Home Covid ଭେଣ୍ଟିଲେଟର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ

ଭେଣ୍ଟିଲେଟର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଗଡ ପାଲଟିଥିବା ସୁନ୍ଦରଗଡରେ ରୋଗୀଙ୍କ ପାଇଁ ଏନ୍‍ଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ଭେଣ୍ଟିଲେଟର ସୁବିଧା ଥିବା ୫୦ଟି ଶଯ୍ୟା ବ୍ୟବସ୍ଥା ପାଇଁ ସୁନ୍ଦରଗଡ ବିଧାୟକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ଼ାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ରଲେଖି ଶ୍ରୀମତୀ ଟେଟେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ସୁନ୍ଦରଗଡ ଏବେ ରାଜ୍ୟର ଅନ୍ୟତମ ବହୁଳ ସଂକ୍ରମିତ ଜିଲ୍ଲା ପାଲଟିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଭେଣ୍ଟିଲେଟର ଶଯ୍ୟା ନଥିବାରୁ ଗୁରୁତର ରୋଗୀଙ୍କୁ ୧୦୦ କିଲୋମିଟର ଦୂର ରାଉରକେଲା କିମ୍ବା ବୁର୍ଲାକୁ ରେଫର କରଦିଆଯାଉଛି । ଏତେ ଦୂର ଯିବା ବାଟରେ ବହୁ ରୋଗୀଙ୍କ ଜୀବନ ଚାଲିଯାଉଛି ।

ଏ ସଂକ୍ରାନ୍ତରେ ସିଡିଏମ୍‍ଓଙ୍କ ସହିତ ଆଲୋଚନା କରିବାରୁ ଜଣାଯାଇଛି ଯେ ସୁନ୍ଦରଗଡରେ ସ୍ୱାସ୍ଥ୍ୟସେବାର ଅଧିକାଂଶ ଭିତ୍ତିଭୂମି ଥିବାବେଳେ ଭେଣ୍ଟିଲେଟର ସୁବିଧା ନାହିଁ । ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଏହା ଜରୁରୀ ହୋଇଥିବାବେଳେ ତୁରନ୍ତ ଏହାର ବ୍ୟବସ୍ଥା ନହେଲେ ଅଧିକରୁ ଅଧିକ ରୋଗୀଙ୍କ ଜୀବନ ଯିବ ବୋଲି ଶ୍ରୀମତୀ ଟେଟେ କହିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନର ଦ୍ୱିତୀୟ ହଟସ୍ପଟ ପାଲଟିଥିବା ସୁନ୍ଦରଗଡରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ପାଖପାଖି ହୋଇଥିବାବେଳେ ୧୯୨ଜଣ ଏହି ମହାମାରୀରେ ପ୍ରାଣ ହରାଇଲେଣି ।

ଦ୍ୱିତୀୟ ଲହରୀର ଭୟାବହତାକୁ ଦେଖି ସୁନ୍ଦରଗଡ ଜିଲ୍ଲାରେ ଗତବର୍ଷ ଭଳି ପଞ୍ଚାୟତ ସ୍ତରରେ କୋଭିଡ କେୟାର ସେଣ୍ଟର ଓ ସଂଗରୋଧ କେନ୍ଦ୍ର ତୁରନ୍ତ ଖୋଲିବାପାଇଁ ଶ୍ରୀମତୀ ଟେଟେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।