Home General ମହିଳା ଆଇନଜୀବୀ, ବିଚାରପତି ଓ ମଧୁବାବୁ

ମହିଳା ଆଇନଜୀବୀ, ବିଚାରପତି ଓ ମଧୁବାବୁ

ଭୁବନେଶ୍ୱର : ବିଚାରପତି ପଦବୀରେ ନିଯୁକ୍ତି ପାଇବା ତ ଦୂରର କଥା ୧୦୦ ବର୍ଷ ତଳେ କେବଳ ଓଡ଼ିଶାରେ କାହିଁକି ସାରା ଭାରତରେ ଜଣେ ହେଲେ ମହିଳାଙ୍କୁ ଆଇନ ଅଦାଲତରେ ଓକିଲାତି କରିବା ପାଇଁ ଲାଇସେନ୍ସ ମିଳୁନଥିଲା । ଜଣେ ଅଗ୍ରଣୀ ଓଡ଼ିଆଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ବ୍ରିଟିଶ ସରକାର ଚାପରେ ରହି ନୂଆ ଆଇନ ପ୍ରଣୟନ କରିବା ଫଳରେ ଭାରତ ବର୍ଷରେ ମହିଳାମାନେ ଓକିଲାତି ଓ ବିଚାର ବିଭାଗ କ୍ଷେତ୍ରକୁ ଆସିବାର ସୁଯୋଗ ପାଇଛନ୍ତି । ଏହି ଓଡ଼ିଆ ଜଣକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ।

ଓକିଲାତି କରିବା ପାଇଁ ଲାଇସେନ୍ସ ପାଇବା ଉପରେ ମହିଳାମାନଙ୍କ ଲାଗି ପୂର୍ବରୁ କଡା କଟକଣା ଥିଲା । ଏମିତିକି ଆଇନ ଡିଗ୍ରୀ ହାସଲ ପରେ ବି ମହିଳାମାନଙ୍କୁ ଓକିଲାତି ଲାଇସେନ୍ସ ମିଳୁନଥିଲା । ତେବେ ମଧୁବାବୁ ତାଙ୍କ ପାଳିତା କନ୍ୟା ଶୈଳବାଳାଙ୍କ ଭଉଣୀ ସୁଧାଂଶୁବାଳା ହାଜରାଙ୍କୁ କଲିକତାରେ ଓକିଲାତି ପାଠ ପଢ଼ାଇବା ପରେ ତାଙ୍କୁ ଓକିଲ ହିସାବରେ ପଞ୍ଜୀକୃତ କରାଇବା ପାଇଁ ଆବେଦନ କରି ବିଫଳ ହେବା ପରେ ସୁଧାଂଶୁବାଳାଙ୍କ ନାମରେ ପାଟନା ହାଇକୋର୍ଟରେ ଏକ ମାମଲା ରୁଜୁ କରାଇଥିଲେ ।

ସେତେବେଳେ ସେ ବିହାର-ଓଡ଼ିଶା ସରକାରରେ ମନ୍ତ୍ରୀ ଥାଇ ବି ଏହି ମାମଲା ଲଢ଼ିବା ପାଇଁ ସରକାରଙ୍କଠାରୁ ଅନୁମତି ଚାହିଁଥିଲେ ମଧ୍ୟ ତାଙ୍କୁ ତାହା ନ ମିଳିବାରୁ ସେ ଏହି ମାମଲାରେ ଖ୍ୟାତନାମା ବାରିଷ୍ଟରମାନଙ୍କୁ ନିୟୋଜନ କରିବା ସଂଗେ ସଂଗେ ନିଜେ ପାଟନା ହାଇକୋର୍ଟରେ ଉପସ୍ଥିତ ରହି ମାମଲାର ତର୍କବିତର୍କ ଉପରେ ଧ୍ୟାନ ରଖିଥିଲେ ।

ଏହି ମାମଲାଟି ଖାରଜ ହୋଇଯିବା ପରେ ମଧୁବାବୁ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର କିଛି ସଦସ୍ୟଙ୍କୁ ଏ ସଂକ୍ରାନ୍ତରେ ଅବହିତ କରାଇ ଜାତୀୟ ସ୍ତରରେ ଝଡ ସୃଷ୍ଟି କରାଇଥିଲେ । ଏହାର ଫଳସ୍ୱରୂପ ବ୍ରିଟିଶ ସରକାର ୧୯୨୩ ମସିହାରେ ‘ଦି ଲିଗାଲ ପ୍ରାକ୍ଟିସନର୍ସ’ (ଓମେନ) ଆକ୍ଟ ପ୍ରଣୟନ କରିବାକୁ ବାଧ୍ୟ ହୋଇଥିଲେ ଏବଂ ମଧୁବାବୁଙ୍କ ଜିଦ୍‍ ମୁତାବକ ଓଡ଼ିଶାର ପାଣିପବନରେ ବଢ଼ିଥିବା ଓ କଟକରେ ନାରୀ ଶିକ୍ଷା ପାଇଁ ମହିଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଧାଂଶୁବାଳା ହାଜରାଙ୍କୁ ଓକିଲାତି ଲାଇସେନ୍ସ ମିଳିଥିଲା । ଏଠାରେ ଉଲ୍ଲେଖନୀୟ ଯେ ସେହିବର୍ଷ ମଧୁବାବୁ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ । ବିନା ବେତନରେ ମନ୍ତ୍ରୀ ଭାବେ କାମ କରିବା ପାଇଁ ଦୀର୍ଘଦିନ ଧରି ମଧୁବାବୁ ଦାବି କରିଆସୁଥିଲେ ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରିଥିବା କ୍ରାନ୍ତିକାରି ପଦକ୍ଷେପଗୁଡିକ ମଧ୍ୟରୁ ଏହା ଅନ୍ୟତମ ବୋଲି ବିଶିଷ୍ଟ ଅଧିବକ୍ତା ତଥା ରଚନାତ୍ମକ କର୍ମୀ ପ୍ରହଲ୍ଲାଦ କୁମାର ସିଂହ ମଧୁବାବୁଙ୍କ ୧୭୪ତମ ଜନ୍ମ ଦିବସ ପାଳନ ପୂର୍ବରୁ ଏକ ସଂପାନରେ ଏହି ଐତିହାସିକ ତଥ୍ୟ ଉଲ୍ଲେଖ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଇଂଲଣ୍ଡରେ ୧୯୧୮ରେ ପ୍ରଥମଥର ପାଇଁ ସମ୍ପତ୍ତି ଆଧାରରେ କିଛି ମହିଳାଙ୍କୁ ଭୋଟ ଅଧିକାର ସେଠାରେ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଲୋକ ପ୍ରତିନିଧି ଆଇନରେ ସଂଶୋଧନ ଅଣାଯାଇ ୧୯୨୮ରେ ବ୍ରିଟେନର ୨୧ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ମହିଳାଙ୍କୁ ପୁରୁଷମାନଙ୍କ ଭଳି ଭୋଟଦାନର ସମାନ ଅଧିକାର ମିଳିଥିଲା । ସେହିଭଳି ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଲଢ଼ିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ମହିଳାମାନଙ୍କୁ ୧୯୨୦ ମସିହାରେ ଭୋଟ ଦେବାର ଅଧିକାର ମିଳିଥିବା ସେ ଉଲ୍ଲେଖ କରିଛନ୍ତି ।

୧୯୩୫ରେ ଭାରତ ଶାସନ ଆଇନ ଆଧାରରେ ୧୯୩୭ରେ ହୋଇଥିବା ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉଚ୍ଛେଦ କରାଯାଇଛି । ଏବେ ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଭାରତରେ ବହୁ ମହିଳା ବିଚାରପତି ଭାବେ କାମ କରୁଥିବା ବେଳେ ଏ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଭୁଲିବାର ନୁହେଁ ବୋଲି ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here