Home General ଭର୍ଚୁଆଲ୍‌ ଟୁରରେ କୁଟିଆ କନ୍ଧଙ୍କ ପାରମ୍ପରିକ ଔଷଧ

ଭର୍ଚୁଆଲ୍‌ ଟୁରରେ କୁଟିଆ କନ୍ଧଙ୍କ ପାରମ୍ପରିକ ଔଷଧ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ସେପେଫମ୍ବର ୨୬ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କୁଟିଆ କନ୍ଧ ଜନଜାତିଙ୍କ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପାରମ୍ପରିକ ଔଷଧ ବ୍ୟବହାର ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମୁଖ୍ୟତଃ କୁଟିଆ କନ୍ଧ ଜନଜାତି ବସବାସ କରିଥାନ୍ତି । ଝାଡ଼ୁ ତିଆରି, ମ୍ୟାଟ୍‌ ପ୍ରସ୍ତୁତି ଆଦି ସେମାନଙ୍କର ମୁଖ୍ୟ ପେଶା । ଏହି ଜନଜାତି ମୁଖ୍ୟତଃ ପରିବେଶ ଓ ଅତି ପ୍ରାକୃତିକ ଶକ୍ତି ସହିତ ସଂପୃକ୍ତ । ଶରୀରର ରୋଗ ଉଭୟ ଶରୀର ଓ ଆତ୍ମାକୁ ପ୍ରଭାବିତ କରିଥାଏ ବୋଲି ସେମାନଙ୍କ ଧାରଣା । ଅଲୌକିକ ଶକ୍ତି ଓ ପରିବେଶ କାରଣରୁ ଶରୀରରେ ବାଧା ସୃଷ୍ଟି ହୁଏ ଓ ମନୁଷ୍ୟ ଅସୁସ୍ଥ ହୋଇଥାଏ ।

ରୋଗ ଉପଶମ କରିବା ପାଇଁ କୁଟିଆ କନ୍ଧ ଜନଜାତି ଦୈବୀଶକ୍ତିର ନିର୍ଦ୍ଦେଶରେ ବୈଦ୍ୟ ଉଦ୍ଭିଦ, ପ୍ରାଣୀ ଓ ଖଣିଜ ସଂପଦରୁ ମିଳୁଥିବା ଔଷଧ ଦେଇଥା’ନ୍ତି । କୁଟିଆ କନ୍ଧ ଜନଜାତିଙ୍କର ବୈଦ୍ୟ କିପରି ଔଷଧ ସଂଗ୍ରହ, ପ୍ରକ୍ରିୟାକରଣ ଓ ପାରମ୍ପରିକ ଔଷଧ ଦେବା ପାଇଁ ପରାମର୍ଶ ଦେଇଥା’ନ୍ତି, ତାହା ଏହି ଚଳଚ୍ଚିତ୍ରରେ ଦର୍ଶକ ଜାଣିପାରିବେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କୁଟିଆ କନ୍ଧ ଜନଜାତି ଶାରୀରିକ ଅସୁସ୍ଥତାର ମୁଖ୍ୟ କାରଣ ଓ ରୋଗ ଉପଶମ ନିମନ୍ତେ ପ୍ରାକୃତିକ ଉପଚାର ଉପରେ ଗୁରୁତ୍ୱ ପ୍ରଦାନ କରିଥା’ନ୍ତି ।