Home Administration ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୨୮ତାରିଖରେ ତିର୍ତ୍ତୋଲ ଓ ୨୯ ତାରିଖରେ ବାଲେଶ୍ୱର ସଦର ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

ଦୁଇ ବିଧାନସଭା କ୍ଷେତ୍ରରେ ଆସନ୍ତା ନଭେମ୍ବର ୩ ତାରିଖରେ ମତଦାନ ହେବାକୁ ଥିବାବେଳେ ଏକ ତାରିଖରେ ପ୍ରଚାର କାର୍ଯ୍ୟ ସରିବ । ତେଣୁ ଉଭୟ ସ୍ଥାନରେ ଏବେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ଦୁଇ ଦଳର ନେତା ଓ କର୍ମୀମାନେ ଭୋଟରଙ୍କୁ ନିଜପଟକୁ ଆଣିବାପାଇଁ ସମସ୍ତ ଶକ୍ତି ଖଟାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ର୍ନିବାଚନମଣ୍ଡଳୀ ପାଇଁ ଭର୍ଚୁଆଲ ମୋଡରେ ପ୍ରଚାର କରିଥିବାବେଳେ ବାଲେଶ୍ୱରକୁ ସିଧାସଳଖ ଯାଇ ପ୍ରଚାର କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ୱରରେ ଡେରା ପକାଇଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଆରମ୍ଭକରି ବିଜେପିର ରାଜ୍ୟସ୍ତରୀୟ ଛାମୁଆ ନେତମାନେ ଦୁଇ ବିଧାନସଭା କ୍ଷେତ୍ରରେ ଘୂରି ବୁଲୁଛନ୍ତି ।

ଅନୁରୂପ ଭାବେ କଂଗ୍ରେସ ମଧ୍ୟ ତାହାର ସମସ୍ତ ଶକ୍ତି ଖଟାଇଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନବ ନିଯୁକ୍ତ ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲା କୁମାର ଦଳ ବଳ ସହିତ ମାରାଥନ ପ୍ରଚାର ଚଳାଇଛନ୍ତି ।

ତେବେ ନିର୍ବାଚନ ପ୍ରଚାର କ୍ଷେତ୍ରରେ ବିଜେଡି ସବୁଠାରୁ ଆଗରେ ଥିବା ଲକ୍ଷ୍ୟ କରାଯାଉଛି । ଦଳର ମନ୍ତ୍ରୀ, ବିଧାୟକ ଓ ସଂଗଠନର ଛାମୁଆ କର୍ମକର୍ତ୍ତାମାନେ ଦୁଇ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇଥିବାବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ଅପେକ୍ଷା । ମୁଖ୍ୟମନ୍ତ୍ରୀ ମଇଦାନକୁ ଓହ୍ଲାଇବାପରେ ବିଜେଡି ସ୍ଥିତି ଅଧିକ ସୁଦୃଢ ହେବବୋଲି ଦଳୀୟ ନେତାମାନେ ଆଶା କରୁଛନ୍ତି ।

ଉଲ୍ଲେଖନୀୟ ଯେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆକଷ୍ମିକ ମୃତ୍ୟୁ ଯୋଗୁଁ ଦୁଇ ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଦୁଇଟି ଯାନ ଆସନ ହାତେଇବାକୁ ଏବେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମରେ ଲାଗିପଡିଛନ୍ତି ।