Home Finance ମହଙ୍ଗା ପଡ଼ିପାରେ ହୋଲ୍ଡିଂ ଟିକସ ବୃଦ୍ଧି

ମହଙ୍ଗା ପଡ଼ିପାରେ ହୋଲ୍ଡିଂ ଟିକସ ବୃଦ୍ଧି


ଭୁବନେଶ୍ୱର : ହୋଲ୍ଡିଂ ଟିକସ ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସାଧାରଣ ଲୋକଙ୍କ ସମର୍ଥନ ଜୁଟାଉଥିବା ବେଳେ ଏ ପ୍ରସଙ୍ଗରେ ବିଜେଡି କିନ୍ତୁ ନିରବତା ଅବଲମ୍ବନ କରୁଛି । ଏହା ଆଗାମୀ ପୌର ନିର୍ବାଚନରେ ମହଙ୍ଗା ପଡ଼ିପାରେ ବୋଲି ଅନେକ ବିଜେଡି ନେତା ସ୍ୱୀକାର କରୁଛନ୍ତି ।

ପ୍ରାୟ ତିନିବର୍ଷ ଧରି ଭୁବନେଶ୍ୱର ମହାନଗର ନିଗମରେ ନିର୍ବାଚିତ ପରିଷଦ ନାହିଁ । ଏବେ ଅମଲାତନ୍ତ୍ରୀମାନଙ୍କ କବ୍‍ଜାରେ ମହାନଗର ନିଗମର ପ୍ରଶାସନ ରହିଛି । ଦୀର୍ଘବର୍ଷ ଧରି ରାଜଧାନୀରେ ହୋଲ୍ଡିଂ ଟିକସ ବଢ଼ାଯାଇ ନଥିବା ବେଳେ ଏଥର ନୂଆ ଫର୍ମୁଲାରେ ବର୍ଦ୍ଧିତ ଟିକସ ଲାଗୁ କରାଯିବାରୁ କରୋନା ମାଡ଼ରେ ଆହତ ଲୋକଙ୍କ ଉପରେ ପାହାଡ଼ ଲଦିହେବା ଭଳି ପରିସ୍ଥିତି ଉପୁଜିଛି । ଅନେକ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ ପୂର୍ବ ବର୍ଷମାନଙ୍କରେ ଯେଉଁମାନଙ୍କୁ ୭୦୦/୮୦୦ ଟଙ୍କାର ହୋଲ୍ଡିଂ ଟିକସ ଦେବାକୁ ପଡ଼ୁଥିଲା ସେମାନଙ୍କୁ ଏବେ ୮ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ କୁହାଯାଉଛି ।

ଏଭଳି ଟିକସ ବୃଦ୍ଧି ପ୍ରସ୍ତାବ କିଏ ଆଣିଲା ଓ ତାହା ଉପରେ କେବେ କେଉଁଠି ଲୋକଙ୍କ ଆପତ୍ତି ଅଭିଯୋଗ ଲୋଡ଼ି ଜନଶୁଣାଣି ହେଲା ତାହା ସାଧାରଣ ଲୋକ ତ ଦୂରର କଥା ବିଜେଡିର ପୂର୍ବତନ କର୍ପୋରେଟରମାନଙ୍କୁ ବି ଜଣାନାହିଁ । ବ୍ୟକ୍ତିଗତ ଭାବରେ ଅଧିକାଂଶ ପୂର୍ବତନ କର୍ପୋରେଟର ହୋଲ୍ଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ସମର୍ଥନ କରିପାରୁନଥିଲେ ମଧ୍ୟ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଖୋଲା ବିବୃତ୍ତି ଦେବାକୁ ଡରୁଛନ୍ତି ।

ଆଗରେ ମହାନଗର ନିଗମ ନିର୍ବାଚନ ଥିବାରୁ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରତିକୂଳ ପ୍ରଭାବ ସୃଷ୍ଟି କରିବ ବୋଲି ଦଳମତ ନିର୍ବିଶେଷରେ ରାଜନେତାମାନଙ୍କ ସହ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ତେବେ ଏ ପ୍ରସଙ୍ଗରେ ଠିକଣା ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଠିକଣା ନିଷ୍ପତ୍ତି ନେବେ ବୋଲି କେତେକ ବିଜେଡି ନେତା ଆଶବାଦୀ ଅଛନ୍ତି ।

କେବଳ ହୋଲ୍ଡିଂ ଟିକସ କି ସମ୍ପତ୍ତି କର ନୁହେଁ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟ ଜମି ହସ୍ତାନ୍ତର ଫି’ ବହୁଗୁଣିତ କରିଦେଇଛି । ଏହା ବି ଲୋକଙ୍କୁ ଢେର୍‍ ବାଧୁଛି । ସର୍ବକ୍ଷମା ଯୋଜନାରେ ବିଡିଏକୁ ଯେତେ ଆବେଦନ ହୋଇଥିଲା ସେଥିରୁ ଖୁବ୍‍ କମ୍‍ ଘଟଣାରେ କର୍ତ୍ତୃପକ୍ଷ ସମାଧାନ କରିଛନ୍ତି । ଏହା ବି ଜନ ଅସନ୍ତୋଷ ବୃଦ୍ଧିର ଅନ୍ୟ ଏକ କାରଣ । କେବଳ ଭୁବନେଶ୍ୱର ନୁହେଁ, ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ମଧ୍ୟ ହୋଲ୍ଡିଂ ଟିକସ ଢେର୍‍ ବଢ଼ାଇଛନ୍ତି ।

ଏ ପ୍ରସଙ୍ଗରେ ଏବେ ମାମଲା ଆଇନ୍‍ ଅଦାଲତକୁ ଗଲାଣି । କିନ୍ତୁ ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀମାନେ କହୁଛନ୍ତି ଯେ ଆଇନ୍‍ ସମ୍ମତ ଉପାୟରେ ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇଛି ଏବଂ ଲୋକେ ସ୍ୱେଚ୍ଛାକୃତ ଭାବରେ ବର୍ଦ୍ଧିତ ହୋଲ୍ଡିଂ ଟିକସ ଦେବାକୁ ଆରମ୍ଭ କରିଛନ୍ତି । ତେବେ ବିଜେପି ଓ କଂଗ୍ରେସ ନେତାମାନେ କିନ୍ତୁ ଲୋକଙ୍କୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ନ ଦେବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି । ବାସ୍ତବରେ ହୋଲ୍ଡିଂ ଟିକସ ରାଜନୀତି ଆସନ୍ତା ପୌର ନିର୍ବାଚନକୁ କେତେ ପରିମାଣରେ ପ୍ରଭାବିତ କରିବ ତାହା ଫଳାଫଳରୁ ଜଣାପଡ଼ିବ ।