Home Education ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଅଳ୍ପଦିନ ତଳେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶିଯିବ । ସେପ୍ଟେମ୍ବର ୩୦ ତାରିଖ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର ୩୦ରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବିଲୀନ ହୋଇଯିବ । ଏହାର ସମସ୍ତ କର୍ମଚାରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରିବେ । ଅକ୍ଟୋବର ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ନିୟମିତ କର୍ମଚାରୀଙ୍କ ଭଳି ପୂର୍ଣ୍ଣ ଦରମା ପାଇବେ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ ଆସବାବପତ୍ର ଓ ସମ୍ପତ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଯିବ ।

ସେହିପରି କୋନିସି ତହସିଲ୍ ଅଧିନରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ଦିଆଯାଇଥିବା ଜାଗାକୁ ଗଞ୍ଜାମ ଜିଲ୍ଲା ରାଜସ୍ୱ ବିଭାଗକୁ ହସ୍ତାନ୍ତର କରାଯିବ । ସେପ୍ଟେମ୍ବର ୩୦ ସୁଦ୍ଧା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମସ୍ତ ୟୁଜି ଓ ପିଜି ପରୀକ୍ଷା ସାରିବା ସହିତ ଫଳ ପ୍ରକାଶ ପାଇଁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ୩୦ତାରିଖ ପରେ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଯିବ ।

ଗବେଷଣାରତ ଛାତ୍ରଛାତ୍ରୀଙ୍କ ତଥ୍ୟ ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଯିବ । ଅକ୍ଟୋବର ୧ରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଗବେଷଣା ଜାରି ରଖିବେ । ସେପ୍ଟେମ୍ବର ୩୦ ପରଠାରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପ୍ରଦାନ କରିବ ।

ସେହିପରି ଚଳିତ ଶିକ୍ଷାବର୍ଷରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳସଚିବ ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଆବଶ୍ୟକୀୟ କାଗଜପତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି ।

ସୂଚନାଯୋଗ୍ୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ୨୦୧୫ ମସିହାରେ ମାନ୍ୟତା ପାଇଥିଲା । ନିକଟରେ ଉଚ୍ଚଶିକ୍ଷା ବିଭାଗ ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୩୦ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶ୍ରଣ ହେବ । ଅକ୍ଟୋବର ୧ରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ତଥା ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପାଠ ପଢ଼ିବେ ।