Home General ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହାନ୍ତି

ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହାନ୍ତି

ଭୁବନେଶ୍ୱର : ଏଯାବତ୍‍ ଦେଶର ୪୮ଜଣଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଓଡିଶାରୁ ଜଣେ ହେଲେ କେହି ଉକ୍ତ ସମ୍ମାନ ପାଇପାରି ନାହାନ୍ତି । ସେବା ସହିତ କଳା, ବିଜ୍ଞାନ, ଇଞ୍ଜିନିୟରିଂ, କ୍ରୀଡା, ବାଣିଜ୍ୟ ବ୍ୟବସାୟ ଆଦି ବିବିଧ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦେଶ କୃତଜ୍ଞତା ଜଣାଇ ଏହି ବେସାମରିକ ଶୀର୍ଷ ସମ୍ମାନ ପ୍ରଦାନ କରିଥାଏ । ଏଥିଲାଗି ନିଜେ ପ୍ରଧାନମନ୍ତ୍ରୀ ନାମ ଚୟନ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥାନ୍ତି ଏବଂ ତାହା ଗୃହୀତ ହେବାପରେ ପ୍ରଦାନ କରାଯାଇଥାଏ ।

୧୯୫୪ ମସିହାରୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଉଛି । ବର୍ଷରେ ଅତି ବେଶିରେ ତିନି ଜଣ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ ଲାଗି ବ୍ୟବସ୍ଥା ଅଛି । ୧୯୫୪ ମସିହାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଡକ୍ଟର ସି.ଭି.ରମଣଙ୍କୁ ପ୍ରଥମ ଥର ଲାଗି ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ତଥ୍ୟ ମୁତାବକ ୧୯୫୫ ବର୍ଷରେ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମେତ ବିଶିଷ୍ଟ ଇଞ୍ଜିନିୟର ଡକ୍ଟର ଏମ୍‍.ବିଶେଶ୍ୱରେୟା ଓ ପାର୍ଷି ବିଦ୍ୟାପୀଠର ପ୍ରତିଷ୍ଠାତା ଡକ୍ଟର ଭଗବାନ ଦାସ ଏହି ସମ୍ମାନ ପାଇଥିଲେ । ୧୯୫୭ରୁ ୧୯୬୬ ମଧ୍ୟରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଡକ୍ଟର ଡି.କେ.କାର୍ଭେ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟ, ପୂର୍ବତନ କଂଗ୍ରେସ ସଭାପତି ପୁରୁଷତ୍ତମ ଦାସ ଟଣ୍ଡନ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଜାକୀର ହୁସେନ, ଡକ୍ଟର ପାଣ୍ଡୁରଙ୍ଗ ବାମନ କାନେ ଓ ମରୋଣତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ନେହେରୁଙ୍କ ପରେ ନିଜେ ପ୍ରଧାନମନ୍ତ୍ରୀ ଥାଇ ଇନ୍ଦିରା ଗାନ୍ଧୀ ୧୯୭୧ ମସିହାରେ ଭାରତ ରତ୍ନ ପୁରସ୍କାର ଗ୍ରହଣ କରିଥିବାବେଳେ ୧୯୭୫ରୁ ୧୯୯୦ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କାମରାଜ, ମଦର ଟେରେସା, ବିନୋବା ଭାବେ, ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ ଗଫର ଖାଁ, ତାମିଲନାଡୁର ଆଉଜଣେ ମୁଖ୍ୟମନ୍ତ୍ରୀ ଏମ୍‍.ଜି.ରାମଚନ୍ଦ୍ରନ. ଡକ୍ଟର.ବି.ଆର.ଆମ୍ବେଦକର ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଡକ୍ଟର ନେଲସନ ମାଣ୍ଡେଲାଙ୍କ ଉଦ୍ଦେଶ୍ୟରେ ଏହି ସମ୍ମାନ ଦିଆଯାଇଥିଲା ।

ପରେ ମରୋଣତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୋରାରଜୀ ଦେଶାଇ, ମୌଲାନା ଅବଦୁଲ କାଲାମ ଆଜାଦ, ଜେ.ଆର.ଡି.ଟାଟା, ସତ୍ୟଜିତ୍‍ ରାୟ, ଗୁଲଜାରୀଲାଲ ନନ୍ଦା, ଅରୁଣା ଆସଫଅଲ୍ଲୀ ଓ ଏ.ପି.ଜେ.ଅବଦୁଲକାଲାମ ୧୯୯୭ ପର୍ଯ୍ୟନ୍ତ ବିଭିନ୍ନ ବର୍ଷରେ ଏହି ସମ୍ମାନ ପାଇଥିଲେ ।

୧୯୯୮ରୁ ୨୦୧୫ ମଧ୍ୟରେ ଏମ.ଏସ୍‍.ଶୁଭଲକ୍ଷ୍ମୀ, ସି.ସୁବ୍ରମଣ୍ୟମ, ଜୟପ୍ରକାଶ ନାରାୟଣ, ଅମର୍ତ୍ତ ସେନ୍‍, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦୋଳଇ, ପଣ୍ଡିତ ରବିଶଙ୍କର, ଲତା ମଙ୍ଗେସକର, ଓସ୍ତାଦ ବିସମିଲ୍ଲା ଖାଁ, ଭିମସେନ ଯୋଶୀ, କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର, ବୈଜ୍ଞାନିକ ସି.ଏନ.ଆର.ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମଦନମୋହନ ମାଲବ୍ୟଙ୍କ ନାମରେ ଏହି ସମ୍ମାନ ଦିଆଯାଇଥିଲା ।

୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ମିଳିଥିବାବେଳେ ୨୦୨୦ ଓ ୨୦୨୧ ବର୍ଷରେ କାହାକୁ ଭାରତ ରତ୍ନ ଦିଆଯାଇନାହିଁ । ଶାସ୍ତ୍ରୀଜୀଙ୍କ ଠାରୁ ଆରମ୍ଭକରି ଏମ୍‍.ଜି.ରାମଚନ୍ଦ୍ରନ. କେ.କାମରାଜ, ଆମ୍ବେଦକର, ରାଜୀବ ଗାନ୍ଧୀ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଅରୁଣା ଆସଫଅଲ୍ଲୀ, ଜୟପ୍ରକାଶ, ଗୋପୀନାଥ ବର୍ଦୋଳାଇ, ମଦନ ମୋହନ ମାଲବ୍ୟ ଆଦି ମରୋଣତ୍ତର ଭାବେ ଭାରତ ରତ୍ନ ପାଇଥିବାବେଳେ ଏଯାବତ୍‍ ଓଡିଶାର ଜଣେ ହେଲେ କାହାର ନାମ ଏହି ସମ୍ମାନ ପାଇଁ କୌଣସି ପ୍ରଧାନ ମନ୍ତ୍ରୀ କେତେବେଳେ ବି ସୁପାରିଶ କରିନାହାନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here