Home General ମହାନଦୀ ସଂଯୋଗୀକରଣ ରିପୋର୍ଟ ଚୂଡାନ୍ତ

ମହାନଦୀ ସଂଯୋଗୀକରଣ ରିପୋର୍ଟ ଚୂଡାନ୍ତ

ଭୁବନେଶ୍ୱର : ଜଳସମ୍ପଦର ବିକାଶ ଲାଗି ଜାତୀୟ ଜଳ ବିକାଶ ପ୍ରତିଷ୍ଠାନ (ଏନ୍‍ଡବ୍ଲ୍ୟୁଡିଏ) ନଦୀ ସଂଯୋଗୀକରଣ ଯୋଜନା ହାତକୁ ନେଇଥିବାବେଳେ ମହାନଦୀ-ଗୋଦାବରୀ ଫିଜିବିଲିଟି ରିପୋର୍ଟ (ଏଫ୍‍ଆର) ଚୂଡାନ୍ତ ହୋଇଛି । ଅନୁରୂପ ଭାବେ ସୁବର୍ଣ୍ଣରେଖା-ମହାନଦୀ ଆନ୍ତଃନଦୀ ସଂଯୋଗୀକରଣ ରିପୋର୍ଟ ମଧ୍ୟ ଚୂଡାନ୍ତ ହୋଇଛି ।

ସେହିଭଳି ସୁବର୍ଣ୍ଣରେଖା-ଦାମୋଦର ନଦୀ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ କଟାରିଆ ଆଜି ଲୋକସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାନଦୀରୁ ଗୋଦାବରୀ ସଂଯୋଗୀକରଣ ଓଡିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଦେଇ ପରିବ୍ୟାପ୍ତ ହେବ । ସୁବର୍ଣ୍ଣରେଖା-ମହାନଦୀ ସଂଯୋଗୀକରଣ ପଶ୍ଚିମବଙ୍ଗ ଓ ଓଡିଶାକୁ ପରିବ୍ୟାପ୍ତ ହେବ ।

ଆନ୍ତଃ ଅବବାହିକା ଜଳ ଆଦାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ନେସନାଲ ପରସ୍ପେଟିଭ ପ୍ଲାନ (ଏନ୍‍ପିପି) ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଦ୍ୱାରା ଜଳ ବହୁଳ ଅଞ୍ଚଳରୁ ଜଳକଷ୍ଟ ଅଞ୍ଚଳକୁ ଜଳ ପଠାଯିବ । ଏନ୍‍ପିପି ଅଧିନରେ ଜାତୀୟ ଜଳ ବିକାଶ ପ୍ରତିଷ୍ଠାନ ୩୦ଟି ସଂଯୋଗୀକରଣକୁ ଚିହ୍ନଟ କରିଛନ୍ତି । ଏଥିରୁ ୧୬ଟି ସମତଳ ଏବଂ ୧୪ଟି ପାର୍ବତ୍ୟ ଅଞ୍ଚଳରେ ରହିଛି । ମହାନଦୀ-ଗୋଦାବରୀ ସଂଯୋଗୀକରଣ ସମତଳ ଅଞ୍ଚଳରେ ହେଉଥିବାବେଳେ ଏହାର ରିପୋର୍ଟ ଚୂଡାନ୍ତ ହୋଇଛି ।

ମନ୍ତ୍ରୀ କହିଛନ୍ତି ଯେ ଗୋଦାବରୀ-କାବେରୀ ସଂଯୋଗୀକରଣ ପ୍ରକଳ୍ପ ଯୋଜନା ଦୁଇ ପର୍ଯ୍ୟାୟରେ ହେବ । ଇତି ମଧ୍ୟରେ ନଦୀ ଆନ୍ତଃସଂଯୋଗୀକରଣ ପାଇଁ ଜାତୀୟ ଟାସ୍କ ଫୋର୍ସ ଗଠନ ସହ ରାଜ୍ୟମାନଙ୍କ ସହିତ ପରାମର୍ଶ କରାଯାଉଛି । ଇତି ମଧ୍ୟରେ ଗୋଦାବରୀ-କାବେରୀ ପ୍ରଥମ ପର୍ଯ୍ୟାୟ ଲାଗି ଡିପିଆର ପ୍ରସ୍ତୁତ ହୋଇଛି । ଉଭୟ ଏଫ୍‍ଆର ଓ ଡିପିଆର ପ୍ରସ୍ତୁତ ହୋଇଥିବାବେଳେ ନଦୀ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ କହିଛନ୍ତି । ତେଣୁ ଏଥିପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।