Home Infrastructure ଭିତ୍ତିଭୂମି ବିକାଶ ପାଇଁ ୩୦୧୮ କୋଟି

ଭିତ୍ତିଭୂମି ବିକାଶ ପାଇଁ ୩୦୧୮ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ପୁଞ୍ଜି ନିବେଶ ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା (ଏସଏସିଆଇ) ଯୋଜନାରେ ୮ଟି ଜିଲ୍ଲାରେ ଭିତ୍ତିଭୂମି ବିକାଶ ଲାଗି ୩୦୧୮.୬୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅର୍ଥ ପ୍ରଦାନ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ପ୍ରଥମ ପର୍ଯ୍ୟାୟରେ ଏସଏସିଆଇ ଯୋଜନାରେ ୪୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ ୨୯୪୬.୨୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତେବେ ଅର୍ଥ ବିଭାଗ ପକ୍ଷରୁ ନିକଟରେ ୮ଟି ବିଭାଗ ପାଇଁ ୩୦୧୮.୬୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ଯାହା କି କେନ୍ଦ୍ର ମଞ୍ଜୁର କରିଥିବା ଅର୍ଥର ୬୬.୬୭ ପ୍ରତିଶତ । ଜଳ ସମ୍ପଦ ବିଭାଗକୁ ୧୮ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧୧୧୩.୬୨ କୋଟି ଟଙ୍କା ଦିଆଯାଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪ଟି ପ୍ରକଳ୍ପ ପାଇଁ ୫୫୨.୩୦ କୋଟି ଟଙ୍କା ଦିଆଯାଇଛି ।

ଅନୁରୂପ ଭାବେ ରାଜ୍ୟ ସରକାର ଶକ୍ତି ବିଭାଗର ୧୦ଟି ପ୍ରକଳ୍ପ ପାଇଁ ୪୪୬.୧୮କୋଟି ଏବଂ ପୂର୍ତ୍ତି ବିଭାଗର ୧୫ଟି ପ୍ରକଳ୍ପ ପାଇଁ ୩୧୨.୦୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୋଟିଏ ମେଗା ପ୍ରକଳ୍ପ ପାଇଁ ୨୬୬.୬୮ କୋଟି ଟଙ୍କା, ପରିବହନ ବିଭାଗର ଦୁଇଟି ପ୍ରକଳ୍ପ ପାଇଁ ୧୩୩.୩୪ କୋଟି, ଶିଳ୍ପ ବିଭାଗର ୧୧ଟି ପ୍ରକଳ୍ପ ପାଇଁ ୧୩୦.୯୭କୋଟି ଏବଂ ଗୃହ ବିଭାଗର ଦୁଇଟି ପ୍ରକଳ୍ପ ପାଇଁ ୬୩.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏସଏସିଆଇ ଅଧିନରେ ମଞ୍ଜୁର ହୋଇଥିବା ଅର୍ଥକୁ ତ୍ୱରାନ୍ୱିତ ଭାବେ ଖର୍ଚ୍ଚ କରିବାପାଇଁ ବିଭାଗ ଗୁଡିକୁ କୁହାଯାଇଛି । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ୧୦୦ଟି ପ୍ରକଳ୍ପ ପାଇଁ ୧୫୮୨.୭୩ କୋଟି ଟଙ୍କା ବ୍ୟୟ କରିଛନ୍ତି । ତେବେ ୯୫୫.୯୧ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଛି । ଅବଶିଷ୍ଟ ୬୨୬.୮୨ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ ପାଇଁ ଅର୍ଥ ଖର୍ଚ୍ଚ କରିଥିବା ବିଭାଗଗୁଡିକୁ କୁହାଯାଇଛି ।

ସୂଚନା ଅନୁଯାୟୀ ଡାଟା ଟ୍ରାନ୍ସଫର ସୁବିଧା ପ୍ରଦାନ ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡିକ ସହିତ ସମ୍ପୃକ୍ତ ରାଜ୍ୟ ଯୋଜନାଗୁଡିକୁ ସାମିଲ କରିବାରେ ଓଡିଶା ୯୫ ପ୍ରତିଶତ ସଫଳତା ପାଇଛି । ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏସଏନଏ ଆକାଉଣ୍ଟରେ ଅର୍ଜନ ହୋଇଥିବା କେନ୍ଦ୍ରୀୟ ଅଂଶର ଜମା ଉପରେ ଅର୍ଥ ବିଭାଗ ଏକ ସାର୍ଟିଫିକେଟ ଦାଖଲ କରିଛି । ତେବେ କେତେକ ବିଭାଗ ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିନାହାନ୍ତି । ତେବେ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଏ ସଂକ୍ରାନ୍ତରେ ସମୀକ୍ଷା କରାଯିବା ସହିତ ଅତିରିକ୍ତ ସ୍ୱତନ୍ତ୍ର ସହାୟତା ପାଇଁ ଅଗ୍ରଗତି ରିପୋର୍ଟ ଦାଖଲ ହେବ ।

କୋଭିଡ ମହାମାରୀ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏସଏସିଆଇ ଯୋଜନା ଆରମ୍ଭ ହୋଇଥିଲା । ରାଜ୍ୟ ଗୁଡିକରେ ପୁଞ୍ଜି ବ୍ୟୟର ସଫଳତାକୁ ଦେଖି ଏହି ଯୋଜନାକୁ ୨୦୨୩-୨୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରୀୟ ବଜେଟ୍‍ରେ ଘୋଷଣା କରାଯାଇଛି । ଏହି ଯୋଜନାରେ ରାଜ୍ୟଗୁଡିକୁ ୫୦ବର୍ଷ ପାଇଁ ସୁଧମୁକ୍ତ ଋଣ ଆକାରରେ ୧.୩ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଯୋଜନା ୮ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଏକ ଲକ୍ଷ କୋଟି ମଞ୍ଜୁର ହୋଇଛି । ଏହି ଅର୍ଥ କେନ୍ଦ୍ରୀୟ ଶୁଳ୍କ ଓ ଟିକସ ଆଧାରରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ମଞ୍ଜୁର ହୋଇଛି । (ତଥ୍ୟ)