Home Health ମଶା ନିୟନ୍ତ୍ରଣ ପାଇଁ କର୍ମଚାରୀ ନାହାନ୍ତି

ମଶା ନିୟନ୍ତ୍ରଣ ପାଇଁ କର୍ମଚାରୀ ନାହାନ୍ତି

ଭୁବନେଶ୍ୱର : ମଶା କାମୁଡାରେ ରାଜଧାନୀବାସୀ କଲବଲ ହେଉଥିବାବେଳେ ମଶା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନିକଟରେ କର୍ମଚାରୀ ନାହାନ୍ତି । ଏକାଧିକ ପଦବୀ ଖାଲି ପଡିଥିବାରୁ ମଶା ନିୟନ୍ତ୍ରଣ ତ ଦୂରରକଥା କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି ତାହା ବି ଠିକଣା ଭାବେ ଆକଳନ କରାଯାଇ ପାରୁନାହିଁ ।

ସହରରେ ମଶା ନିୟନ୍ତ୍ରଣ ପାଇଁ ବିଏମ୍‍ସିରେ ଯେତିକ ପଦ ପଦବୀ ରହିଛି ତାହା ପଚାଶ ବର୍ଷ ତଳେ ସୃଷ୍ଟି ହୋଇଥିଲା । ସେତେବେଳେ ସହରର ଜନସଂଖ୍ୟା ଅତି ନଗଣ୍ୟ ଥିବାବେଳେ ଏବ ୧୫ଲକ୍ଷ ଟପିଗଲାଣି । ସହରର ବଢି ବଢି ୬୭ ୱାର୍ଡରେ ପହଞ୍ଚିଲାଣି । ହେଲେ ପଚାଶ ବର୍ଷ ତଳେ ସୃଷ୍ଟି ହୋଇଥିବା ପଦ ପଦବୀ ବୃଦ୍ଧି ପାଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ବିଏମ୍‍ସିର ଏବେ ଗୋଟିଏ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ ପଦବୀ ଥିବାବେଳେ ଦୁଇଟି ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ, ୩ଟି ଫାଇଲେରିଆ ଇନ୍ସପେକ୍ଟର, ୧୫ଟି ସିନିୟର ଫିଲ୍ଡ ୱାର୍କର (ଏସ୍‍ଏଫ୍‍ଡବ୍ଳ୍ୟୁ) ପଦବୀ ରହିଛି । ଏଥି ସହିତ ଆଉ କିଛି ବୈଷୟିକ ଓ ଅନ୍ୟାନ୍ୟ ପଦବୀ ଅଛି । ତେବେ ମଶା ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏସ୍‍ଏଫ୍‍ଡବ୍ଲ୍ୟୁ ପଦବୀ । କାରଣ ଏହି କର୍ମଚାରୀମାନେ କ୍ଷେତ୍ର ସ୍ତରକୁ ଯାଇ ମଶାଙ୍କ ସ୍ଥିତି ଆକଳନ ସହିତ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଥାନ୍ତି । ହେଲେ ଏଥିପାଇଁ ମାତ୍ର ୧୫ଟି ପଦବୀ ଥିବାବେଳେ ସେଥିରୁ ୧୧ଟି ଖାଲି ପଡିଛି ।

ସେହିଭଳି ମଶା ସଂଗ୍ରହ ପାଇଁ ଥିବା ସମସ୍ତ ୭ଟି ପଦବୀରେ କେହି ନାହାନ୍ତି । ଏହି କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରୁ ମଶା ସଂଗ୍ରହଣ କରି ସେମାନଙ୍କର ପ୍ରଜାତି ଚିହ୍ନଟ ଓ ବଂଶ ବିସ୍ତାରର କ୍ଷମତା ଆକଳନ କରି ରିପୋର୍ଟ ଦେଇଥାନ୍ତି । ସେହି ରିପୋର୍ଟ ଆଧାରରେ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ବଏମ୍‍ସିରେ ଜଣେ ହେଲେ ମଶା ସଂଗ୍ରହକାରୀ ନଥିବାରୁ ଉପରିସ୍ଥ ଅଧିକାରୀମାନେ ମଶାବଂଶ ସଂକ୍ରାନ୍ତରେ ଏବେ ଏକ ପ୍ରକାର ଅନ୍ଧାରରେ । ସେହିଭଳି ସିନିୟର ହେଲପର ପାହ୍ୟାରେ ୧୨ଟି ପଦବୀ ଥିବାବେଳେ ଏଥିରୁ ୮ଟି ଖାଲି ପଡିଛି । ଗୋଟିଏ ପରୀକ୍ଷାଗାର ପଦବୀ ଥିବାବେଳେ ସେଥିରୁ ବି ଗୋଟିଏ ଖାଲି ପଡିଛି ।

ଅନ୍ୟାନ୍ୟ ପଦବୀ ମଧ୍ୟରେ ଦୁଇଟି ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ ପଦବୀରୁ ଗୋଟିଏ ଓ ୩ଟି ଫାଇଲେରିଆ ଇନ୍ସପେକ୍ଟର ପଦବୀରୁ ଗୋଟିଏ ଖାଲି ରହିଛି । ବଏମ୍‍ସି ଅଞ୍ଚଳରେ ହୁ ହୁ ହୋଇ ଜନସଂଖ୍ୟା ସହିତ ବସ୍ତି ସଂଖ୍ୟା ବଢୁଥିବାବେଳେ ଏତିକି ସଂଖ୍ୟକ କର୍ମଚାରୀ ମଶା ନିୟନ୍ତ୍ରଣ କରିବା ସମ୍ଭବପର ହେଉନାହିଁ । ଯାହା ଫଳରେ ଏବେ ସହରରେ ବାରମ୍ବାର ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ମୁଣ୍ଡ ଟେକୁଛନ୍ତି ।

ଅବସ୍ଥା ଏଭଳି ହୋଇଛି ଯେ ବିଏମ୍‍ସି ପକ୍ଷରୁ ମଶା ନିୟନ୍ତ୍ରଣ ପାଇଁ ଲାର୍ଭା ନଷ୍ଟ କରୁଥିବା ମଶା ତେଲ କିଣାଯାଇ ପାରୁନାହିଁ । କ୍ଷେତ୍ର ସ୍ତରକୁ ଅଧିକାରୀମାନେ ଯାଉନଥିବାବେଳେ ତେଲ ପକାଇବା ଦାୟିତ୍ୱରେ ଥିବା ଠିକା କର୍ମଚାରୀମାନେ ହାତବାନ୍ଧି ବସୁଛନ୍ତି । ତେଣୁ ସହରର ଏମୁଣ୍ଡରୁ ସେମୁଣ୍ଡ ଏବେ ମଶାଙ୍କ ରାଜୁତି ଚାଲୁଥିବାବେଳେ ଜନଂସଖ୍ୟାର ଆବଶ୍ୟକତାକୁ ଚାହିଁ ଅଧିକ ପଦବୀ ସୃଷ୍ଟି ଓ ସେଗୁଡିକ ପୂରଣ ଲାଗି ମତପ୍ରକାଶ ପାଉଛି । (ତଥ୍ୟ)