Home Health ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ତତ୍ପରତା

ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ତତ୍ପରତା

ଭୁବନେଶ୍ୱର : ରାଜ୍ୟରେ ବ୍ଲାକ ପଙ୍ଗସ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଥିବାବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ତତ୍ପରତା ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସୁସ୍ଥହୋଇ ଫେରିଲେଣି ।

ଚଳିତବର୍ଷ ମଇ ୧୦ତାରିଖରେ ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଏହାର ଚିକିତ୍ସାପାଇଁ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ କରୋନା ଆକ୍ରାନ୍ତ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ୪ଟି ଶଯ୍ୟା ସଂରକ୍ଷିତ ରଖାଯାଇଥିବାବେଳେ ଅନୁରୂପ ସଂଖ୍ୟକ ଶଯ୍ୟା ମଧ୍ୟ ସାଧାରଣ ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ପାଇଁ ରହିଛି ।

ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ସରକାରୀ ମେଡିକାଲ କଲେଜରେ ଅତି କମ୍‍ରେ ୩୦ଟି କରି ଶଯ୍ୟା ରଖାଯାଇଛି । ଏଥିପାଇଁ ଆବଶ୍ୟକ ଚିକିତ୍ସକ, ପାରାମେଡିକ ଏବଂ ନର୍ସମାନଙ୍କୁ ୱେବିନାର ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି । ଏଥିରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଉପଲବ୍ଧ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଜି ସୁଦ୍ଧା ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଆମ୍ଫୋଟେରିସିନି ବି ଇଞ୍ଜେକସନର ୩୨୪ ଭାଏଲ ଏବଂ ପୋସାକୋନାଜଲ ର ୫୦୦ ଭାଏଲସ ମହଜୁଦ ରହିଛି ।

ତେବେ ଆବଶ୍ୟକ ଅନୁଯାୟୀ ଆମ୍ଫୋଟେରିସିନି ବି ଇଞ୍ଜେକସନ ମିଳୁନଥିବା ଏବେ ଚିନ୍ତାର କାରଣ ହୋଇଛି । ହେଲେ ଏହା ଉପଲବ୍ଧ ନହେଲେ ବଦଳରେ ପୋସାକୋନାଜୋଲ ଦେବାପାଇଁ ଜାତୀୟ ଟାସ୍କ ଫୋର୍ସ ଅନୁମତି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ଲାକ ଫଙ୍ଗସ ସଂକ୍ରମିତ ରୋଗୀ ୬ରୁ ୮ ସପ୍ତାହ ମଧ୍ୟରେ ୫୦ମିଲିଗ୍ରାମର ୨୧୦ ଭାଏଲ ଆମ୍ଫୋଟେରିସିନ ଆବଶ୍ୟକ କରୁଛନ୍ତି । ରାଜ୍ୟ ସରକାର ଇତି ମଧ୍ୟରେ ବ୍ଲାକ ଫଙ୍ଗସ ସଂକ୍ରମଣକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ।

ଏହାବାଦ୍‍ ରାଜ୍ୟସରକାର ୭ଜଣିଆ ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ଟିମ୍‍ ଗଠନ ସହିତ କୋଭିଡ ରୋଗୀଙ୍କ ଠାରେ ବ୍ଲାକ ଫଙ୍ଗସ ସଂକ୍ରମଣକୁ ଅନୁଧ୍ୟାନ କରୁଛନ୍ତି । କଟକ ଏସ୍‍ସିବି ମେଡିକାଲ କଲେଜର ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ନିରୂପମା ଚଇନି ଏହି ଟିମ୍‍ର ମୁଖ୍ୟ ଅଛନ୍ତି । ଏଥି ସହିତ ଏସ୍‍ସିବି ମେଡିକାଲ କଲେଜର ଭେଷଜ, ଇଏନ୍‍ଟି ଓ ଅନ୍ୟ ବିଭାଗର ବରିଷ୍ଠ ଚିକିତ୍ସକମାନେ ଏହି ପ୍ୟାନେଲରେ ରହିଛନ୍ତି । ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନିରଞ୍ଜନ ମିଶ୍ର କମିଟିର ସଂଯୋଜକ ରହିଛନ୍ତି । (ତଥ୍ୟ)