Home Judiciary ମଦୁଆ କର୍ମଚାରୀଙ୍କୁ ବହିଷ୍କାର ଯଥାର୍ଥ

ମଦୁଆ କର୍ମଚାରୀଙ୍କୁ ବହିଷ୍କାର ଯଥାର୍ଥ

ଭୁବନେଶ୍ୱର : ମଦ୍ୟପାନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ ଯଥାର୍ଥ ବୋଲି ସୁପ୍ରିମ୍‍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ପରିପ୍ରେକ୍ଷୀରେ ଓଡିଶାରେ ଏହି ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ସରକାରୀ କର୍ମଚାରୀ ଆଚରଣ ବିଧିରେ ମଦ୍ୟପାନକୁ ଏକ ଗର୍ହିତ ବିଶୃଙ୍ଖଳା ଭାବେ ବିବେଚନା କରାଯାଇଛି ଏବଂ ସରକାରୀ କର୍ମଚାରୀଙ୍କୁ ମଦ୍ୟପାନ ଲାଗି ନିଷିଦ୍ଧ ରହିଛି । ଆଇନ୍‍ରେ ଏହି ବ୍ୟବସ୍ଥା ଥିବା ସତ୍ୱେ ବି ଗଣମାଧ୍ୟମରେ ବାରମ୍ବାର ମଦୁଆ ସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟ ପ୍ରକାଶ ପାଉଛି । ଏହା ପ୍ରଶାସନିକ କଳ ଉପରେ ଲୋକଙ୍କ ଆସ୍ଥା ପ୍ରତି ପ୍ରଶ୍ନବାଚୀ ଉଠାଉଛି ।

୨୫ବର୍ଷ ଧରି ଚାକିରିରେ ରହିଥିବା ଉତ୍ତରାଖଣ୍ଡର ଜଣେ ପୁଲିସ୍‍ କର୍ମଚାରୀଙ୍କ ଚାକିରି ବୋତେଲେ ମଦ ପାଇଁ ଚାଲିଯିବା ଘଟଣା ସୁପ୍ରିମ୍‍କୋର୍ଟଙ୍କ ନଜରକୁ ଆସିଥିଲା । ଏହି ପୁଲିସ୍‍ କର୍ମଚାରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଉତ୍ପାତ କରିବାବେଳେ ତାଙ୍କୁ କାବୁ କରାଯାଇଥିଲା । ଡାକ୍ତରୀ ପରୀକ୍ଷାରୁ ସେ ନିଶାସକ୍ତ ଥିବା ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତଦନ୍ତ ପରେ ତାଙ୍କୁ କର୍ତ୍ତୃପକ୍ଷ ଚାକିରିରୁ ବରଖାସ୍ତ କରିଥିଲେ ।

ଏହା ବିରୁଦ୍ଧରେ ସେ ଉପରିସ୍ଥ ଅଧିକାରୀଙ୍କ ନିକଟରେ କରିଥିବା ଆବେଦନ ଖାରଜ ହୋଇଯିବାରୁ ବହିଷ୍କୃତ ପୁଲିସ୍‍ କର୍ମଚାରୀ ଜଣଙ୍କ ଉତ୍ତରାଖଣ୍ଡ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟର ଜଣିକିଆ ବେଞ୍ଚ ଏହି ମାମଲାର ବ୍ୟାପକ ଶୁଣାଣି କରି ନିଶାସକ୍ତ ପୁଲିସ୍‍ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଯଥାର୍ଥ ବୋଲି ମତ ଦେଇଥିବାବେଳେ ସେହି ମାମଲା ହାଇକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠକୁ ଯାଇଥିଲା । ସମ୍ପୃକ୍ତ କର୍ମଚାରୀ ଦୀର୍ଘ ୨୫ବର୍ଷ ଧରି ସଫଳତାର ସହ କାମ କରିଥିବାବେଳେ ମଦ୍ୟପାନ ଜନିତ ଅଭିଯୋଗ ଲାଗି ତାଙ୍କୁ ବରଖାସ୍ତ କରାଯିବା ମାତ୍ରାଧିକ ଦଣ୍ଡ ବୋଲି ଖଣ୍ଡପୀଠ ମତଦେବା ସହ ଏହି ଦଣ୍ଡାଦେଶକୁ ବାଧ୍ୟତାମୂଳକ ଅବସରକୁ ବଦଳାଇବାପାଇଁ ରାୟ ଦେଇଥିଲେ ।

ଏହି ରାୟ ବିରୁଦ୍ଧରେ ଉତ୍ତରାଖଣ୍ଡ ସରକାର ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଥିଲେ । ସୁପ୍ରିମ୍‍କୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ମାତାଲ ପୁଲିସ୍‍ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବାଲାଗି ହାଇକୋର୍ଟର ଜଣିକିଆ ବେଞ୍ଚ ଯେଉଁ ରାୟ ଦେଇଥିଲେ ତାହାକୁ କାଏମ ରଖି ଦୁଇଜଣିଆ ଖଣ୍ଡପୀଠର ରାୟକୁ ଖାରଜ କରିଦେଇଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ଏହି ରାୟ ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣବିଧିରେ ଥିବା ବ୍ୟବସ୍ଥାର ଅନୁପାଳନ କରାଯାଇ ଯେଉଁ ସରକାରୀ କର୍ମଚାରୀମାନେ ମଦ୍ୟପାନ କରୁଛନ୍ତି ଓ ଏଥିଯୋଗୁଁ ପ୍ରଶାସନିକ କଳର ଛବି ମଳିନ ପଡୁଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ବିଦା କରିବା ଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ତେବେ ସରକାରୀ ଦପ୍ତର ଛୁଟି ପରେ ଓ ପୂର୍ବରୁ ମଦ୍ୟପାନ କର୍ମଚାରୀଙ୍କ ପାଇଁ ଦୋଷାବହ କି ନୁହେଁ ସେଥିଘେନି ପ୍ରଶ୍ନବାଚୀ ଉଠୁଥିବାବେଳେ ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ କେବଳ ଅଫିସ ସମୟ ପାଇଁ ନୁହେଁ ସମ୍ପୃକ୍ତ କର୍ମଚାରୀଙ୍କ ଆଚରଣ ଅନ୍ୟ ସମୟରେ ଖରାପ ଥିଲେ ତାଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ହୋଇପାରିବ । କର୍ତ୍ତବ୍ୟ ସମୟ ବାହାରେ ଯଦି କୌଣସି କର୍ମଚାରୀ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି ସେମାନଙ୍କ ବିରୁଦ୍ଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହୁଏ ମଦୁଆ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ ଦଣ୍ଡବିଧାନ କରାଯାଇ ପାରିବ । (ତଥ୍ୟ)