Home Culture ଭର୍ଚୁଆଲ୍‌ ଟୁରରେ ଜନଜାତିଙ୍କର ଖାଦ୍ୟସଂଗ୍ରହ ପଦ୍ଧତି

ଭର୍ଚୁଆଲ୍‌ ଟୁରରେ ଜନଜାତିଙ୍କର ଖାଦ୍ୟସଂଗ୍ରହ ପଦ୍ଧତି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁରରେ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଅକ୍ଟୋବର ୨୪ ତାରିଖ ଦିନ ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ
କରିଥା’ନ୍ତି ।

ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ ।

ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ । ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି । ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ ।