Home Agriculture ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥ ହରିଲୁଟ୍

ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥ ହରିଲୁଟ୍

ଭୁବନେଶ୍ୱର : ଓଡିଶାରେ ମିଲ୍ ମାଲିକ ଓ ରାଜ୍ୟସରକାରଙ୍କ ମଧୁ ଚନ୍ଦ୍ରିକା ପାଇଁ ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥର ହରିଲୁଟ୍ ହେଉଛି । ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଦେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ଏବଂ ଦଲାଲି ବ୍ୟବସ୍ଥା ଯୋଗୁଁ ଓଡିଶାରେ ଚାଷୀ ତା’ର ସୁଫଳ ପାଇପାରୁନାହିଁ ବୋଲି ବିଜେପିର ଓଡିଶା ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର କହିଛନ୍ତି ।

ରାଜ୍ୟରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବିଜେପି ତରଫରୁ ଚାଲିଥିବା ମଣ୍ଡିଚାଲ ଅଭିଯାନ କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କାକରୁଦ୍ରପୁର ଧାନମଣ୍ଡିକୁ ରାଜ୍ୟ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଗ୍ରସ୍ତ କରିଥିଲେ । ବିଜେପିର ଓଡିଶା ସହପ୍ରଭାରୀ ଶ୍ରୀ ତୋମର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧିମଣ୍ଡଳୀ ଧାନମଣ୍ଡିରେ ପହଁଚି କୃଷକ ପଂଚାୟତ କରିଥିଲେ । ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନାରୁ ଜଣାପଡିଲା ଯେ, ଅଦ୍ୟାବଧି ଉପଯୁକ୍ତ ଚାଷୀଙ୍କୁ ଟୋକନ୍ ମିଳିବାରେ ବିଳମ୍ବ ହୋଇଛି ଓ ଟୋକନ ମିଳିବାରେ ପାନ୍ତରଅନ୍ତର ବ୍ୟବସ୍ଥା ହୋଇଛି ।

ସମସ୍ତ ଚାଷୀଙ୍କର କ୍ୱିଂଟାଲ ପିଛା ୨ କେଜି ଧାନ କଟନୀ ଛଟନୀ ହେଉଛି, ଭାଗଚାଷୀ କୌଣସି ପ୍ରାପ୍ୟ ପାଉନାହାଁନ୍ତି । ମଣ୍ଡିରେ ପିଇବା ପାଣି, ଶୌଚାଳୟ ତଥା ଧାନକୁ ସୁରକ୍ଷିତ ରଖିବା ପାଇଁ ଛାତ ଏବଂ ସୀମା ପ୍ରାଚୀର ଓ ମାନକ ଯନ୍ତ୍ର ଆଦି ନଥିବା କଥା ପ୍ରତିନିଧିମଣ୍ଡଳୀ ଚାଷୀଙ୍କୁ ପଚାରିବାରେ ଜାଣିପାରିଲେ । କେନ୍ଦ୍ରସରକାର ମଣ୍ଡିର ଭିତିଭୂମି ସୁଦୃଢ ପାଇଁ ବ୍ୟାପକ ଅର୍ଥର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଏଠାରେ ଦୃଶ୍ୟମାନ ହୋଇନଥିଲା । ଚାଷୀ ନିଜସ୍ୱ ଅର୍ଥରେ ଅଖା କିଣୁଛି ଏବଂ ଯାତାୟତ ଖର୍ଚ୍ଚ ଓ ଶ୍ରମିକ ଖର୍ଚ୍ଚ ନିଜେ ବହନ କରୁଅଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଲର ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଥିଲେ ମଧ୍ୟ ରାଜ୍ୟସରକାର ଏଠାରେ ଧାନର ଅଭାବୀ ବିକ୍ରି କରୁଛନ୍ତି । ଧାର୍ଯ୍ୟ ଧାନ ବାଦ ଅବଶିଷ୍ଟ ଧାନକୁ ରାଜ୍ୟସରକାର ଚାଷୀଙ୍କ ଠାରୁ କାହିଁକି କିଣୁନାହାଁନ୍ତି ବୋଲି ଶ୍ରୀ ତୋମର୍ ପ୍ରଶ୍ନ କରିଥିଲେ । କେନ୍ଦ୍ରସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ କୃଷି ଆଇନ ମଧ୍ୟସ୍ଥି ବା ଦଲାଲୀ ବ୍ୟବସ୍ଥାର ପୂର୍ଣ୍ଣଛେଦ ପକାଇବ ।

ଏହି ଅଭିଯାନରେ ପୂର୍ବତନ ମନ୍ତ୍ରୀ କେ.ଭି. ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ୍ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ରନାଥ ନାୟକଙ୍କ ସଂଯୋଜନାରେ ଆୟୋଜିତ କୃଷକ ପଂଚାୟତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଜେନା, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଓ ଦିଲ୍ଲିପ ସ୍ୱାଇଁ, ସଂପାଦକ ଅଶୋକ ମହାନ୍ତି ଓ ଲିଙ୍ଗରାଜ ବାରିକ, ସଂଯୋଜକ ସରୋଜ ସାହୁ, ବିକ୍ରମ ରାଉତରାୟ, ବିଶ୍ୱଜିତ୍ ସ୍ୱାଇଁ ଓ ଲକ୍ଷ୍ମୀକାନ୍ତ ମିଶ୍ର, ବସନ୍ତ ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ସ୍ଥାନୀୟ ମଣ୍ଡଳ ସଭାପତି ସଂଜୟ ତ୍ରିପାଠୀ, ସଂଜିତ ସ୍ୱାଇଁ, ରଂଜିତ ମହାନ୍ତି, ସନ୍ତୋଷ ସାହୁ ଏବଂ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।