Home General ମଧୁ ସ୍ମାରକୀରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି

ମଧୁ ସ୍ମାରକୀରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ପର୍ଯ୍ୟଟନ ବିଭାଗ ନିର୍ମାଣ କରିଥିବା ସ୍ମାରକୀ ଗୃହ ଛାତରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି । ସ୍ଥାନୀୟ ଲୋକେ କହୁଛନ୍ତି ଏହି କାମରେ ରାଜ୍ୟ ସରକାରଙ୍କର ପ୍ରାୟ ୨କୋଟି ଟଙ୍କା ପାଣିରେ ପଡିଛି ।

ଦୀର୍ଘବର୍ଷ ଧରି ସତ୍ୟଭାମାପୁର ଠାରେ ମଧୁସ୍ମୃତି ସଂଗ୍ରହାଳୟ ନିର୍ମାଣ ପାଇଁ ଦାବିହୋଇ ଆସୁଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିପ୍ରତି ଆଗ୍ରହ ପ୍ରକାଶ କରିବାରେ ପର୍ଯ୍ୟଟନବିଭାଗ ଏଠାରେ ସ୍ମାରକୀ ନିର୍ମାଣ କାମ ହାତକୁ ନେଇଥିଲା । ୨୦୧୮ରୁ ଏଥିପାଇଁ ଅର୍ଥ ବରାଦ ହୋଇଥିଲା । ତିନିବର୍ଷ ମଧ୍ୟରେ ବଖରାଏ ଘର ସହିତ ଗାଧୁଆଘର ଏବଂ ରାସ୍ତାରେ ପଥର ବିଛେଇ ହୋଇଛି । ଏହାଛଡା ମଧୁବାବୁଙ୍କ ପୈତୃକ ଗୃହ ପରିସରରେ ଥିବା ରସକୁଣ୍ଡ ପୁଷ୍କରିଣୀର ଚାରିପଟେ ମଧ୍ୟ ପଥର ପ୍ୟାକିଂ ଦିଆଯାଇଛି ।

ନିର୍ମାଣ କାମାପାଇଁ ପୁରୁଣା ଘରର ପ୍ରାୟ ଶହେଫୁଟ ପାଚେରୀ ତିନିଟି ଜାଗାରେ ଭାଙ୍ଗି ଦିଆଯାଇଥିବାବେଳେ ତାହାର ମରାମତି ହେଉନାହିଁ । ରାସ୍ତାପାଇଁ ଯେଉଁ ପଥର ବିଛାଯାଇଛି ତାହା ଉପରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ଏହି ପାଣି କୁଆଡେ ଖଲାସ ହେବ ସେ ସମ୍ପର୍କର କାହା ପାଖରେ କିଛି ଉତ୍ତର ନାହିଁ ।

ମଧୁବାବୁଙ୍କ ଜନ୍ମତିଥିରେ ଗତ ଏପ୍ରିଲ ମାସରେ ଏହି ପ୍ରକଳ୍ପର ଉଦଘାଟନ ହେବବୋଲି ଶୁଣାଯାଉଥିଲା । ତେବେ କାମ ସରିନଥିବାରୁ ଉଦଘାଟନ ଉତ୍ସବ ହୋଇପାରିନାହିଁ । ସଂଗ୍ରହାଳୟ ପାଇଁ ଯେଉଁ ନୂଆ ଘର ନିର୍ମାଣ କରାଯାଇଛି ତାହା ବାହାରକୁ ବେଶ୍‍ ଚକଚକିଆ ଦେଖାଯାଉଥିବାବେଳେ ଛାତ ଉପରେ କିନ୍ତୁ ବର୍ଷାପାଣି ଜମି ରହୁଛି । କେବଳ ସେତିକି ନୁହେଁ ଛାତରୁ ପାଣି କାନ୍ଥ ଦେଇ ଘର ଭିତରେ ଲହଡି ଭାଙ୍ଗୁଛି ।

ନିକଟରେ ମଧୁବାବୁଙ୍କ ଜନ୍ମପୀଠ ଦେଖିବାକୁ ଯାଇଥିବା କେତେକ ବିଶିଷ୍ଟ ବ୍ୟକ୍ତି ସତ୍ୟଭାମାପୁରରୁ ଫେରି ଏଭଳି ବକ୍ତବ୍ୟ ରଖିବା ସଂଗେ ସଂଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପର୍ଯ୍ୟଟନ ସଚିବ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଜନକ ମଧୁବାବୁ ଓଡିଆ ଭାଷା ଓ ଓଡିଶା ରାଜ୍ୟପାଇଁ ତାଙ୍କର ସବୁକିଛି ଦେଇ ଦେବାଳିଆ ହୋଇଥିଲେ । ଏମିତିକି ବିହାର-ଓଡିଶା ସରକାରରେ ସେ ପ୍ରଥମ ଓଡିଆ ମନ୍ତ୍ରୀ ଥିବାବେଳେ ବେତନ ନନେଇ କାମ କରୁଥିଲେ ।

ଏଭଳି ଜଣେ କ୍ରାନ୍ତିକାମୀ ଜ୍ଞାନି ପୁରୁଷଙ୍କ ସ୍ମୃତିପୀଠ ନିର୍ମାଣରେ ଅହେତୁକ ବିଳମ୍ବ ତଥା ନିମ୍ନମାନର ବେପରୁଆ କାମ ହୋଇଥିବା ଘେନି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । କେବଳ ସେତିକି ନୁହେଁ, ମଧୁବାବୁଙ୍କ ଜନ୍ମପୀଠରେ କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକ ନିଧିର ନାରୀକର୍ମୀମାନଙ୍କ ସହ କନ୍ୟାଶ୍ରମର ବାଳିକାମାନେ ରହୁଛନ୍ତି । ସ୍ମାରକୀ ସୌଧ ନିର୍ମାଣ ଆଳରେ ପାଚେରୀ ଭାଙ୍ଗି ଦିଆଯିବା ଯୋଗୁଁ ସେମାନଙ୍କ ନିରାପତ୍ତା ପ୍ରତି ମଧ୍ୟ ବିପଦ ରହୁଥିବା କୁହାଯାଉଛି । (ତଥ୍ୟ)