Home Wildlife ଭିତରକନିକାରେ ବିରଳ ମାଛରଙ୍କା ବିରାଡି

ଭିତରକନିକାରେ ବିରଳ ମାଛରଙ୍କା ବିରାଡି

ଭୁବନେଶ୍ୱର : ଏକ ବିରଳ ପ୍ରଜାତିର ମାଛରଙ୍କା ବିରାଡି ଭିତରକନିକା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି । ଓଡିଶା ଜୈବବିବିଧତା ବୋର୍ଡର ଉଦ୍ୟମ ଯୋଗୁଁ ଏହି ବିରଳ ପ୍ରାଣୀର ସନ୍ଧାନ ମିଳିଛି ।

ଉଲ୍ଲେଖନୀୟ ଯେ ମାଛରଙ୍କା ବିରାଡି ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ୍‍, ୧୯୭୨ର ସିଡ୍ୟୁଲ-୧ରେ ତାଲିକାଭୁକ୍ତ ହୋଇଥିବାବେଳେ ଆଇସିୟୁଏନ୍‍ ତାଲିକାରେ ଏହା ସମ୍ବେଦନଶୀଳ ଓ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ରହିଛି । ଓଡିଶା ଜୈବ ବିବିଧତା ବୋର୍ଡର ଯୁବ ଗବେଷକ ସ୍ୱରୂପ କୁମାର ଭିତରକନିକା ଅଭୟାରଣ୍ୟରେ ଖଞ୍ଜିଥିବା କ୍ୟାମେରାରେ ଫେବୃଆରୀ ୧୫ ତାରିଖରେ ଏହି ବିରଳ ପ୍ରାଣୀ ଦୃଶ୍ୟମାନ ହୋଇଛି । ତଥ୍ୟ ଅନୁଯାୟୀ ଏହି ପ୍ରଜାତିର ବିରାଡି ୧୯୫୬ ମସିହାରେ ଫୁଲବାଣୀ ଜଙ୍ଗଲରେ ଦେଖିବାକୁ ମିଳିଥିଲା ।

ଅନୁରୂପ ଭାବେ ୧୯୬୨, ଏପ୍ରିଲ୍‍ ୧୮ ତାରିଖରେ କୋଲକତାରୁ ପ୍ରକାଶିତ ‘ଦି ଷ୍ଟେଟସମ୍ୟାନ’ ସମ୍ବାଦପତ୍ରରେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ବିରଳ ବିରାଡି ଦୃଶ୍ୟମାନ ହୋଇଥିବା ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାପରେ ଏହି ବନ୍ୟପ୍ରାଣୀର କୌଣସି ଠାବ ମିଳିନଥିଲା ।

ବର୍ତ୍ତମାନ ଓଡିଶାରେ ୬ ପ୍ରଜାତିର ଜଙ୍ଗଲି ବିରାଡି ଥିବା ଗବେଷକ କହିଛନ୍ତି । ଭାରତରେ ୧୫ ପ୍ରଜାତିର ଜଙ୍ଗଲି ବିରାଡି ଦେଖିବାକୁ ମିଳୁଛି ଓ ଏଥିରୁ ଆଠ ପ୍ରଜାତି ଓଡିଶାରେ ଅଛନ୍ତି । ଏହି ଆଠ ପ୍ରଜାତି ହେଲେ ବାଘ, ଚିତା ବାଘ, ବଣ ବିରାଡି, ଚିତା ବିରାଡି, ମାଛରଙ୍କା ବିରାଡି, କଳଙ୍କି ଭଳି ଚିହ୍ନ ଥିବା ବିରାଡି, ଛିଟା ଚିହ୍ନ ଥିବା ବିରାଡି ଏବଂ କାରାକାଲ ପ୍ରଜାତିର ବିରାଡି ।

ଏହି ପରିପ୍ରେକ୍ଷୀରେ ଓଡିଶା ଜୈବବିବିଧତା ବୋର୍ଡ (ଓବିବି) ଭିତରକନିକା ଜାତୀୟ ଅଭୟାରଣ୍ୟରେ ମାଛରଙ୍କା ବିରାଡିଙ୍କ ଉପରେ ଗବେଷଣା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରଜାତିର ବିରାଡିଟି ମଧ୍ୟମ ଆକାରର ଏବଂ ରାଜ୍ୟର ଆର୍ଦ୍ରଭୂମିରେ ବିଚରଣ କରନ୍ତି । ଭିତରକନିକା ରାଜ୍ୟର ଅନ୍ୟତମ ବୃହତ୍‍ ଆର୍ଦଭୂମି ଅଞ୍ଚଳ । ଏହା ସହିତ ଆଉ ୬ପ୍ରଜାତିର ବିରାଡି ରହିଛନ୍ତି ଯାହା ଛୋଟ ଛୋଟ ବିରାଡି ବିରାଡିଙ୍କ ପରି ଏମାନଙ୍କ ସ୍ଥିତି ସମ୍ପର୍କରେ ସବିଶେଷ ବିବରଣୀ ନାହିଁ । ନିକଟରେ ହୋଇଥିବା ଗବେଷଣା ମାଛରଙ୍କା ବିରାଡିର ସ୍ଥିତି ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ କରୁଅଛି । ଯାହା ଫଳରେ କି ଆଗାମୀ ଦିନରେ ଏସଂକ୍ରାନ୍ତରେ ଆହୁରି ଅଧିକ ତଥ୍ୟ ହସ୍ତଗତ ହୋଇପାରିବ ।

ବର୍ତ୍ତମାନ କେବଳ ଭିତରକନିକା ଅଭୟାରଣ୍ୟରେ କ୍ୟାମେରା ଖଞ୍ଜାଯାଇ ମାଛରଙ୍କା ବିରାଡିଙ୍କ ଅବସ୍ଥିତି ସଂକ୍ରାନ୍ତରେ ଅନୁଧ୍ୟାନ ହେଉଛି । ଏହି କ୍ୟାମେରା ମଧ୍ୟ ଅଭୟାରଣ୍ୟରେ ଥିବା ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ସଂକ୍ରାନ୍ତରେ ଗବେଷଣା କ୍ଷେତ୍ରରେ ସହାୟକ ହେବ ବୋଲି ବୋର୍ଡର ଜଣେ ବରିଷ୍ଠ ଗବେଷକ କହିଛନ୍ତି । ତେବେ ଜୈବବିବିଧତାରେ ଭରପୂର ଓଡିଶାରେ ଆଗାମୀ ଦିନରେ ଗବେଷଣା ପାଇଁ ଅଧିକରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । (ତଥ୍ୟ)