Home General ମହିଳା ଧରିଛନ୍ତି ରୂପାନ୍ତରଣ ମଙ୍ଗ

ମହିଳା ଧରିଛନ୍ତି ରୂପାନ୍ତରଣ ମଙ୍ଗ

ଭୁବନେଶ୍ୱର : ସମ୍ବଲପୁର ମହାନଗର ନିଗମର ରୂପାନ୍ତରଣ କାର୍ଯ୍ୟ ଏବେ ମହିଳା ଗୋଷ୍ଠି ଓ ବସ୍ତି ବାସିନ୍ଦାଙ୍କ ହାତରେ । ଏମାନଙ୍କ ହାତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚଳାଯିବା ସହିତ ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ନିର୍ଦ୍ଦେଶକ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ।

ଶ୍ରୀ ପଣ୍ଡା ସମ୍ବଲପୁର ଗସ୍ତରେ ଯାଇ ସେଠାରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଓ ଜାଗା ମିଶନ ଯୋଜନାର ଅନୁଧ୍ୟାନ କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ସମ୍ବଲପୁର ମହାନଗର ନିଗମର ୪୧ଟି ୱାର୍ଡରେ ୩ହଜାରରୁ ଅଧିକ ମିଶନ ଶକ୍ତି ମହିଳା ସାମିଲ ହୋଇଥିବାବେଳେ ୧୭୦ ବସ୍ତି ବାସିନ୍ଦା ସଂଘ ମଧ୍ୟ ରହିଛନ୍ତି । ବସ୍ତି ବାସିନ୍ଦା ସଂଘକୁ ୨୪ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କର।।ଇଛି । ଏହି ଅର୍ଥରେ ବସ୍ତି ବାସିନ୍ଦା ସଂଘମାନେ ନିଜ କାମ ନିଜେ କରିବେ । ଏହି କାର୍ଯ୍ୟରୁ ସେମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରିବେ ।

ମହାନଗର ନିଗମଗୁଡିକରେ ଲୋକଙ୍କୁ ହାତକୁ କାମ ଯୋଗାଇଦେବା ସହିତ ମହାନଗର ନିଗମର ବିକାଶ ପାଇଁ ଆଗାମୀ ୫ବର୍ଷରେ ୫୦୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାକୁ ଆଧାର କରି ସମ୍ବଲପୁର ମହାନଗର ନିଗମରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ଜାଗା ମିଶନ ଯୋଜନାରେ ସହରର ଅନେକ ବସ୍ତି ବାସିନ୍ଦାଙ୍କୁ ବାସଗୃହ ପାଇଁ ଜମି ଯୋଗାଇ ଦିଆଯାଇଛି । ଶ୍ରୀ ପଣ୍ଡାଙ୍କ ସହିତ ବିଭାଗର ଅର୍ଥ ପରାମର୍ଶଦାତା ସଞ୍ଜୟ ପରମାଣିକ, ସ୍ୱତନ୍ତ୍ର ସଚିବ ସୁଶାନ୍ତ ପୁରୋହିତ ଓ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେହିଭଳି ସମ୍ବଲପୁର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ସ୍ଥାପନ ହୋଇଛି । ଏହି ନବ ନିର୍ମିତ ସୌଧରେ କାମ କରିବା ପାଇଁ ପ୍ରଶସ୍ତ ସ୍ଥାନ ଥିବାବେଳେ କାର୍ଯ୍ୟ କରିବାର ଏକ ସକରାତ୍ମକ ପରିବେଶ ସୃଷ୍ଟିହୋଇ ପାରିଛି ।

ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା) ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ୧.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଠାରେ ୯୦୦ ମିଶନ ଶକ୍ତି ଗୋଷ୍ଠି କାମ କରୁଥିବାବେଳେ ପ୍ରାୟ ୯ହଜାର ପରିବାରର ଖାତାକୁ ଅର୍ଥ ଯାଉଛି । ମହିଳାଙ୍କ ରୋଜଗାର କଥାକୁ ସରକାର ଅଗ୍ରାଧିକାର ଦେଉଛନ୍ତି ।
ଆହାର, ମୁକ୍ତା ଭଳି ଯୋଜନାରେ ସାମିଲ ମହାନଗର ନିଗମର ମହିଳମାନେ ଇତିମଧ୍ୟରେ ସେବା ଦେୟ ବାବଦକୁ ୫୫କୋଟି ଟଙ୍କାରୁ ଅଧିକ ପାଇଛନ୍ତି । ଏହା ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗମରେ ଏକ ବଳିଷ୍ଠ ପଦକ୍ଷେପ ।

ଏବେ ବିଭିନ୍ନ ‘କିଚେନ ସେଣ୍ଟର’ ଗୁଡିକରେ କେବଳ ମହିଳାମାନଙ୍କୁ ନିୟୋଜିତ କରାଯାଉଛି । ରାଜ୍ୟ ସରକାର ଗୋଟିଏ କିଚେନ ସେଣ୍ଟର ପାଇଁ ୨୪ଲକ୍ଷ ଟଙ୍କା ଟଙ୍କା ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସେହିଭଳି ସହରାଞ୍ଚଳରେ ପରିମଳ ବ୍ୟବସ୍ଥାର ପରିଚାଳନା ସହିତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଆଦି କାର୍ଯ୍ୟ ତୁଲାଉଥିବା ବ୍ୟକ୍ତିମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିପାରିବେ ସେଥିପାଇଁ ନିୟମିତ ଭାବେ ତାଲିମ ପ୍ରଦାନ କରାଯାଉଛି ।

ନିଜ ନିଜ ଅଞ୍ଚଳର ବିକାଶର ଦୟିତ୍ୱ ଏବେ ବସ୍ତି ବାସିନ୍ଦାଙ୍କ ହାତରେ ଦିଆଯାଇଛି । ସେମାନେ କାର୍ଯ୍ୟସୂଚୀ ସ୍ଥିର କରି ଅଧିକାରୀମାନଙ୍କୁ ଏଥବପାଇର୍ ନିମନ୍ତ୍ରଣ କରିବେ । ଏଥିଲାଗି ପ୍ରତ୍ୟେକ ବସ୍ତି ବାସିନ୍ଦା ସଂଘଙ୍କୁ ୩୫ହଜାର ଟଙ୍କା କରି ପ୍ରଦାନ କରାଯାଇଛି । ଏଭଳି ପଦକ୍ଷେପ ସହରାଞ୍ଚଳରେ ସମ୍ପୂର୍ଣ୍ଣ ଅଭିନବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଇତି ମଧ୍ୟରେ ସମ୍ବଲପୁର ମହାନଗର ନିଗମରେ ମୁକ୍ତା ଯୋଜନାରେ ୧୫.୩୭କୋଟି ଟଙ୍କାର ଏବଂ ଜାଗା ମିଶନ ଯୋଜନାରେ ୨୩.୮୩ କୋଟି ଟଙ୍କାର କାମ ହେଉଛି । ବିଜୁ ଆଦର୍ଶ କଲୋନୀ ଯୋଜନାରେ ଏହି ସମସ୍ତ କାର୍ଯ୍ୟକୁ ମିଶନ ଶକ୍ତି ଗୋଷ୍ଠି ଓ ବସ୍ତି ବାସିନ୍ଦା ସଂଘ ମିଳିତ ଭାବେ କରୁଛନ୍ତି ।