Home Infrastructure ଭୁବନେଶ୍ୱର ରେଳଷ୍ଟେସନ ନିର୍ମାଣ ପାଇଁ ପଦକ୍ଷେପ

ଭୁବନେଶ୍ୱର ରେଳଷ୍ଟେସନ ନିର୍ମାଣ ପାଇଁ ପଦକ୍ଷେପ

ଭୁବନେଶ୍ୱର :ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ।

ରାଜ୍ୟ ରାଜଧାନୀ ଷ୍ଟେସନକୁ ଏକ ବିଶ୍ୱ ସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ । ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟାନ ସୁବିଧା ଏହି ଷ୍ଟେସନରେ ରହିବ। ଷ୍ଟେସନକୁ ଏକ ବ୍ୟବସାୟିକ ହବରେ ସୌନ୍ଦର୍ଯ୍ୟକରଣ କରାଯାଇ ସୁନ୍ଦର ଆଲୋକ ବ୍ୟବସ୍ଥା, ଉନ୍ନତ ସଙ୍କେତ ଏବଂ ୱେଟିଂ ହଲ୍ ସହିତ ଯାତ୍ରୀଙ୍କ ସୁବିଧା ଗୁଡିକ ବିକଶିତ କରାଯିବ ।  ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ ।  ଏହା ବ୍ୟତୀତ ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ମଧ୍ୟ ବିକଶିତ କରାଯିବ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ଡ୍ରେନେଜ ସିଷ୍ଟମକୁ ପୁଙ୍ଖାନୁପୁଙ୍ଖ ସମାଧାନ କରାଯିବ। ପ୍ଲାଟଫର୍ମ-୬ ପାର୍ଶ୍ୱରେ  ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ ।

ମହାପ୍ରବନ୍ଧକ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ ପାଇଁ ଏମଓୟୁ ସେପ୍ଟେମ୍ବର, 2019 ରେ ସ୍ୱାକ୍ଷରିତ ହୋଇଛି । ଷ୍ଟେସନରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ଦୁଇଟି ଅତିରିକ୍ତ ଲାଇନ ନିର୍ମାଣ ହେବ । ଏହା ଏକ ଆଧୁନିକ ବ୍ୟବସାୟ କେନ୍ଦ୍ର ଭାବରେ ନିର୍ମାଣ ହେବ । ଏହା ପୂର୍ବ ଭାରତର ସର୍ବୋତ୍ତମ ଷ୍ଟେସନ ମଧ୍ୟରୁ ଗୋଟିଏ ହେବ ।

ଏଥି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ଚାଲିଛି । ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଯୋଜନା ପ୍ରସ୍ତୁତ କରାଯାଇଛି । ବିସ୍ତୃତ ପ୍ରକଳ୍ପ ଆକଳନ ଚୂଡ଼ାନ୍ତ କରିବା ପରେ ଟେଣ୍ଡର ଜାରି କରାଯିବ ।  ଛଅ ମାସ ମଧ୍ୟରେ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯିବ । ଏହି ପ୍ରସ୍ତାବିତ ପୁନଃ ବିକାଶ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମଧ୍ୟ ଜନସାଧାରଣଙ୍କ ପରାମର୍ଶ ପାଇଁ ନିବେଦନ କରିଛନ୍ତି ।