Home General ମନରେଗା ମଜୁରି ଆଉ ୫୦ ଟଙ୍କା ବଢିଲା

ମନରେଗା ମଜୁରି ଆଉ ୫୦ ଟଙ୍କା ବଢିଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ଯେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଗଲା। ଏହା ହିତାଧିକାରୀଙ୍କ ବ୍ଯାଙ୍କ ଆକାଉଣ୍ଟ ରେ ଜମା କରାଗଲା   । ଏହାଦ୍ବାରା ପ୍ରତ୍ଯେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଲେ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଗରିବ ଲୋକଙ୍କ ପାଇଁ ମୋ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ  କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଏବଂ ଆଜିର ଏହି ସହାୟତା ସେମାନଙ୍କ ପରିବାରର ଆର୍ଥିକ ଅସୁବିଧା ଦୂର କରିବାରେ ସାହାଜଯ କରିବା ବୋଲି ଆଶା ପ୍ରକାଶ କରିଥିଲେ ।  ଗରିବ ଲୋକଙ୍କ ପାଇଁ ଏହିପରି ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଗରିବ ଲୋକଙ୍କ ରୋଜଗାର ଦେବା  ପାଇଁ  କାମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କୋଭିଡର ଦ୍ଵିତୀୟ ଲହରରେ  ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ  ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ୩୫୨ କୋଟି ଟଙ୍କାର ସହାୟତା ରହିଛି । ମନରେଗା ରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ ରଖା ଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଗତ ଏକ ବର୍ଷ ଧରି ଆମର କୋଭିଡ ଲଢେଇ ମଧ୍ୟରେ ଲକଡାଉନ ସଟଡାଉନ ଯୋଗୁଁ ଗରିବ ଲୋକଙ୍କ ରୋଜଗାର କମିଛି । ତେଣୁ ଲୋକଙ୍କ ଜୀବିକା ଉପରେ ଧ୍ୟାନ ଦେଇ ରାଜ୍ୟ ସରକାର ଚାଷୀ , ଶ୍ରମିକ , ଦୁଗ୍ଧ ଚାଷୀ , ଉଠା ଦୋକାନୀ ସମସ୍ତଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ଯାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ । କରୋନାର ଦ୍ଵିତୀୟ  ଲହର ସମ୍ପୁର୍ଣ୍ଣ ଶେଷ ହୋଇନାହିଁ ବୋଲି ଦୋହରାଇ ସେ ସମସ୍ତଙ୍କୁ ଟୀକା ନେବାକୁ ଓ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଥିଲେ।

ଏହି ଅବସରରେ ପଞ୍ଚାଯତରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗରିବ  କୃଷକ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ କରିବ ବୋଲି ସେ କହିଥିଲେ  ।

ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ରାଉରକେଲା ବିଧାୟକ ସାରଦା ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିକାଶ ଓ ଜନ କଲ୍ଯାଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର ମନରେଗା ଶ୍ରମିକ ମାନେ ଭିଡିଓ କନଫରେନସିଙ୍ଗ ଯୋଗେ ଯୋଡି ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି  କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର , କୃଷି ଉତ୍ପାଦନ କମିଶନର, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ  ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।