Home General ମଦଦୋକାନୀଙ୍କ ଲାଇସେନ୍ସ ବାତିଲ କର

ମଦଦୋକାନୀଙ୍କ ଲାଇସେନ୍ସ ବାତିଲ କର

ଭୁବନେଶ୍ୱର : ସରକାରଙ୍କ ଲକଡାଉନ୍‍ ଓ ସଟ୍‍ଡାଉନ୍‍ କଟକଣାକୁ ଭ୍ରୁକ୍ଷେପ ନକରି ଯେଉଁ ମଦଦୋକାନୀମାନେ ଧରାପଡୁଛନ୍ତି ସେମାନଙ୍କ ଲାଇସେନ୍ସ ବାତିଲ କରିବା ସହ ଦୁର୍ବିପାକ ପରିଚାଳନା ଆଇନ୍‍ ଆଧାରରେ ଦୃଢ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

କରୋନା କଟକଣା ଲାଗି ଜାରି ଲକଡାଉନ ଓ ସଟ୍‍ଡାଉନ ପରିପ୍ରେକ୍ଷୀରେ ଅନେକ ଦୋକାନ ବଜାର ବନ୍ଦ ରହୁଥିବାବେଳେ ମଦ ବ୍ୟବସାୟୀମାନେ ଦୋକାନ ଖୋଲିବାପାଇଁ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ ସଂସ୍ଥାଙ୍କ ସହାୟତାରେ ମଦୁଆଙ୍କ ଘରେ ମଦ ପହଞ୍ଚାଇବାପାଇଁ ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ କାଉଣ୍ଟରରେ ମଦଦୋକାନୀମାନେ ମଦ ବିକିପାରିବେ ନାହିଁ ଏବଂ ନିର୍ଦ୍ଧାରିତ ସମୟ ପରେ ମଦଦୋକାନ ଖୋଲା ରଖିବାକଥା ନୁହେଁ ।

କୋଭିଡ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ବିପର୍ଯ୍ୟୟ ପରିଚାଳନା ଆଇନ୍‍ ଆଧାରରେ ରାଜ୍ୟ ସରକାର ଏପରି ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ଏହା ସତ୍ୱେ ବି ମାର୍ଗନିର୍ଦ୍ଦେଶିକାର ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ସମେତ ରାଜ୍ୟର ଅନେକ ଅଞ୍ଚଳରେ ଗୁଡାଏ ମଦଦୋକାନ କର୍ତ୍ତୃପକ୍ଷ ସିଲ୍‍ କଲେଣି ଏବଂ କେତେକଙ୍କ ଠାରୁ ବି ଜୋରିମାନା ଆଦାୟ ହେଲାଣି । ଏମାନଙ୍କ ଛଡା ଆଉ କେତେକ ବାର୍‍ ମଧ୍ୟ ମଦୁଆଙ୍କୁ ସେମାନଙ୍କ ପରିସରରେ ମଦ ଯୋଗାଇ ଧରାପଡିଲେଣି ।

ସଟ୍‍ଡାଉନ ଓ ଲକଡାଉନ ସମୟରେ ଅମାନିଆଙ୍କୁ ଧରିବାପାଇଁ ପୁଲିସ୍‍ ନାକେଦମ ହେଉଥିବାବେଳେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମଦୁଆଙ୍କ ଦୌରାତ୍ମ୍ୟ ପୁଲିସ୍‍ ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି । ଏମିତିକି ମାତାଲ ଅବସ୍ଥାରେ ଏହି ମଦୁଆମାନେ ପୁଲିସ୍‍ ଉପରେ ଆକ୍ରମଣ ସହିତ ଦୁର୍ଘଟଣା ବି ଘଟାଉଛନ୍ତି । ଏମାନଙ୍କ ଯୋଗୁଁ କୋଭିଡ କଟକଣାର ସାମାଜିକ ଦୂରତା ରକ୍ଷା କରାଯାଇ ପାରୁନାହିଁ ।

ଏହାଛଡା ଗୋଟିଏ ପଟେ ସରକାର ରୋଗ ପ୍ରତିରୋଧ ଶକ୍ତି ବଢାଇବାପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚକରି ଟିକାଦାନ ଅଭିଯାନ ଚଳାଉଥିବାବେଳେ ଅନ୍ୟ ପଟେ ମଦ, ବ୍ରାଉନସୁଗାର, ତମାଖୁ, ଗୁଟ୍‍ଖା ଆଦି ନିଶାର ବହୁଳ ପ୍ରସାର ଯୋଗୁଁ ରୋଗପ୍ରତିରୋଧ ଶକ୍ତି ହ୍ରାସ ପାଇବା ସହ ଅନେକ ଲୋକ କରୋନା ସମେତ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ବି ଉଭୟ ସରକାର ଓ ପରିବାର ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି ।

ଏହି ଗମ୍ଭୀର ସମସ୍ୟାକୁ ଆଖିଆଗରେ ରଖି ଯେଉଁ ଚୋରା ଓ ମଦ ବ୍ୟବସାୟୀମାନେ ସରକାରୀ କଟକଣାର ଖୋଲା ଉଲ୍ଲଙ୍ଘନ କରି ଧରାପଡୁଛନ୍ତି ସେମାନଙ୍କୁ ମଦ ବିକିବାପାଇଁ ଦିଆଯାଇଥିବା ଲାଇସେନ୍ସ ତୁରନ୍ତ ବାଜ୍ୟାପ୍ତି ସହ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ସମ୍ପୃକ୍ତ ଅଞ୍ଚଳରୁ ମଦଦୋକାନଗୁଡିକ ଉଠାଇ ଦେବାପାଇଁ ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଦାବି କରାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here