Home General ମନ ଇଚ୍ଛା ଅଳିଆ ଫିଙ୍ଗା

ମନ ଇଚ୍ଛା ଅଳିଆ ଫିଙ୍ଗା

ଭୁବନେଶ୍ୱର : ରାଜଧାନୀରେ ଅଳିଆ ଆବର୍ଜନା ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସଚେତନ କରିବା ସହିତ ଯେତେ ନାଲିଆଖି ଦେଖାଇଲେ ବି ଅନେକ ସହରବାସୀ ସଚେତନ ହେଉ ନାହାନ୍ତି । ଘରକୁ ଘର ବୁଲି ବୁଲି ବୁଝାଇଲା ପରେ ଲୋକେ ଯିଏ ଯେଉଁଠି ପାରୁଛନ୍ତି ଅଳିଆ ଫିଙ୍ଗୁଛନ୍ତି ।

ସହରରେ ଏବେ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ ହେଉଥିବାବେଳେ ସବୁଜ ବର୍ଜ୍ୟ ଏବେ ବିଏମ୍‍ସି ପାଇଁ ଚିନ୍ତାର କାରଣ ପାଲଟିଛି । ସହରରୁ ସବୁଜ ବର୍ଜ୍ୟ ଉଠାଇବାକୁ କର୍ତ୍ତୃପକ୍ଷ ଦେୟମୁକ୍ତ କରିଥିବାବେଳେ ଏଥିପାଇଁ କିଛି ନିୟମ କରିଛନ୍ତି । ହେଲେ ଦେୟମୁକ୍ତ ସୂଚନା ପାଇବାପରେ ରାସ୍ତାକଡରେ ଗଛ, ପତ୍ର, ଡାଳ ସହିତ ଅନ୍ୟାନ୍ୟ ଅଳିଆ ଜମା କରିବାରେ ଲାଗିଛନ୍ତି, ଯାହାକୁ ନିୟମିତ ଭାବେ ଉଠାଇବା କାଠିକର ପାଠ ହେବାରେ ଲାଗିଛି ।

ବିଏମ୍‍ସିର ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କ ବାଡି ବଗିଚାରୁ ସବୁଜ ବର୍ଜ୍ୟ ବାହାରିବ ସେମାନେ ଏହାକୁ ଉଠାଇବାପାଇଁ ସଫା ଆପ୍‍ ଜରିଆରେ ସୂଚୀତ କରିବେ । ଏଥିପାଇଁ ସ୍ଥାନ ଓ ସମୟ ଦେବେ । ସେହି ସମୟରେ ବିଏମ୍‍ସି କିମ୍ବା ସଫେଇ ଦାୟିତ୍ୱରେ ଥିବା ସଂସ୍ଥାର ଗାଡି ଆସି ତାହାକୁ ଉଠାଇ ନେବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହେଲେ ଲୋକେ ଏହି ନିୟମକୁ ପାଳନ କରୁନାହାନ୍ତି । କଦଳୀ ଗଛ ଠାରୁ ଘାସ ପର୍ଯ୍ୟନ୍ତ ଯାହା ପାରିଲେ ଆଣି ରାସ୍ତା ଉପରେ ଗଦାଇବାରେ ଲାଗିଛନ୍ତି । ସୂଚନା ନଥିବାରୁ ଏହାକୁ ଉଠାଇବାପାଇଁ ଅଳିଆବୁହା ଗାଡିକୁ ଦିନ ଦିନ ଲାଗି ଯାଉଛି ସେହିସବୁ ସବୁଜବର୍ଜ୍ୟ ରାସ୍ତାକଡରେ ଗଦାହୋଇ ରହୁଛି ।

ଗୋଟିଏ ସ୍ଥାନରେ କିଛି ଦିନ ଡାଳ, ପତ୍ର ଆଦି ଗଦା ହେବାପରେ ସେହି ସ୍ଥାନରେ ଲୋକେ ଆଣି ଅନ୍ୟାନ୍ୟ ଆବର୍ଜନା ଫିଙ୍ଗିବାରେ ଲାଗୁଛନ୍ତି । ଫଳରେ ଉକ୍ତ ସ୍ଥାନଟି ଧିରେ ଧିରେ ଛୋଟ ଆବର୍ଜନା ଗଦା ସ୍ଥାନରେ ପରିଣତ ହେଉଛି । ଯେତେବେଳେ ଏହା ସାନିଟାରୀ ଇନ୍ସପେକ୍ଟରଙ୍କ ନଜରରେ ପଡୁଛି କିମ୍ବା ସ୍ଥାନୀୟ ଲୋକେ ବିଏମ୍‍ସିକୁ ଅବଗତ କରୁଛନ୍ତି ସେତେବଳେ ଯାଇ ଏହା ଉଠୁଛି ।

ତେବେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ଯେଉଁ ଯୋଜନା ହୋଇଛି ସେଥିରେ ଏବେ ଜବରଦଖଲ ବିଶେଷକରି କନଜରଭେନ୍ସିଂରେ ହୋଇଥିବା ଘରଗୁଡିକ ସମସ୍ୟା ସୃଷ୍ଟି କରୁଛନ୍ତି । ସେହିସବୁ ସ୍ଥାନରେ ରହୁଥିବା ଲୋକେ ସହଜରେ ଅଳିଆ ଗାଡିର ସୂଚନା ପାଉନାହାନ୍ତି କିମ୍ବା ପାଇଲେ ମଧ୍ୟରେ ଗଳିରୁ ବାହାରି ଠିକଣା ସମୟରେ ଅଳିଆ ଦେଉ ନାହାନ୍ତି । ପରବର୍ତ୍ତୀ ସମୟରେ ସେହିସବୁ ଅଳିଆକୁ ନେଇ ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଗଦାଉଛନ୍ତି ଓ ଏହାକୁ କୁକୁରମାନେ ଏଣେ ତେଣେ ପକାଇବାରେ ଲାଗିଛନ୍ତି ।

ତେବେ ଇତି ମଧ୍ୟରେ କନଜରଭେନ୍ସିରୁ ଜବରଦଖଲ ହଟାଇବାପାଇଁ କେତେକ ୟୁନିଟ୍‍ରେ ସାନିଟାରୀ ଇନ୍ସପେକ୍ଟରମାନେ ବିଏମ୍‍ସିକୁ ଅବଗତ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଏହିସବୁ ସ୍ଥାନରେ ଜବରଦଖଲ ଥିବା ଯୋଗୁଁ ବିଏମ୍‍ସିର ଟାଇଲ୍‍ ବିଛା କାର୍ଯ୍ୟ ଆଗେଇ ପାରୁନାହିଁ । ଏହା ଦାୟିତ୍ୱରେ ବିଏମ୍‍ସିର ଜଣେ ସ୍ୱତନ୍ତ୍ର ଅଧିକାରୀ ଥିବାବେଳେ କର୍ତ୍ତୃପକ୍ଷ ଜବରଦଖଲ ହଟାଇବାପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଏବେ ଆଲୋଚନାର ବିଷୟ ପାଲଟିଛି । (ତଥ୍ୟ)