Home General ମଧୁବାବୁଙ୍କ ସମ୍ପତ୍ତି ଦଖଲ ପାଇଁ ଲୋଲୁପ ଦୃଷ୍ଟି

ମଧୁବାବୁଙ୍କ ସମ୍ପତ୍ତି ଦଖଲ ପାଇଁ ଲୋଲୁପ ଦୃଷ୍ଟି

ଭୁବନେଶ୍ୱର : ଓଡ଼ିଆ ଜାତୀୟତାର ଜନକ ଭାବେ ଅଗ୍ରଗଣ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶା ପାଇଁ ଦେବାଳିଆ ହୋଇଥିଲେ ବି ଅନ୍ୟର ସମ୍ପତ୍ତି ଆହରଣ କରୁନଥିଲେ । କିନ୍ତୁ ତାଙ୍କ ମୃତ୍ୟୁର ୮୮ବର୍ଷ ପରେ ତାଙ୍କ ପୈତୃକ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବା ପାଇଁ କେତେକ ଗୋଷ୍ଠୀ ସକ୍ରିୟ ଉଦ୍ୟମ ଚଳାଇଥିବା ଘେନି ଗୁରୁତର ଅଭିଯୋଗ ହେଉଛି ।

ମଧୁବାବୁଙ୍କ ଏନ୍ତୁଡିଶାଳ ଏବେବି କଟକ ନିକଟବର୍ତ୍ତୀ ସତ୍ୟାଭାମାପୁର ଗାଁରେ କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକ ନିଧି ଦ୍ୱାରା ସଂରକ୍ଷିତ ହୋଇ ରହିଛି । ଚାଳ ଛପର ଥିବା ଝାଟିମାଟିର ଏହି ଘରକୁ ଜାତୀୟତା ପ୍ରେମୀମାନେ ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରନ୍ତି । ମଧୁବାବୁଙ୍କ ସାନଭାଇ ବିଶିଷ୍ଟ ଔପନ୍ୟାସିକ ତଥା ପ୍ରଶାସନିକ ଅଧିକାରୀ ଗୋପାଳ ବଲ୍ଲଭ ଦାସଙ୍କ ଝିଅ ମା’ ରମାଦେବୀ ।

ଏହି ଘରେ ରମାଦେବୀ ବି ବଢ଼ିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାରେ ତାଙ୍କ ପଦଯାତ୍ରା ବେଳେ ୧୯୩୪ ମଇ ମାସରେ ସତ୍ୟଭାମାପୁର ଆସି ମଧୁବାବୁଙ୍କ ପୈତୃକ ଗୃହର ଖୋଲା ଛାତ ଉପରେ ରାତ୍ରିଯାପନ କରିଥିଲେ । ଏହା ପୂର୍ବରୁ ୧୯୨୫ ଓ ୧୯୨୭ ମସିହାରେ ଗାନ୍ଧୀ ତାଙ୍କ କଟକ ଗସ୍ତ ବେଳେ କଟକସ୍ଥିତ ମଧୁସ୍ମୃତିରେ ମଧୁବାବୁଙ୍କ ଆତିଥେୟତା ନେଇଥିଲେ । ତାଙ୍କ ପାଳିତା କନ୍ୟା ଶୈଳବାଳା ଏହି ଗୃହକୁ ମହିଳା କଲେଜ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ହାତରେ ଟେକି ଦେଇଥିଲେ । ସେଇଠି ଏବେ ଶୈଳବାଳା ମହିଳା କଲେଜ ଚାଲୁଛି ।

ମଧୁବାବୁଙ୍କ ବିୟୋଗର ଦୁଇ ଦଶନ୍ଧି ପରେ ସତ୍ୟଭାମାପୁରସ୍ଥିତ ତାଙ୍କ ପୈତୃକ ଗୃହ ବିକ୍ରି ହେବାର ଥିଲା । ଏଥିରେ ବ୍ୟଥିତ ହୋଇ ରମାଦେବୀ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଉକ୍ତ ଗୃହକୁ ଗାନ୍ଧୀ ସ୍ମାରକୀ ନିଧି ନାମରେ ଖରିଦ କରିବା ସହ ପରବର୍ତ୍ତୀ ସମୟରେ ସେଠାରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧିର ପ୍ରାଦେଶିକ କାର୍ଯ୍ୟାଳୟ ସ୍ଥାପନ କରି ଓଡ଼ିଆ ଜାତିର ଏହି କୋଠ ସମ୍ପତ୍ତିକୁ ସାର୍ବଜନୀନ କାର୍ଯ୍ୟରେ ବ୍ୟବହାର କରିଥିଲେ । ଏହି ଗୃହ କିଣିବା ବେଳେ ଗାନ୍ଧୀଜୀଙ୍କ ଅନ୍ୟତମ ପଟ୍ଟଶିଷ୍ୟ ମାଭଲଙ୍କର ବିଶେଷ ସହଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ଓ ଶିଶୁମାନଙ୍କ କଲ୍ୟାଣ କ୍ଷେତ୍ରରେ କସ୍ତୁରବା ନିଧିର ରାଜ୍ୟ ଶାଖା କାମ କରୁଛି ଏବଂ ଏଥିଲାଗି ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛି ।

ସତ୍ୟଭାମାପୁରରେ ମଧୁବାବୁଙ୍କ ସ୍ମାରକୀ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ କରିବା ପରେ ଏହି ଜମିର କିଛି ଅଂଶରେ ନିର୍ମାଣ କାର୍ଯ୍ୟ କରିବାକୁ କସ୍ତୁରବା ନିଧି ସମ୍ମତି ଜଣାଇଥିଲା ଓ ତଦନୁଯାୟୀ ପର୍ଯ୍ୟଟନ ବିଭାଗ ଏଠାରେ ଏକ ସଂଗ୍ରହାଳୟ ଘର ନିର୍ମାଣ କରିବା ସହ ଅନ୍ୟ କେତେକ ଉନ୍ନୟନମୂଳକ କାର୍ଯ୍ୟ କରିଛି । ନିର୍ମାଣ ପରେ ଏହି ସ୍ମାରକ ନିଧି ଗୃହକୁ କିଛି ଅସାମାଜିକ ବ୍ୟକ୍ତି ଦଖଲ କରିବା ପାଇଁ ବ୍ୟର୍ଥ ଉଦ୍ୟମ କରିଥିବା ବେଳେ ପ୍ରଶାସନ ନର୍ବନିର୍ମିତ ସୌଧଟିକୁ କସ୍ତୁରବା ନିଧି ହେପାଜତରେ ରଖିଛି ।

ତେବେ ଉକ୍ତ ଜମି ସମେତ ସତ୍ୟଭାମାପୁରରେ ଥିବା ମଧୁବାବୁଙ୍କ ପୈତୃକ ଗୃହକୁ କୌଣସି ପ୍ରକାରେ ନିଜ ଅକ୍ତିଆରକୁ ଆଣିବା ପାଇଁ କିଛି ବର୍ଷ ଧରି କେତେକ ମହଲ ଉଦ୍ୟମ ଜାରି ରଖିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ଏବଂ ମହିଳା କର୍ମୀମାନଙ୍କୁ ନେଇ ପରିଚାଳିତ କସ୍ତୁରବା ନିଧି ମାର୍ଫତରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସତ୍ୟଭାମାପୁର ସ୍ଥିତ ମଧୁ ସଂଗ୍ରହାଳୟର ବିକାଶ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)