Home Culture ଭର୍ଚୁଆଲ୍‌ ଟୁରରେ କୁଟିଆ କନ୍ଧ ଜନଜାତି

ଭର୍ଚୁଆଲ୍‌ ଟୁରରେ କୁଟିଆ କନ୍ଧ ଜନଜାତି

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ସେପେଫମ୍ବର ୧୨ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କୁଟିଆ କନ୍ଧ ଜନଜାତିଙ୍କର ଜୀବନଶୈଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବଣପାହାଡ଼ଘେରା ଅଞ୍ଚଳରେ କୁଟିଆ କନ୍ଧ ଜନଜାତି ବସବାସ କରନ୍ତି । କୁଟିଆ କନ୍ଧ ପରିବାର ଏକ ଛୋଟ ପରିବାର ଅଟେ । ପରିବାରକୁ କେନ୍ଦ୍ର କରି ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନଶୈଳୀ ଅତିବାହିତ ହୋଇଥାଏ ।

ଝାଡ଼ୁ ତିଆରି, ମ୍ୟାଟ୍‌ ତିଆରି, ଝୁଡ଼ି ତିଆରି ଆଦି ସେମାନଙ୍କର ମୁଖ୍ୟ ପେଶା ଅଟେ । ସେମାନେ ପୋଡ଼ୁ ଚାଷ କରିଥା’ନ୍ତି । ସେମାନେ ପ୍ରତୀକାତ୍ମକ ବା ସାଙ୍କେତିକ ଧାର୍ମିକ ଚିହ୍ନରେ ସିନ୍ଦୁର ବ୍ୟବହାର କରିଥା’ନ୍ତି । ଧରଣୀପେନୁ ହେଉଛନ୍ତି କୁଟିଆ କନ୍ଧ ଜନଜାତିଙ୍କର ମୁଖ୍ୟ ଦେବୀ । କୁଟିଆ କନ୍ଧ ଜନଜାତି ଏକ ସ୍ୱତନ୍ତ୍ର ପୋଷାକ ପରିଧାନ କରିଥା’ନ୍ତି । ସେମାନେ ଆତ୍ମରକ୍ଷା କରିବା ଭଳି ଅଳଙ୍କାର ବ୍ୟବହାର କରିବା ସହିତ ବାହୁ ଓ ମୁଖରେ ଚିତା କୁଟାଇଥା’ନ୍ତି । କୁଟିଆ କନ୍ଧ ଜନଜାତିମାନେ ସଂଗୀତପ୍ରେମୀ ଅଟନ୍ତି ।