Home General ମହିଳା ଗୋଷ୍ଠିଙ୍କୁ ୧୧ହଜାର କୋଟି ଋଣ

ମହିଳା ଗୋଷ୍ଠିଙ୍କୁ ୧୧ହଜାର କୋଟି ଋଣ

ଭୁବନେଶ୍ୱର : ବିଗତ ଦୁଇ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି (ଏସ୍‍ଏଚଜି)ଗୁଡିକୁ ୧୧ହଜାର କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ୍‍ ଋଣ ଦିଆଯାଉଛି । ତେବେ ଋଣ ନେଉଥିବା ମହିଳା ଗୋଷ୍ଠି ମଧ୍ୟରୁ ପ୍ରାୟ ୬ ପ୍ରତିଶତ ଋଣ ଫେରସ୍ତ କରିପାରି ନାହାନ୍ତି ।

ବିଜେପି ବିଧାୟିକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ଦୁଇବର୍ଷ ମଧ୍ୟରେ ମହିଳା ଗୋଷ୍ଠିଗୁଡିକୁ ୧୧,୦୨୬ କୋଟି ୯୨ଲକ୍ଷ ୩୧ ହଜାର ଟଙ୍କାର ଋଣ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରେ ମହିଳା ଗୋଷ୍ଠିମାନେ ସର୍ବାଧିକ ୧୦୩୩କୋଟି ଟଙ୍କାର ଋଣ ନେଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ୮୨୭ କୋଟି, କଟକ ଜିଲ୍ଲାରେ ୭୭୪କୋଟି, ମୟୁରଭଞ୍ଜ ଜିଲ୍ଲାରେ ୭୨୦କୋଟି, ପୁରୀରେ ୫୮୦ କୋଟି, ଖୋରଧା ୫୪୯ କୋଟି ଟଙ୍କାର ଋଣ ଦିଆଯାଇଛି । ସବୁଠାରୁ କମ୍‍ ମାତ୍ର ୯୫କୋଟି ଟଙ୍କାର ଋଣ ମାଲକାନଗିରି ଜିଲ୍ଲାରେ ପ୍ରଦାନ କରାଯାଇଛି ।

ତେବେ ନିୟମିତ ଋଣ ପରିଶୋଧ କରୁଥିବା ମହିଳା ଗୋଷ୍ଠିଗୁଡିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରାଯାଉଛି । ଏହି ଋଣର ସୁଧ ବାବଦୀୟ ଅର୍ଥ ରାଜ୍ୟ ସରକାର ବ୍ୟାଙ୍କ୍‍ଗୁଡିକୁ ପ୍ରଦାନ କରାଯାଉଛି । ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ଏ ବାବଦରେ ୧୨୮ କୋଟି ଟଙ୍କା ବ୍ୟାଙ୍କ୍‍ଗୁଡିକୁ ପ୍ରଦାନ କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ୧୬୧ କୋଟି ଟଙ୍କା ରହିଛି । ତେବେ ସର୍ବାଧିକ ଅର୍ଥ ଓଡିଶା ଗ୍ରାମ ବ୍ୟାଙ୍କ୍‍କୁ ପ୍ରଦାନ କରାଯାଇଛି ।

ରାଜ୍ୟର ପାଖାପାଖି ୬ ପ୍ରତିଶତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଋଣ ଫେରସ୍ତ କରିପାରି ନଥିବାବେଳେ ଅଧିକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠି କିଭଳି ନିୟମିତ ଋଣ ପରିଶୋଧ କରିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)