Home Covid ବୋଲବମକୁ କରୋନା ଭୟ

ବୋଲବମକୁ କରୋନା ଭୟ

ଭୁବନେଶ୍ୱର : ରଥଯାତ୍ରା ପରେ ଓଡ଼ିଶାରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶ୍ରାବଣ ମାସରେ ବୋଲବମ୍‍ ଯାତ୍ରା ଯୋଗୁଁ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଏବେଠାରୁ ପ୍ରତିକାରାତ୍ମକ ବ୍ୟବସ୍ଥାକୁ କଡାକଡି କରାନଗଲେ ଆଗାମୀ ଦିନରେ ସ୍ଥିତି ବିଗିଡିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଆଦି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହି ରାଜ୍ୟଗୁଡିକ ସହ ଓଡ଼ିଶାକୁ ଆକାଶ, ସଡକ ଓ ରେଳପଥରେ ବହୁ ଲୋକ ଯିବା ଆସିବା କରୁଥିବା ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ଅଧିକ ହେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । ତେଣୁ ଏବେଠାରୁ ପୂର୍ବଭଳି ‘ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟ‘ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ ।

ଜୁଲାଇ ୯ ତାରିଖରେ ରାଜ୍ୟରେ ୫୧୨ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ଜୁଲାଇ ୧୩ରେ ଚିହ୍ନିତ ସଂକ୍ରମିତଙ୍କ ସଂଖ୍ୟା ୭୪୩ରେ ପହଞ୍ôଚଛି । ଏଥିରୁ ୩୦୩ ଜଣ ଖୋର୍ଦ୍ଧା ଜିଲ୍ଲାର ଥିବାବେଳେ ୧୧୫ଜଣ ହେଉଛନ୍ତି କଟକ ଜିଲ୍ଲାର । ପୁରୀ ଓ ସୁନ୍ଦରଗଡରେ ମଧ୍ୟ ନୂଆ କରୋନା ସଂକ୍ରମିତ ଚିହ୍ନିତ ହେଉଛନ୍ତି । ତେବେ ଟ୍ରେସିଂ ଓ ଟେଷ୍ଟିଂ ବ୍ୟବସ୍ଥାକୁ ବ୍ୟାପକ କରାଗଲେ ଏହି ସଂଖ୍ୟା ଅଧିକ ହୋଇପାରେ ।

ସରକାରୀ ରିପୋର୍ଟ ମୁତାବକ ଏବେ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଥିବାବେଳେ ଡାକ୍ତରଖାନାରେ କିନ୍ତୁ ମାତ୍ର ୩୬ଜଣ କରୋନା ରୋଗୀ ରହିଛନ୍ତି । ଯେଉଁମାନଙ୍କ ଭିତରୁ ମୋଟେ ୫ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଚତୁର୍ଥ ଲହର ଆରମ୍ଭ ହେବା ପରେ ଇତିମଧ୍ୟରେ କରୋନା ଓଡ଼ିଶାରେ ଗୋଟିଏ ମୁଣ୍ଡ ନେଇଥିବାରୁ ଅତୀତର ତିକ୍ତ ଅଭିଜ୍ଞତା ଦୃଷ୍ଟିରୁ କିଭଳି ଅଧିକ ଏଥିରେ ସଂକ୍ରମିତ ନ ହେବେ ଏବଂ ମୃତ୍ୟୁ ସଂଖ୍ୟା କମାଇ ହେବ ତାହା ଏବେ ଚିନ୍ତାର କାରଣ ।

କରୋନା ସଂକ୍ରମଣକୁ ଆଖିଆଗରେ ରଖି ଭୁବନେଶ୍ୱର ଓ କଟକ ମହାନଗର ନିଗମ ପକ୍ଷରୁ ମାସ୍କ ପରିଧାନ, ଭିଡ ଏଡାଇବା, ପରସ୍ପର ମଧ୍ୟରେ ଦୂରତା ରଖିବା, ରାସ୍ତାରେ ଛେପ ନ ପକାଇବା ଆଦି କେତେକ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାର କଡା ଅନୁପାଳନ ହେଉନଥିବାରୁ ହାଟ ବଜାରରେ ଗହଳି ସହିତ ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯାତାୟାତ କରୁଛନ୍ତି । ଏମିତିକି ସରକାରୀ ସିଟି ବସ୍‍ରେ ବିନା ମାସ୍କରେ ଅସମ୍ଭବ ଧରଣର ଭିଡରେ ଲୋକେ ଯାଉଛନ୍ତି । ମାସ୍କ ପରିଧାନ ନ କଲେ ୫ ଶହ ଟଙ୍କା ଜରିମାନା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ । ଡାକ୍ତରଖାନାଗୁଡିକରେ ବି ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯିବାଆସିବା କରୁଛନ୍ତି । କୋର୍ଟ କଚେରୀରେ ବି ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି ।

ଅଗଷ୍ଟ ଶେଷ ପର୍ଯ୍ୟନ୍ତ କରୋନା ଚତୁର୍ଥ ଲହର ରହିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେଣୁ ଆଗାମୀ ଦେଢ଼ ମାସ ଓଡ଼ିଶା ତଥା ଭାରତ ପାଇଁ କରୋନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲା ରହିଥିବା ବେଳେ ସେଠାରେ କରୋନା କଟକଣାର ଖୋଲା ଉଲ୍ଲଂଘନ ହେଉଥିବା ଦୃଷ୍ଟିରୁ ପୁଣି କରୋନା କାୟା ବିସ୍ତାର କରିପାରେ । ଅତୀତରେ ଯେଉଁମାନେ କରୋନାରୁ ମୁକ୍ତ ହୋଇଛନ୍ତି ସେମାନଙ୍କୁ ବି ପୁନର୍ବାର କରୋନା ହେବା ଆଶଙ୍କା ରହିଛି ।

କେବଳ ସେତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ଭବିଷ୍ୟତରେ ସେମାନେ କୋଷ୍ଟ କୋଭିଡରେ କଲବଲ ହେବା ଆଶଙ୍କା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି ଏବଂ ଏହାକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । (ତଥ୍ୟ)