୱିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥାନ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ମହେନ୍ଦ୍ରଗିରି ସମଗ୍ର ଦକ୍ଷିଣଓଡିଶା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମହେନ୍ଦ୍ରଗିରି ପାର୍ବତ୍ୟ ଇଲାକାରେ ବିଲୁପ୍ତପ୍ରାୟ ଜନଜାତି ସଉରା ଓ କନ୍ଧ ବସବାସ କରୁଛନ୍ତି ।

ରାଜ୍ୟର ପାହାଡିଆ ଇଲାକାରେ ଯେତେ ପ୍ରକାର ଫୁଲ ଫୁଟୁଛି ତାହାର ଶତକଡା ୪୦ ଭାଗ ମହେନ୍ଦ୍ରଗିରିରେ ଦେଖିବାକୁ ମିଳିଥାଏ । ଏଠାରେ ୩୮୮ ପ୍ରଜାତିର ବନ୍ୟପ୍ରାଣୀ ବସବାସ କରୁଛନ୍ତି । ମହେନ୍ଦ୍ରଗିରିର ଐତିହାସିକ ପ୍ରଖ୍ୟାତି ରହିଛି । ଏଠାରେ କୁନ୍ତି, ଭୀମ, ଅର୍ଜୁନ ଓ ଯୁଧିଷ୍ଟିରଙ୍କର ପ୍ରାଚୀନ ମନ୍ଦିର ରହିଛି । ଏହାକୁ ରାଜ୍ୟ ସରକାର ପ୍ରାଚୀନ ସ୍ମାରକ ଓ ପ୍ରତ୍ନତତ୍ୱ କ୍ଷେତ୍ର ବୋଲି ଚିହ୍ନଟ କରିଛନ୍ତି । ଏହି ପ୍ରାଚୀନ କ୍ଷେତ୍ରକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ସରକାରୀ ଆକଳନରୁ ଜଣାଯାଇଛି ଯେ ବାର୍ଷିକ ପ୍ରାୟ ଲକ୍ଷେ ଭକ୍ତ ମହେନ୍ଦ୍ରଗିରିକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

ମହେନ୍ଦ୍ରଗିରିରେ ବହୁ ପ୍ରକାରର ବିରଳ ପ୍ରଜାତିର ଔଷଧିୟ ବୃକ୍ଷମାନ ଭରି ରହିଛି । ପକ୍ଷୀ, ପୁଷ୍ପ ଓ ବୃକ୍ଷରାଜିର ଘଞ୍ଚ ଇଲାକା ଭାବରେ ପରିଗଣିତ ମହେନ୍ଦ୍ରଗିରିରେ ୧୫୩ ପ୍ରକାରର ବୃକ୍ଷ ରହିଛି ଯାହା ବିଲୁପ୍ତର ଦ୍ୱାର ଦେଶରେ । ତେଣୁ ଇଲାକାର ସୁରକ୍ଷା କରାଯିବା ଅପରିହାର୍ଯ୍ୟ ହୋଇପଡିଛି । ରାଜ୍ୟ ସରକାର ଏହି ଇଲାକାକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବରେ ଘୋଷଣା କରିବା ଫଳରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମହେନ୍ଦ୍ରଗିରିର ଜୈବ ବିବିଧତାର ପ୍ରାଚୂର୍ଯ୍ୟ ସଂକ୍ରାନ୍ତରେ ଜଣାପଡିବା ପରେ ରାଜ୍ୟ ଜୈବ ବିବିଧତା ବୋର୍ଡ ଏ ସଂକ୍ରାନ୍ତରେ ବ୍ୟାପକ ଅନୁସନ୍ଧାନ କରିବା ସଂଗେ ସଂଗେ ସବିଶେଷ ବିବରଣୀ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ବୋର୍ଡର ଅଧ୍ୟକ୍ଷ ବରିଷ୍ଠ ଆଇଏଫଏସ୍‍ ଅଫିସର ରାଜୀବ କୁମାର ଏ ସଂକ୍ରାନ୍ତୀୟ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବାପରେ ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ପୂର୍ବରୁ ଗଣ୍ଡାହାତୀ ଜୈବ ବିବିଧତା ପ୍ରବନ୍ଧନ କମିଟି ପକ୍ଷରୁ ମୋହନା ବିଧାୟିକା ବାସନ୍ତି ମଲ୍ଲିକ ପାରଳାଖେମୁଣ୍ଡି ଡିଏଫ୍‍ଓ ଓ ଗଞ୍ଜାମ ଏବଂ ଗଜତିରେ କାର୍ଯ୍ୟ କରୁଥିବା ଲିପିକା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତମାଳାକୁ ଜୈବ ବିବିଧତା ଐତିହ୍ୟ ମଣ୍ଡଳୀ ଭାବେ ଘୋଷଣା ପାଇଁ ଦାବି ହୋଇଥିଲା । ଏହାକୁ ସ୍ଥାନୀୟ ଗ୍ରାମସଭାରେ ମଧ୍ୟ ପାରିତ କରାଯାଇଥିଲା ।

ଉପରୋକ୍ତ ପ୍ରସ୍ତାବଗୁଡିକୁ ପରୀକ୍ଷା ନିରୀକ୍ଷା କରିବାପରେ ଗଜପତି ଜିଲ୍ଲାରେ ଥିବା ମହେନ୍ଦ୍ରଗିରି ପର୍ବତମାଳାକୁ ଏଭଳି ମାନ୍ୟତା ପ୍ରଦାନ କରାଯାଇଛି । (ତଥ୍ୟ)