Home News in Odia ମହାନଦୀରୁ ପଟୁ ସଫା ହେଉନି

ମହାନଦୀରୁ ପଟୁ ସଫା ହେଉନି

ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମଋତୁରେ ମହାନଦୀରେ ଜଳସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ପଟୁ ସଫେଇ କରି ଏହାର ଜଳଧାରଣ କ୍ଷମତା ବୃଦ୍ଧି ସକାଶେ ଗତ ୧୦ମଧ୍ୟରେ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା ଜଣାଯାଇଛି । କେନ୍ଦ୍ର ସରକାର ବି ଏ ବାବଦରେ ଟଙ୍କାଟିଏ ଯୋଗାଇ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୦-୧୧ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ବାବଦରେ କୌଣସି ଅର୍ଥ ବ୍ୟୟ କରାଯାଇ ନାହିଁ । ୨୦୦୯-୧୦ ବର୍ଷରେ ରାଜ୍ୟ ସରକାରାଙ୍କ ଅନୁଦାନରୁ ୧୪କୋଟି ୫୮ଲକ୍ଷ ଟଙ୍କା ବ୍ୟୟରେ ପଟୁମାଟି ସଫେଇ ହୋଇଥିବାବେଳେ ସରକାରୀ ସଂସ୍ଥା ଓଡିଶା ନିର୍ମାଣ ନିଗମ ଦ୍ୱାରା ଏହି ଅର୍ଥ ବ୍ୟୟ ହୋଇଥିଲା । ସେହିଭଳି ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ଓ ରକ୍ଷଣା ବେକ୍ଷଣ ନିମନ୍ତେ ୨୦୦୯-୧୦ ରୁ ୨୦୧୯-୨୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବି କୌଣସି ଅର୍ଥ ଦେଇନଥିବା ଜଣାଯାଇଛି ।

ମହାନଦୀରୁ ପଟୁମାଟି ସଫେଇ ହୋଇନଥିବାବେଳେ ବନ୍ଧର ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୧୫୬କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଛି । ୨୦୦୯-୧୦ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ବଜେଟ୍‍ରେ ୧୬୪କୋଟି ଟଙ୍କାର ବରାଦ ହୋଇଥିବାବେଳେ ୧୫୬କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସମସ୍ତ କାର୍ଯ୍ୟ ଠିକାଦାରମାନେ ଟେଣ୍ଡର ଜରିଆରେ କରିଥିବା ଜଣାଯାଇଛି ।

ମୌସୁମୀ ଋତୁରେ ମହାନଦୀକୁ ଅନ୍ୟ ରାଜ୍ୟରୁ ୨୪୭୯ ନିୟୁତ ଘନମିଟର ଜଳ ଆସିଥିବାବେଳେ ରାଜ୍ୟ ଭିତରୁ ମଧ୍ୟ ବିଭିନ୍ନ ଉତ୍ସରୁ ଜଳ ଆସି ଏହା ସହିତ ମିଶିଛି । ଅଣମୌସୁମୀ ଋତୁରେ ଅନ୍ୟ ରାଜ୍ୟରୁ ହଜାରେ ନିୟୁତ ଘନମିଟରରୁ ଅଧିକ ଜଳ ଆସୁଛି । ତେବେ ଇତି ମଧ୍ୟରେ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡରେ ଏକାଧିକ ନଦୀବନ୍ଧ ପ୍ରତିଷ୍ଠା କରିବାରୁ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଇଛି ।

ତେବେ ତଳ ମୁଣ୍ଡରେ ମହାନଦୀ ଶୁଖିବା ପାଇଁ ବିଶେଷଜ୍ଞମାନେ ପଟୁ ଜମିବାକୁ ଦାୟୀ କରୁଛନ୍ତି । ବର୍ଷ ବର୍ଷ ଧରି ମହାନଦୀରୁ ପଟୁ ସଫାହୋଇ ନପାରିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସପାଉଛି । ସେହିଭଳି ମୌସୁମୀଋତୁରେ ପ୍ରବାହିତ ଜଳକୁ ମଧ୍ୟ ଠିକଣା ଭାବେ ଅଟକାଯାଇ ପାରୁନଥିବାରୁ ଗ୍ରୀଷ୍ମଋତୁରେ ଏହା ଜଳ ସଙ୍କଟ ସୃଷ୍ଟିକରିବ ବୋଲି ବିଭିନ୍ନ ସ୍ତରରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି ।