Home Health ମଶାବତୀ ଜାଳିବାକୁ ପରାମର୍ଶ

ମଶାବତୀ ଜାଳିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ବେକାକୁ ଡେଙ୍ଗୁକୁ କାବୁ କରିବାପାଇଁ ଲୋକଙ୍କୁ ପରିବେଶ ଅନୁକୂଳ ମଶାବତୀ ଜଳାଇବା ସହିତ ନିଜ ଘରର ଝରକା ଓ କବାଟରେ ସରୁ ଜାଲ ଲଗାଇବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ପରମର୍ଶ ପରେ ଲୋକେ ଏବେ ବଜାରରେ ପରିବେଶ ଅନୁକୂଳ ମଶାବତୀ ଖୋଜୁଥିବାବେଳେ ସହରକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ପୌରସଂସ୍ଥାଗୁଡିକ ସେଭଳି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ଡେଙ୍ଗୁ ମୁକାବିଲା ପାଇଁ ବିଭିନ୍ନ ପ୍ରଶାସନ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରୁଛି । ଏହା ମଧ୍ୟରେ ରହିଛି ଲୋକଙ୍କୁ ସଚେତନ । ଏଥିପାଇଁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବା ସହିତ ରାତି ପାହିଲେ ଡେଙ୍ଗୁ ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରରେ ମାଇକ୍‍ରେ ଗୀତ ବଜାଇ ସଚେତନ କରାଯାଉଛି । ତେବେ ଲୋକଙ୍କୁ ଅଧିକ ସଚେତନ କରିବାପାଇଁ ଏବେ ସ୍ୱାସ୍ଥ୍ୟବିଭାଗ ମୋବାଇଲ୍‍ରେ ଓଡିଆ ଭାଷାରେ ମେସେଜ ପଠାଇବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଠାଯାଉଥିବା ମେସେଜରେ ପରାମର୍ଶ ଦିଆଯାଉଛି ଯେ ମଶା କାମୁଡାରୁ ଡେଙ୍ଗୁ ବ୍ୟାପୁଥିବାବେଳେ ଏଥିରୁ ରକ୍ଷା ପାଇବାପାଇଁ ଲୋକେ ପରିବେଶ ଅନୁକୂଳ ମଶାବତୀ ଜଳାନ୍ତୁ । ତେବେ ଏହି ପରିବେଶ ଅନୁକୂଳ ମଶାବତୀ କେଉଁଠି ମିଳିବ ଓ ଏହାର ଦର କେତେ ସେ ନେଇ କୌଣସି ସୂଚନା ନାହିଁ । ତେବେ ସରକାର କହିବାପରେ ଲୋକେ ଏବେ ଦୋକାନ ଦୋକାନ ବୁଲି ଏଭଳି ମଶାବତୀ ଖୋଜୁଛନ୍ତି ।

ସେହିଭଳି ସରକାରୀ ବାର୍ତ୍ତାରେ ଡେଙ୍ଗୁ ମୁକାବିଲା ପାଇଁ ନିଜ ଘରର ଝରକାରେ ମଶା ପ୍ରବେଶ କରିପାରୁନଥିବା ସରୁ ଜାଲ ଲଗାଇବାକୁ ବି ପରାମର୍ଶ ଦିଆଯାଇଛି । ତେବେ ଡେଙ୍ଗୁରେ ଅଧିକ ପ୍ରଭାବିତ ହେଉଥିବା ସହରାଞ୍ଚଳର ବସ୍ତିଲୋକେ ଅର୍ଥାଭାବ ଦୃଷ୍ଟିରୁ ଏହାକୁ ଲଗାଇ ପାରିବେ ନାହିଁ ବୋଲି ମତ ଦେବା ସହିତ ସରକାର ଯେଭଳି ମ୍ୟାଲେରିଆ ମୁକାବିଲା ପାଇଁ ମାଗଣାରେ ଔଷଧଯୁକ୍ତ ମଶାରୀ ଯୋଗାଉଥିଲେ ସେହିଭଳି ଡେଙ୍ଗୁ ମୁକାବିଲା ପାଇଁ ମଶାରୀ ଓ ସରୁ ଜାଲ ଯୋଗାଇ ଦେବାପାଇଁ ମତ ଦେଉଛନ୍ତି ।

ତେବେ ସରକାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାପାଇଁ ବାରମ୍ବାର ସେସେଜ ଦେଉଥିବାବେଳେ ଡେଙ୍ଗୁର ହଟ୍‍ସ୍ପଷ୍ଟ କୁହାଯାଉଥିବା ଭୁବନେଶ୍ୱରରେ କିନ୍ତୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅଳିଆକୁ ଗୋଟିଏ ସ୍ଥାନରୁ ନେଇ ଆଉଗୋଟିଏ ସ୍ଥାନରେ ଗଦାଉଛନ୍ତି । ପରେ ତାହାକୁ ଉଠାଉଛନ୍ତି । ଏଭଳି ଆବର୍ଜନା ଗଦା କରିବା ଓ ଉଠାଇବା ମଶାମାନଙ୍କୁ ବଂଶବିସ୍ତାର ପାଇଁ ବେଶ୍‍ ସହାୟକ ହେଉଛି ।

କେବଳ ଅଳିଆ ଉଠା ନୁହେଁ ସହରର ଅଧିକାଂଶ ୱାର୍ଡର ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାମାନେ ଅଧିକ ଲାଭ ଆଶାରେ ନିୟମିତ ଝାଡୁ ମାରୁନାହାନ୍ତି କି ଘାସ ବି କାଟୁ ନାହାନ୍ତି । ଏମାନଙ୍କ ତଦାରଖ ପାଇଁ ଥିବା ଜୋନ୍‍ ଅଫିସର, ୱାର୍ଡ ଅଫିସର ଓ ସାନିଟାରୀ ଅଫିସରମାନେ କୌଣସି କାରଣରୁ ଅଧିକାଂଶ ୱାର୍ଡରେ ଏକ ପ୍ରକାର ମୂକଦର୍ଶକ ସାଜିଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)