Home Education ବୈଷୟିକ ଶିକ୍ଷାରେ ପଦବୀ ଖାଲି

ବୈଷୟିକ ଶିକ୍ଷାରେ ପଦବୀ ଖାଲି

ଭୁବନେଶ୍ୱର : ବୈଷୟିକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇଗୁଡ଼ିକରେ ଶହଶହ ପଦବୀ ଖାଲି ଏବେ ଏହି ଶିକ୍ଷା କ୍ଷେତ୍ରରେ ବାଧକ ସୃଷ୍ଟି କରିଛି । କେବଳ ପଦବୀ ଖାଲି ରହୁନାହିଁ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ଶିକ୍ଷାନୁଷ୍ଠାନଗୁଡ଼ିକରୁ ଦୁଇଶହରୁ ଅଧିକ ପଦବୀ ଉଚ୍ଛେଦ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟର ସରକାରୀ ପଲିଟେକ୍‍ନିକ୍‍ରେ ମାତ୍ର ଜଣେ ଅଧ୍ୟକ୍ଷ ଅଛନ୍ତି । ୩୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୩୨ଟି ଖାଲିପଡ଼ିଛି । ସରକାରୀ ଆଇଟିଆଇ ପାଇଁ ୫୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ଏଥିରୁ ୧୦ଟି ଖାଲି । ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ୧୮୧ଟି ବରିଷ୍ଠ ଅଧ୍ୟାପକ ପଦବୀ ମଧ୍ୟରୁ ୧୦୭ଟି ଖାଲିପଡ଼ିଛି । ସେହିଭଳି ୪ଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀ ମଧ୍ୟରୁ ୩ଟି ଖାଲି ପଡ଼ିଥିବା ବେଳେ ୧୧୨ ଟ୍ରେନିଂ ଅଫିସର ପଦବୀ ମଧ୍ୟରୁ ୪୭ଟି ଖାଲିପଡ଼ିଛି ।

ବୈଷୟିକ ଶିକ୍ଷାଦାନ ପାଇଁ ପରୀକ୍ଷାଗାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ବି ବହୁ ପଦବୀ ଖାଲି । ୨୩୭ଟି ପରୀକ୍ଷାଗାର ସହାୟକ ପଦବୀ ମଧ୍ୟରୁ ୮୩ଟି ଖାଲିପଡ଼ିଛି । ଟ୍ରେନିଂ ଅଫିସର ପାଇଁ ଥିବା ୧୧୨ ପଦବୀ ମଧ୍ୟରୁ ୪୭ଟି ଖାଲି ପଡ଼ିଥିବା ବେଳେ ଟ୍ରେନିଂ ସୁପରିଣ୍ଟେଣ୍ଡେଣ୍ଟ ପାଇଁ ମଞ୍ଜୁରୀପ୍ରାପ୍ତ ୨୬ଟି ପଦବୀ ମଧ୍ୟରୁ ୨୨ଟି ଖାଲି । ସେହିଭଳି ୱାର୍କସପ୍‍ ସୁପରିଣ୍ଟେଣ୍ଡେଣ୍ଟ ପାଇଁ ୧୮ଟି ପଦବୀ ଥିବା ବେଳେ ଏଥିରୁ ୧୫ଟି ଖାଲିପଡ଼ିଛି ।

କେବଳ ପାଠ ପଢ଼ାଇବା କିମ୍ବା ତାଲିମ ପାଇଁ ଥିବା ଅଧିକାରୀ ନୁହଁନ୍ତି ଅଣଶିକ୍ଷକ ପଦବୀରେ ମଧ୍ୟ ଶତାଧିକ ପଦବୀ ଖାଲିପଡ଼ିଛି । ୧୩୦ଟି ମଞ୍ଜୁରୀପ୍ରାପ୍ତ ବରିଷ୍ଠ ସହାୟକ ପଦବୀ ମଧ୍ୟରୁ ୧୧୮ଟି ଖାଲିପଡ଼ିଛି । ସେହିଭଳି ୭୯ କନିଷ୍ଠ ସହାୟକ ପଦବୀ ମଧ୍ୟରୁ ୧୯ଟି ଖାଲି । ଏହିସବୁ ସରକାରୀ ଶିକ୍ଷାନୁଷ୍ଠାନ ପାଇଁ ୧୦ଟି ଡ୍ରାଇଭର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୨ ଜଣ । ପିଅନ, ଝାଡୁଦାର, ୱାଚମ୍ୟାନ୍‍, ସଫେଇ କର୍ମଚାରୀ, ମାଳି, ରାତ୍ର ଜଗୁଆଳି, ଷ୍ଟୋର୍‍ ଆଟେଣ୍ଡାଣ୍ଟ ଆଦି ପାଇଁ ଥିବା ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲିପଡ଼ିଛି ।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅନୁରୂପ ଅବସ୍ଥା । ଏଠାର ଗ୍ରୁପ୍‍ ଏ’ରେ ୧୪ଟି ପଦବୀ ମଧ୍ୟରୁ ୪ଟି ଖାଲି ପଡ଼ିଥିବା ବେଳେ ଗ୍ରୁପ୍‍ ବି’, ସି’ ଓ ଡି’ରେ ୫୮ଟି ପଦବୀ ମଧ୍ୟରୁ ୨୪ଟି ଖାଲିପଡ଼ିଛି । ବିପିୟୁଟି ସହିତ ସିଇଟି ଭୁବନେଶ୍ୱର, ପିଏମ୍‍ଇସି ବ୍ରହ୍ମପୁର, ଜିସିଇ କେନ୍ଦୁଝର, ଜିସିଇ କଳାହାଣ୍ଡି, ଆଇଏମ୍‍ଆଇଟି କଟକ, ଭିସୁଟ ବୁର୍ଲା ଏବଂ ଆଇଜିଆଇଟି ସରାଙ୍ଗରେ ବି ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀରେ ଅଧାରୁ ଅଧିକ ପଦବୀ ଖାଲିପଡ଼ିଛି ।

ଏହାଫଳରେ ଏହିସବୁ ସରକାରୀ ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷା ଦେବା ପାଇଁ ନିୟମିତ ଅଧ୍ୟାପକ ନ ଥିବାରୁ ଠିକା ଅଧ୍ୟାପକଙ୍କ ଦ୍ୱାରା କାମ ଚଳାଯାଉଛି । ଏହାଦ୍ୱାରା ଶିକ୍ଷାର ମାନ ହ୍ରାସ ପାଉଥିବା ନେଇ ଶିକ୍ଷାବିତ୍‍ମାନେ ବାରମ୍ବାର ଅଭିଯୋଗ କରୁଥିବା ବେଳେ କମ୍‍ ଖର୍ଚ୍ଚ ଯୋଗୁ ଛାତ୍ରଛାତ୍ରୀମାନେ ଏହିସବୁ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)