Home General ଭିକାରୀମୁକ୍ତ ଯୋଜନା କାମ ଦେଉନି

ଭିକାରୀମୁକ୍ତ ଯୋଜନା କାମ ଦେଉନି

ଭୁବନେଶ୍ୱର : ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ‘ସହାୟ’ ଯୋଜନାରୁ ସେଭଳି ସୁଫଳ ମିଳୁନି । ପୂର୍ବଭଳି ଏବେ ରାଜଧାନୀର ରାସ୍ତାଘାଟରେ ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ହାତ ପତାଉଛନ୍ତି ।

ବିଏମ୍‍ସି କର୍ତ୍ତୃପକ୍ଷ ସହାୟ ଯୋଜନା କାର୍ଯ୍ୟକାରୀ କରି ରାସ୍ତାଘାଟରୁ ଭିକାରୀମାନଙ୍କୁ ଉଠାଇ ନେବାପରେ କିଛିଦିନ ପର୍ଯ୍ୟନ୍ତ ରାଜଧାନୀ ଭିକାରୀମୁକ୍ତ ହୋଇଥିଲା । ଭିକ୍ଷାବୃତ୍ତି କରି ଚଳୁଥିବା ବହୁ ଲୋକେ ସରକାରୀ ଥଇଥାନ କେନ୍ଦ୍ରରେ ରହିବା ସହିତ ବିଭିନ୍ନ ପ୍ରକାର ଆତ୍ମନିର୍ଭର ଯୋଜନାରେ ସାମିଲ ହୋଇଥିଲେ । ଏହି ଯୋଜନାକୁ ସବୁଆଡୁ ସାବାସୀ ମିଳିଥିଲା ।

ହେଲେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ସହରର ପ୍ରମୁଖ ଛକ ଗୁଡିକରେ ଭିକାରୀମାନେ ପୂର୍ବଭଳି ହାତ ପାତିବାରେ ଲାଗିଛନ୍ତି । କୁନି କୁନି ଛୁଆଙ୍କୁ କୋଳରେ ଧରି ମହିଳମାନେ ଅଧିକାଂଶ ଟ୍ରାଫିକ ଛକରେ ଗାଡି ଆଗକୁ ଆସି ଭିକ ମାଗୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାପାଇଁ ହାତରେ କେବଳ କେତୋଟି କଲମ ଧରି ଲୋକଙ୍କୁ କିଣିବାକୁ କହୁଛନ୍ତି । ଅସଲରେ ଏମାନେ ଭିକ ହିଁ ମାଗୁଛନ୍ତି । ଯଦି କୌଣସି ବ୍ୟକ୍ତି କଲମ କିଣିବାକୁ ରାଜି ହେଉନାହାନ୍ତି ତେବେ କୋଳରେ ଥିବା ରୋଗିଣା ପିଲାକୁ ଦେଖାଇ ତା’ ପାଇଁ କିଛି ଦେବାକୁ ହାତ ପାତୁଛନ୍ତି ।

ଯେଉଁ ରାସ୍ତାରେ ଏଭଳି ଭିକମଗା କାର୍ଯ୍ୟ ହେଉଛି ସେହି ବାଟ ଦେଇ ପ୍ରତିଦିନ ବିଏମ୍‍ସି ଅଧିକାରୀଙ୍କ ଠାରୁ ଆରମ୍ଭ କରି ନଗର ଉନ୍ନୟନ ବିଭାଗ ଓ କମିଶନରେଟ ପୁଲିସ୍‍ର ବଡ ବାବୁମାନେ ଯା ଆସ କରୁଛନ୍ତି । ହେଲେ କାହାରି ଆଖିରେ ଏହା ପଡୁଥିବା ଭଳି ଲକ୍ଷ୍ୟ କରାଯାଉ ନାହିଁ । ମଝିରେ ମଝିରେ ପିସିଆର ଗାଡି ଏମାନଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ହେଲେ ତୁରନ୍ତ ଏହି ମହିଳାମାନେ ଆଖପାଖ ଗଳି କନ୍ଦିରେ ଛପି ଯାଉଥିବାରୁ ସେମାନଙ୍କୁ ଧରିବା ସହଜ ହେଉନାହିଁ ।

ତେବେ କୋଳରେ ରୋଗିଣା ପିଲାଙ୍କୁ ଧରି ଭିକ ମାଗୁଥିବା ଅଧିକାଂଶ ମହିଳା ହେଉଛନ୍ତି ଅଣଓଡିଆ । ସୋମନଙ୍କ କଥାବାର୍ତ୍ତା ଠାରୁ ଆରମ୍ଭକରି ବେଶ ଭୂଷାରୁ ଏହା ବେଶ୍‍ ବାରିହୋଇ ପଡୁଛି । ହେଲେ ଏମାନଙ୍କ ବିରୁଦ୍ଧରେ କାହିଁକି କଡା କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ହେଉଥିବା ଆଲୋଚନା ଅନୁଯାୟୀ ଏମାନେ ପ୍ରକୃତରେ ଭିକାରୀ ନୁହନ୍ତି ।

ଭିକ୍ଷାବୃତ୍ତିକୁ ନିଜର ପେଶା କରିଥିବା କିଛି ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଏମାନଙ୍କୁ ବିଭିନ୍ନ ଛକ ସ୍ଥାନରେ ମୁତୟନ କରିବା ସହିତ ସେମାନେ ଦିନ ସାରା ଆଦାୟ କରୁଥିବା ଅର୍ଥକୁ ସଞ୍ଜବେଳକୁ ନେଇ ଯାଉଛନ୍ତି । ସେହିଭଳି ଭିକ୍ଷାବୃତ୍ତିରେ ନିୟୋଜନ ପାଇଁ ବିଭିନ୍ନ ସ୍ଥାନରୁ କୁନି କୁନି ପିଲା ବି ସଂଗ୍ରହ କରୁଛନ୍ତି ।

ତେଣୁ ଖୋଦ୍‍ ରାଜଧାନୀରେ ମହିଳା କମିଶନ ଠାରୁ ଆରମ୍ଭକରି ଶିଶୁ ଅଧିକାର ସୁରକ୍ଷା କମିଶନ ଓ ଭିନ୍ନକ୍ଷମ କମିଶନ, ସମସ୍ତେ ଥିବାବେଳେ ଡହ ଡହ ଖରାରେ କୋଳରେ ରୋଗିଣା ପିଲାଙ୍କୁ ଧରି ଛକ ସ୍ଥାନରେ ଭିକ ମାଗୁଥିବା ମହିଳାଙ୍କ ଉପରେ କିଭଳି କାହାର ନଜର ପଡୁନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । (ତଥ୍ୟ)