Home Administration ମହିଳା ଓ ଶିଶୁଙ୍କ ପାଇଁ ମାର୍ଗଦର୍ଶିକା ଜାରି

ମହିଳା ଓ ଶିଶୁଙ୍କ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାଜ୍ୟର ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ବହୁବିଧ ଅଙ୍ଗନବାଡ଼ି ସେବାରେ କୋଭିଡ୍‌-୧୯ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡିଏସ୍‌ଡବ୍ଲୁ୍ୟ ଓ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ସହ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବା ପରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

ପତ୍ରରେ ଉଲ୍ଲେଖ କରାଯାଇଛି, ସଂପ୍ରତି କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିବାରୁ ଶିଶୁ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପୁଷ୍ଟିସାଧନ, ସ୍ତନ୍ୟପାନ, ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ(ସାମ୍‌) ସ୍ୱାସ୍ଥ୍ୟରକ୍ଷା, ଅଙ୍ଗନବାଡ଼ିରେ ହେଉଥିବା ମମତା ଦିବସ, ନିୟମିତ ଟିକାଦାନ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମରେ କୋଭିଡ୍‌ ସଂପର୍କିତ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ଏହି ପରିପ୍ରେକ୍ଷୀରେ ଜାରି ମାର୍ଗଦର୍ଶିକାରେ କୁହାଯାଇଛି, ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀମାନେ ପରସ୍ପର ସହ ମତବିନିମୟ ସମୟରେ ମୁହଁ ଏବଂ ନାକକୁ ଢାଙ୍କି ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ । ୨ ବର୍ଷରୁ ଊଦ୍ଧ୍ୱର୍ ବୟସର ପ୍ରତ୍ୟେକ ଶିଶୁ ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବେ । ଏ ସଂପର୍କରେ ପିତାମାତାଙ୍କୁ ସଚେତନ କରାଯିବା ସହ ସେମାନେ ଏହା ସୁନିଶ୍ଚିତ କରିବେ ।

କୋଭିଡ୍‌-୧୯ରେ ସଂକ୍ରମିତ ଅଧିକାଂଶ ଶିଶୁ ଲକ୍ଷଣବିହୀନ ବା ଅଳ୍ପ ଲକ୍ଷଣଯୁକ୍ତ ହେଉଥିବାବେଳେ, ଯେଉଁଠାରେ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋରୀମାନଙ୍କ ନିକଟରେ ଥଣ୍ଡା, କାଶ, ଜ୍ୱର, ତରଳ ଝାଡ଼ା, ବାନ୍ତି, ପେଟବଥା, ସ୍ୱାଦ ଏବଂ ଗନ୍ଧ ବାରି ନ’ପାରିବା ଭଳି ଲକ୍ଷଣ ଏବଂ ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା କରିବା ସହ ସଙ୍ଗରୋଧରେ ରହିବେ । ସ୍ୱାସ୍ଥ୍ୟରେ ଅବନତି ଦେଖାଦେଲେ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ହସ୍‌ପିଟାଲ୍‌ରେ ଆଡ୍‌ମିଟ୍‌ କରାଯିବ ।

ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନଠାରୁ ଅଙ୍ଗନବାଡ଼ିରେ ହେଉଥିବା ମମତା ଦିବସ, ଟିକାକରଣ ଦିବସ ଆଦି ପାଳନ ସମୟରେ ଅତିକମ୍‌ରେ ୬ ଫୁଟ(ଦୁଇଗଜ)ର ଦୂରତା ଅବଲମ୍ବନ କରିବେ । ସଂକ୍ରମଣ ପ୍ରତିରୋଧ ନିମନ୍ତେ ସାବୁନ ଓ ପାଣିରେ ଅତି କମ୍‌ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଏବଂ ଆଲ୍‌କୋହଲ୍‌ ସାନିଟାଇଜରରେ ହାତ ସଫା କରିବା ସହ ମୁହଁ, ନାକ, ଆଖି ଆଦିକୁ ବାରମ୍ବାର ସ୍ପର୍ଶ ନକରିବାକୁ କୁହାଯାଇଛି ।

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା, ପରିପୂରକ ପୁଷ୍ଟିସାଧନରେ ଦିଆଯାଉଥିବା ଖାଦ୍ୟକୁ ହିତାଧିକାରୀମାନେ ନିଶ୍ଚୟ ଖାଇବା ସହ ଆଇରନ୍‌/କ୍ୟାଲ୍‌ସିୟମ୍‌ ସେବନକୁ ସୁନିଶ୍ଚିତ କରିବା ନିମନ୍ତେ ନିୟମିତ ପରାମର୍ଶ ଦିଆଯିବ । ୦-୨ ବର୍ଷ ବୟସର ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ ଯଦି କୋଭିଡ୍‌ରେ ଆକ୍ରାନ୍ତ ହୁଅନ୍ତି, ତେବେ ସମସ୍ତ ସତର୍କତା ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରାଇବେ ।

ଶିଶୁମାନଙ୍କୁ ସଦ୍ୟ ପ୍ରସ୍ତୁତ ଲୁଣି, ମିଠା ଏବଂ ଚର୍ବିରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ, ଯାହାଦ୍ୱାରା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ପୂର୍ବରୁ ଚିହ୍ନଟ ହୋଇଥିବା ସାମ୍‌, ମାମ୍‌ ଏବଂ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ନିମନ୍ତେ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍‌-୧୯ ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନିୟମିତ ଭାବେ ତଦାରଖ କରାଯିବ, ଗର୍ଭବତୀ ଏବଂ ପ୍ରସୂତୀ ମହିଳା ତଥା ସାମ୍‌ ଓ ମାମ୍‌ ଶିଶୁମାନଙ୍କ ଘର ନିକଟରେ ପୁଷ୍ଟିକର ବଗିଚା ସୃଷ୍ଟିକୁ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ସେମାନେ ତାଜା ପନିପରିବା ପାଇପାରିବେ ।

ପ୍ରତ୍ୟେକ ଶନିବାର ଦିନ କିଶୋରୀମାନଙ୍କୁ ଦିଆଯାଉଥିବା ଆଇରନ୍‌ ଏବଂ ଫୋଲିକ୍‌ ଏସିଡ୍‌ ବଟିକା ଘରପାଖରେ ଆଶା/ଅଙ୍ଗନବାଡ଼ି କର୍ମୀମାନେ ଯୋଗାଇଦେବେ । ସେହିଭଳି ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ ଏହି ବଟିକା ସେମାନଙ୍କ ମଧ୍ୟାହ୍ନ ଭୋଜନ ରାସନ ସାମଗ୍ରୀ ସହିତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗାଇଦେବେ । ଗର୍ଭବତୀ ମହିଳା ଏବଂ କିଶୋରୀମାନଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା, ସଙ୍ଗରୋଧ ଏବଂ ଚିକିତ୍ସା କରାଯିବ ।

କୋଭିଡ୍‌-୧୯ ଦ୍ୱିତୀୟ ଲହରୀରେ ଯୁବଗୋଷ୍ଠୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦୃଷ୍ଟିକୋଣରୁ ସେମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ସଠିକ ଭାବେ ମାସ୍କ ପରିଧାନ, ନିୟମିତ ବ୍ୟାୟାମ, ହାତଧୁଆ ଅଭ୍ୟାସ ଆଦି ସଂପର୍କରେ ବ୍ୟାପକ ସଚେତନ କରାଯିବ ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ଓଜନ ବୃଦ୍ଧିକୁ ନିୟମିତ ଭାବେ ତଦାରଖ କରାଯିବ । ତେବେ ଶିଶୁମାନଙ୍କୁ ଓଜନ କରିବା ସମୟରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଥର ଓଜନ ନେବା ପରେ ଓଜନ ମାପକ ଯନ୍ତ୍ରକୁ ବିଶୋଧନ କରାଯିବ ।

ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିବା ସ୍ଥାନରେ ଯେଉଁଠି ସାମୟିକ ଭାବେ ଏହିସବୁ ଅଙ୍ଗନବାଡ଼ି ସେବା ବନ୍ଦ ରହିଛି, ସେଠାରେ ନିଷୋଧାଦେଶ ଉଠିବା ପରେ ତୁରନ୍ତ ସମସ୍ତ କାର୍ଯ୍ୟକ୍ରମ ଜାରି ରହିବ । ତେବେ ଏହି ସମୟ ମଧ୍ୟରେ ଶିଶୁମାନଙ୍କ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଯେପରି ଛବାଦ୍‌ ନପଡ଼େ ତାହା ସୁନିଶ୍ଚିତ କରାଯିବ ।

କୋଭିଡ୍‌-୧୯କୁ ପ୍ରତିହତ କରିବା ନିମନ୍ତେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କୋଭିଡ୍‌ ଟିକା ଦିଆଯିବାକୁ ତ୍ୱରାନ୍ୱିତ କରାଯିବ । ଏଥିପାଇଁ ଆବଶ୍ୟକ ସ୍ଥଳେ ‘ଆରୋଗ୍ୟ ସେତୁ’ ଆପ୍‌କୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମହିଳା, ଗର୍ଭବତୀ ଓ ଶିଶୁମାନଙ୍କର କୋଭିଡ୍‌ ସମୟରେ ସୁରକ୍ଷା ଉପାୟ ଅବଲମ୍ବନ ସଂପର୍କିତ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଅତି ସାବଧାନତାର ସହ ପାଳନ କରିବାକୁ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।