Home General ମହଙ୍ଗା ମାଡରେ ଲୋକେ କଲବଲ

ମହଙ୍ଗା ମାଡରେ ଲୋକେ କଲବଲ

ଭୁବନେଶ୍ୱର : ଖାଇବା ତେଳ ଓ ଡାଲି ଭଳି ଖାଦ୍ୟ ସାମଗ୍ରୀର ଦର ଉଚ୍ଚା ଥିବାବେଳେ ଏବେ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି । କୃଷି ପ୍ରଧାନ ରାଜ୍ୟ ଓଡିଶାରେ ପରିବାର ଦର ଏବେ ହାରାହାରି ଭାବେ କିଲୋପ୍ରତି ୫୦ ଟଙ୍କା ରହୁଛି ।

ବଜାରରେ ଏବେ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖରେ ଉତ୍ପାଦନ ହେଉଥିବା ଜହ୍ନି, ଭେଣ୍ଡି, ବାଇଗଣ, କାକୁଡି ଆଦିର ଦର କିଲୋପ୍ରତି ୫୦ ଟଙ୍କା ଉପରେ ରହୁଥିବାବେଳେ କଖାରୁ କିଲୋ ୩୦ ଟଙ୍କା ଟପିଲାଣି । କଞ୍ଚା କଦଳି ଗୋଟିକୁ ୧୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଶାଗବିଡା ବି ୧୦ ଟଙ୍କା ରହିଛି ।

ସେହିଭଳି ରାଜ୍ୟ ବାହାରୁ ଆସୁଥିବା ବନ୍ଧାକୋବି, ଫୁଲକୋବି, ବିନ୍‍, ଗାଜର, ଟମାଟୋ ଆଦିକୁ କିଣିବା ସାଧାରଣ ଲୋକଙ୍କ ସାମର୍ଥ ବାହାରକୁ ଗଲାଣି । ବିନ୍‍ କିଲୋ ୧୦୦ ରୁ ୧୨୦ ଟଙ୍କାରେ ବକ୍ରି ହେଉଥିବାବେଳେ ବନ୍ଧାକୋବି କିଲୋ ୪୦ ଟଙ୍କା । ଗୋଟିଏ ଅତି ଛୋଟ ଫୁଲ କୋବିର ଦର ୨୫ରୁ ୩୦ ଟଙ୍କା ରହୁଛି । ରାଜ୍ୟ ବାହାରୁ ଆସୁଥିବା ଟମାଟୋ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ ଦର ବି ହଠାତ୍‍ ଅର୍ଦ୍ଧଶତକ ହାସଲ କରିଛି ।

ପରିବା ଦର ଏବେଠାରୁ ବଢୁଥିବାବେଳେ ଦିନ କେଇଟା ପରେ କାର୍ତ୍ତିକ ମାସ ଆସୁଥିବାରୁ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେବେ ପରିବାର ଏଭଳି ଅହେତୁକ ଦରବୃଦ୍ଧି ପାଇଁ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା ସମେତ ଡିଜେଲ, ପେଟ୍ରୋଲ ସମେତ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ମଧ୍ୟ ଦୋଷ ଦିଆଯାଉଛି । ପରିବହନ ଖର୍ଚ୍ଚ ଅହେତୁକ ଭାବେ ବଢିଥିବାରୁ ପନିପରିବା ଦର ମଧ୍ୟ ବଢୁଛି । ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ଡିଜେଲ ଲିଟରପିଛା ଦର ୧୦୦ ଟଙ୍କା ଛୁଇଁଥିବାରୁ ଗାଡିଭଡା ସେହି ଅନୁଯାୟୀ ବଢିବାରେ ଲାଗିଛି ।

ପନି ପରିବା ସହିତ ଦୈନନ୍ଦିନ ଖାଦ୍ୟ ତାଲିକାରେ ଥିବା ଡାଲି ଓ ଖାଇବା ତେଲର ଦର ବି କିଛିଦିନ ହେଲା ଲୋକଙ୍କୁ ନାକେଦମ କରିଛି । ହରଡଡାଲି କିଲୋ ୧୦୦ ଟଙ୍କା ଉପରେ ଥିବାବେଳେ ଖାଇବା ତେଲ ଦର ଲିଟର ପ୍ରତି ୧୭୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅବସ୍ଥା ଏଭଳି ହେଲାଣି ଯେ ଗାଁ ଗହଳର ଗରିବ ଲୋକଙ୍କ ଭାତ ଥାଳିରୁ ପୁଷ୍ଟିକର ଖାଦ୍ୟ କୁହାଯାଉଥିବା ଡାଲି ଉଭାନ ହୋଇଥିବାବେଳେ ତେଲ କିଣିବାକୁ ବି ଲୋକେ ସାହସ ଜୁଟାଇ ପାରୁନାହାନ୍ତି ।

ତେବେ ଏତେସବୁ ଦରବୃଦ୍ଧି ଭିତରେ କେବଳ ଗୋଟିଏ ଆଶ୍ୱସ୍ତି ହୋଇଛି ଆଳୁ ଦର । ବଜାରରେ ଏହାର ଦର କିଲୋପ୍ରତି ୧୫ ରୁ ୧୭ଟଙ୍କା ମଧ୍ୟରେ ରହିଥିବାରୁ ପରିବା ଦରବୃଦ୍ଧିକୁ ଲୋକେ ମୁକାବିଲା କରିପାରୁଛନ୍ତି । ତେବେ ସରକାରଙ୍କର ସମସ୍ତ ପ୍ରକାର ଯୋଜନା ସତ୍ୱେ ରାଜ୍ୟରୁ କାହିଁକି ଆବଶ୍ୟକ ମୁତାବକ ପନିପରିବା ଉତ୍ପାଦନ ହୋଇପାରୁ ନାହିଁ ଓ ଓଡିଶାର ଲୋକଙ୍କର କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ପକେଟକୁ ଚାଲିଯାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here