Home Health ଭୁଲ୍‍ ଜଳ ପରିଚାଳନା ଯୋଗୁ ମଶା ବଂଶ ବୃଦ୍ଧି

ଭୁଲ୍‍ ଜଳ ପରିଚାଳନା ଯୋଗୁ ମଶା ବଂଶ ବୃଦ୍ଧି

ଭୁବନେଶ୍ୱର : ନାଳ ନର୍ଦ୍ଦମାର ପଚା ପାଣି ଓ ବର୍ଷାଜଳର ଅଣବୈଜ୍ଞାନିକ ପରିଚାଳନା ଯୋଗୁଁ ଖୋଦ ରାଜଧାନୀରେ ମଶାବଂଶ ବୃଦ୍ଧି ପାଇବା ସହ ଡେଙ୍ଗୁରୋଗ ବ୍ୟାପିବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବାପାଇଁ ନିଧି ମଉସା ରଥ ଗଡାଉଥିବାବେଳେ ମଶାବଂଶ ବୃଦ୍ଧିକୁ ରୋକିପାରୁ ନାହାଁନ୍ତି ।

ବିଜେବିନଗର, ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର ଏବଂ ତାହାର ଆଖପାଖ ବସ୍ତି ଅଞ୍ଚଳରେ ଅଧିକ ସଂଖ୍ୟକ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିବା କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ଚକେଇସିଆଣି, ରସୁଲଗଡ, ବରଗଡ, ପୁରୁଣା ଭୁବନେଶ୍ୱର ଦେଇ ଯାଇଥିବା କେନାଲ ଏବେ କିଛିବର୍ଷ ଧରି ନର୍ଦ୍ଦମାରେ ପରିଣତ ହୋଇଛି । କେବଳ ସେତିକି ନୁହେଁ ଏହି କେନାଲ ମଧ୍ୟ ଦଳ, ପଙ୍କ ଓ ଅନ୍ୟ ଗୁଳ୍ମରେ ଭର୍ତ୍ତିହୋଇ ରହୁଛି । ଗୋଟିଏ ସମୟରେ ଏହି କେନାଲରେ ଛଡା ଯାଉଥିବା ସ୍ୱଚ୍ଛପାଣିରେ ଲୋକେ ଗାଧୋଉଥିଲେ । ଏବେ ଏହା କଡଦେଇ ଯିବାବେଳକୁ ଦୁର୍ଗନ୍ଧରେ ନାକ ଫାଟିପଡୁଛି ।

ସେହିପରି ଭରତପୁର ଅଭୟାରଣ୍ୟରୁ ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ଲୁମ୍ବିନୀବିହାର ଆଦି ଦେଇ ଏକ ପ୍ରାକୃତିକ ଝରଣା ପ୍ରବାହିତ ହେଉଥିଲା । ଏବେ ଏହି ଝରଣାଟି ନର୍ଦ୍ଦମାଜଳ ନିଷ୍କାସନ ପାଇଁ ବ୍ୟବହୃତ ହେଉଛି । ସିଧାସଳଖ ସମ୍ପୃକ୍ତ ଅଞ୍ଚଳର ସ୍ୱରେଜ ଓ ଡ୍ରେନେଜର ବର୍ଜ୍ୟସବୁ ଏହି ନାଳରେ ପଡୁଛି । କେୟାର ହସ୍ପିଟାଲ ପାଖଦେଇ ଯାଇଥିବା ଏହି ନାଳର ପାଣି ୧୫ବର୍ଷ ତଳେ ଲୋକେ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଏବେ ଏହି ଖୋଲା ନାଳର ଦୁର୍ଗନ୍ଧରେ ରହି ହେଉନାହିଁ ।

ଠିକ୍‍ ସେହିପରି ନିକୋ ପାର୍କ ଓ ବାଣୀବିହାର, ଝରଣାବସ୍ତି ଆଦି ନିକଟରେ ପ୍ରବାହିତ ପୁରୁଣା ଝରଣାର ଅବସ୍ଥା । ଏଠି ଆଉ ଝରଣାର ସ୍ୱଚ୍ଛ ପାଣିନାହିଁ, ନାଳ ନର୍ଦ୍ଦମାର ଏହି ଜଳସ୍ରୋତଗୁଡିକ ଭର୍ତ୍ତିହୋଇ ଯାଇଛି । ଗୋଟିଏ ପଟେ ସହର ବଢୁଥିବାବେଳେ ନର୍ଦ୍ଦମାଜଳର ବିଶୋଧନ କରାନଯାଇ ସେଗୁଡିକକୁ ନଦୀନାଳକୁ ଛାଡି ଦିଆଯିବା ଫଳରେ ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ନଦୀର ଜଳ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯାଇଛି । ଏମିତିକି ଦୟା, କୁଆଖାଇ, କୁଶଭଦ୍ରା ଆଦିର ଜଳ ବି ବ୍ୟବହାର ଉପଯୋଗୀ ନୁହେଁ । ଆବର୍ଜନାରେ ଭର୍ତ୍ତି ହେଉଥିବାରୁ ନାଳ ନର୍ଦ୍ଦମାଗୁଡିକ ମଶାବଂଶ ବୃଦ୍ଧିକରି ବିଭିନ୍ନ ରୋଗବ୍ୟାଧିର କାରଣ ହେଉଛନ୍ତି ବୋଲି ପରିବେଶ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।

ଗୋଟିଏ ସମୟରେ ଭୁବନେଶ୍ୱରରେ ଯେତେ ବର୍ଷା ହେଲେ ବି ଅଳ୍ପ ସମୟ ମଧ୍ୟରେ ଜଳ ନିଷ୍କାସିତ ହୋଇଯାଉଥିଲା । ଏବେ କିନ୍ତୁ ଅଳ୍ପ ବର୍ଷାରେ ରାଜଧାନୀର ବ୍ୟାପକ ଅଞ୍ଚଳ ଉବୁଟୁବୁ ହୋଇଯାଉଛି । ପ୍ରାକୃତିକ ଜଳ ନିଷ୍କାସନ ପଥଗୁଡିକ ନଷ୍ଟ କରିଦିଆଯିବା ଏହାର ମୁଖ୍ୟ କାରଣ । ଏହାଛଡା ପିଚୁ ରାସ୍ତା କଡରେ ଆଉ ମାଟି କି ଘାସ ନାହିଁ ।

ଚାରିଆଡେ କୋଟି କୋଟି ଟଙ୍କା ବ୍ୟୟରେ ଟାଇଲ ବିଛା ସହିତ କଂକ୍ରିଟକରଣ ଚାଲିବାରୁ ବର୍ଷା ଜଳ ଭୂତଳକୁ ଯିବା ପରିବର୍ତ୍ତେ ରାସ୍ତାରେ ପ୍ରବାହିତ ହେଉଛି କିମ୍ବା ଘଣ୍ଟା ଘଣ୍ଟା ଧରି ଜମି ରହୁଛି । ଏଥିଯୋଗୁଁ ରାଜଧାନୀର ଭୂତଳ ଜଳସ୍ତର ବି ଉଦବେଗଜନକ ଭାବେ ତଳକୁ ଖସିବାରେ ଲାଗିଛି । ଡେଙ୍ଗୁ ସମେତ ମଶା, ମାଛି ଓ କୃମି ସଂକ୍ରମଣ ଜନିତ ରୋଗର ଚିକିତ୍ସା ସହିତ ମୂଳ ସମସ୍ୟାର ସମାଧାନ ଲାଗି ପରିବେଶବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)