Home General ମଧୁବାବୁଙ୍କ ସମ୍ପତ୍ତି ହାତେଇବାକୁ ଷଡ଼ଯନ୍ତ୍ର

ମଧୁବାବୁଙ୍କ ସମ୍ପତ୍ତି ହାତେଇବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ଥିବା ଭୂସମ୍ପତ୍ତିକୁ ଅକ୍ତିଆର କରିବା ପାଇଁ ଏବେ କିଛି ବ୍ୟକ୍ତି ଅଣ୍ଟା ଭିଡ଼ୁଛନ୍ତି । ଏଥିପାଇଁ ସେମାନେ ସରକାରୀ କଳକୁ ପାହାଚ କରି ଲୁଟିବାର ଶିଢ଼ି ଚଢ଼ିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଘେନି ଗୁରୁତର ଅଭିଯୋଗ ହେଉଛି ।

ଅତୀତରେ ଥରେ ମଧୁବାବୁଙ୍କ ପୈତୃକ ଭୂସମ୍ପତ୍ତିର ମୁଖ୍ୟାଂଶ ବିକ୍ରିି ହେବା ପାଇଁ ସ୍ଥିର ହୋଇସାରିଥିଲା । ତେବେ ମଧୁବାବୁଙ୍କ ନିଜ ଝିଆରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମା’ ରମାଦେବୀଙ୍କ ଉଦ୍ୟମ କ୍ରମେ ତାହା ବିକ୍ରି ହେଲେ ମଧ୍ୟ ସୁରକ୍ଷିତ ରହିପାରିନି । ବଜାଜ ପରିବାର, ବିଶିଷ୍ଟ ସଂଗ୍ରାମୀ ମାଭେଲକରଙ୍କ ସମେତ କେତେକଙ୍କୁ ଗାନ୍ଧୀଜୀ କହିଥିଲେ ଯେ ସମାଜସେବା ପାଇଁ ରମାଦେବୀ ଓ ତାଙ୍କ ପରିବାର ଯେପରି ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ତାହା ଖୁବ୍‍ କ୍ୱଚିତ ଦେଖିବାକୁ ମିଳେ । ତେଣୁ କୌଣସି କାମ ପାଇଁ ଯେତେବେଳେ ରମାଦେବୀ ସହଯୋଗ ଲୋଡ଼ିବେ ତାହା ସେମାନେ ଯେମିତି ପୂରଣ କରନ୍ତି । ମଧୁବାବୁଙ୍କ ପୈତୃକ ଭୂସମ୍ପତ୍ତିକୁ ରକ୍ଷା କରିବା ପାଇଁ ରମାଦେବୀ ମାଭେଲକରଙ୍କୁ ନିବେଦନ କରିଥିଲେ ।

ମାଭେଲକର ସ୍ୱାଧୀନତା ପରେ ଲୋକସଭାର ବାଚସ୍ପତିଙ୍କ ସହିତ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସେ ଯୋଗାଡ଼ କରିଥିବା ଅର୍ଥରେ ମଧୁବାବୁଙ୍କ ପୈତୃକ ଭୂସମ୍ପତ୍ତିକୁ ଗାନ୍ଧୀ ସ୍ମାରକ ନିଧି ନାଁରେ କିଣାଯାଇ ସାମାଜିକ କାର୍ଯ୍ୟକଳାପ ପାଇଁ ସେହିଦିନଠାରୁ ସୁରକ୍ଷିତ ରଖାଯାଇଛି । ରମାଦେବୀଙ୍କ ଉଦ୍ୟମ କ୍ରମେ ସତ୍ୟଭାମାପୁରର ଏହି ଐତିହାସିକ ଘରେ ସେହି ସମୟରେ କସ୍ତୂରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧିର ରାଜ୍ୟଶାଖା ମୁଖ୍ୟ ଦପ୍ତର ଚାଲିଛି ।

ଏଠାରେ ଆଉ ଅନେକ କାର୍ଯ୍ୟକ୍ରମ ମଧ୍ୟ ହୋଇଆସୁଛି । ଏହି ପରିସର ମଧ୍ୟରେ ଉତ୍କଳ ମଧୁସୂଦନ, ମହାତ୍ମା ଗାନ୍ଧୀ, କସ୍ତୂରବା ଆଦିଙ୍କ ପ୍ରତିମୂର୍ତ୍ତି ରହିଛି । ଏହାଛଡ଼ା କସ୍ତୂରବା ନିଧି ଏଠାରେ ଥିବା ମଧୁବାବୁଙ୍କ ଏନ୍ତୁଡ଼ିଶାଳ ଚାଳଘରଟିକୁ ମଧ୍ୟ ସଂରକ୍ଷିତ କରି ରଖିଛି । ମଧୁବାବୁଙ୍କ ସହ ଘନିଷ୍ଠ ସମ୍ପର୍କକୁ ମନେପକାଇ ତାଙ୍କ ଆବର୍ତ୍ତମାନରେ ଗାନ୍ଧୀଜୀ ୧୯୩୪ର ପଦଯାତ୍ରା ବେଳେ ସତ୍ୟଭାମାପୁର ଆସି ମଧୁବାବୁଙ୍କ ପୈତୃକ ଗୃହର ଛାତ ଉପରେ ମୁକ୍ତାକାଶ ତଳେ ରାତ୍ରିଯାପନ କରିଥିଲେ । ସେହି ସ୍ଥାନଟିକୁ ଏବେ ମଧ୍ୟ ଜାତିପ୍ରେମୀମାନଙ୍କୁ ଉତ୍ସାହିତ କରେ ।

ରାଜ୍ୟ ସରକାର ସତ୍ୟଭାମାପୁରରେ ମଧୁ ସ୍ମାରକୀ ସଂରକ୍ଷଣ ପାଇଁ ଉଦ୍ୟମ କରିବା ବେଳେ କସ୍ତୂରବା ଗାନ୍ଧୀ ସ୍ମାରକ ନିଧି ମଧୁବାବୁଙ୍କ ପୈତୃକ ଜମିରୁ କିଛି ଅଂଶରେ ନିର୍ମାଣ ଓ ରକ୍ଷଣାବେକ୍ଷଣ କାମ ପାଇଁ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟ ସରକାର ସେଠାରେ କେତେ ବଖରା ଘର ନିର୍ମାଣ ସହ ସେଠାରେ ମଧୁବାବୁଙ୍କ ଆକର୍ଷଣୀୟ ସ୍ମାରକୀ ରଖିବାକୁ କାର୍ଯ୍ୟ ଚଳାଇଛନ୍ତି । ଏହାଛଡ଼ା ନିଧି ପରିସରରେ ଥିବା ରସକୁଣ୍ଡ ପୁଷ୍କରିଣୀ ଓ ରାସ୍ତାଘାଟର ମଧ୍ୟ ସଂରକ୍ଷଣ କରାଯାଇଛି । ଏବେ ନିର୍ମାଣ କାର୍ଯ୍ୟ ସରିବା ପରେ ମଧୁବାବୁଙ୍କ ଜନ୍ମଦିନ ଏପ୍ରିଲ୍‍ ୨୮ରେ ଏହି ପ୍ରକଳ୍ପର ଲୋକାର୍ପଣ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କରିବାକୁ ଯାଉଛନ୍ତି ।

ସରକାରୀ ଖର୍ଚ୍ଚରେ ନିଧି ପରିସରରେ ଥିବା ମଧୁବାବୁଙ୍କ ପୈତୃକ ଜାଗାରେ ସରକାର ନିର୍ମାଣ କରିଥିବା ଘରକୁ ନିଜ କବ୍‍ଜାକୁ ନେବା ପାଇଁ ଏବେ ବିଭିନ୍ନ ରାଜନୈତିକ ଗୋଷ୍ଠୀ ପକ୍ଷରୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏମିତିକି ଏହି ନୂଆ ଘର ପାଇବାର ଲୋଭ ରଖି କେତେକ କଟକ ଜିଲ୍ଲାପାଳଙ୍କ ଦପ୍ତରଠାରୁ ଆରମ୍ଭ ରାଜଧାନୀର ରାଜନେତା ଓ ବିଭିନ୍ନ ସରକାରୀ ଦପ୍ତରରେ ଚକ୍କର କାଟୁଛନ୍ତି । ଏହି ପ୍ରକଳ୍ପକୁ ସରକାର ନିଜ ତତ୍ତ୍ୱାବଧାନରେ ଚଳାଇବା କିମ୍ବା କସ୍ତୂରବା ନିଧି ହାତରେ ଛାଡ଼ିଦେବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ମତପ୍ରକାଶ ପାଉଛି । (ତଥ୍ୟ)