Home News in Odia ବୈଷୟିକ ପାଠ୍ୟକ୍ରମରେ ନିଯୁକ୍ତି ନଗଣ୍ୟ

ବୈଷୟିକ ପାଠ୍ୟକ୍ରମରେ ନିଯୁକ୍ତି ନଗଣ୍ୟ

ଭୁବନେଶ୍ୱର : ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇଞ୍ଜିନିୟରିଂ ଓ ଡିପ୍ଲୋମା ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅତି ନଗଣ୍ୟ ପରିମାଣର ନିଯୁକ୍ତି ପାଉଥିବାରୁ ଧୀରେ ଧୀରେ ବୈଷୟିକ ଶିକ୍ଷା ପ୍ରତି ମୋହ କମିବାରେ ଲାଗିଛି । ବୈଷୟିକ ଶିକ୍ଷା ବଦଳରେ ସେମାନେ ସୂଚନା ପ୍ରଯୁକ୍ତି ଓ ଅନ୍ୟାନ୍ୟ ରୋଜଗାର ଭିତ୍ତିକ ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ ୨୦୨୦-୨୧ ବର୍ଷରେ ୫୧ହଜାରରୁ ଅଧିକ ପିଲା ଆଇଟିଆଇରେ ନାମ ଲେଖାଇଥିବା ବେଳେ ପଲିଟେକ୍‍ନିକ୍‍ରେ ୩୨ହଜାରରୁ ଅଧିକ ଓ ବିଟେକ୍‍ରେ ୧୧ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେହିଭଳି ୨୦୧୯-୨୦ରେ ଏମାନଙ୍କ ସଂଖ୍ୟା ଯଥାକ୍ରମେ ୫୧ହଜାର, ୩୫ହଜାର ଓ ୧୨ହଜାରରୁ ଅଧିକ ରହିଥିଲା ।

ଅଧିକାଂଶ ଛାତ୍ରଛାତ୍ରୀ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଉଥିବାରୁ ପାଠପଢ଼ା ବାବଦରେ ବିପୁଳ ଖର୍ଚ୍ଚ କରିଥାନ୍ତି । ଏଥିମଧ୍ୟରେ କଲେଜ୍‍ ଫି, ହଷ୍ଟେଲ ଓ ବହିପତ୍ର ଆଦିର ମୋଟା ଅଙ୍କର ଖର୍ଚ୍ଚ ରହିଛି । ପ୍ରାୟ ସବୁ ଛାତ୍ରଛାତ୍ରୀଙ୍କର ଗୋଟିଏ ଲକ୍ଷ୍ୟ ଥାଏ ଯେ ପାଠପଢ଼ା ମଝିରେ ହେଉ କିମ୍ବା ସରିବା ସମୟରେ ତତ୍କାଳ କୌଣସି ସଂସ୍ଥାରେ ମୋଟା ଅଙ୍କର ଦରମା ପାଇବା । ଏଥିପାଇଁ ସେମାନେ ଶିକ୍ଷାନୁଷ୍ଠାନରେ ଆୟୋଜିତ ପ୍ଲେସ୍‍ମେଣ୍ଟକୁ ଚାତକ ଭଳି ଚାହିଁ ରହିଥାନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ପ୍ଲେସ୍‍ମେଣ୍ଟରୁ ଜଣାଯାଇଛି ଯେ ଡିପ୍ଲୋମା ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୦୧୮-୧୯ ମସିହାରେ ୮୨୩ ଜଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୨୦୧୯-୨୦ ମସିହାରେ ଏହି ସଂଖ୍ୟା ୫୦୭ ଓ ୨୦୨୦-୨୧ ମସିହାରେ ଏହା ୩୫୦ ମଧ୍ୟରେ ରହିଥିଲା । ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୩୨୩୯ ଜଣ ଡିପ୍ଲୋମା ଛାତ୍ରଛାତ୍ରୀ ପ୍ଲେସ୍‍ମେଣ୍ଟ ଜରିଆରେ ନିଯୁକ୍ତି ପାଇଛନ୍ତି ।

ସେହିଭଳି ଏହି ସମୟ ମଧ୍ୟରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୮ହଜାର ଜଣ ନିଯୁକ୍ତି ପାଇଛନ୍ତି । ତେବେ ବର୍ଷକୁ ବର୍ଷ ଏମାନଙ୍କ ନିଯୁକ୍ତି ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି । ୨୦୧୮-୧୯ ମସିହାରେ ୨୩୭୧ ଜଣ ଆଇଟିଆଇ ଛାତ୍ରଛାତ୍ରୀ ପ୍ଲେସ୍‍ମେଣ୍ଟ ଜରିଆରେ ନିଯୁକ୍ତି ପାଇଥିବା ବେଳେ ୨୦୧୯-୨୦ରେ ଏହି ସଂଖ୍ୟା ୧୪୨୮ ଓ ଗତ ଆର୍ଥିକ ବର୍ଷରେ ଏହା ୧୨୦୦ ମଧ୍ୟରେ ସୀମିତ ରହିଥିଲା ।

ତେବେ ବିଭିନ୍ନ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀଙ୍କର ଅହେତୁକ ଦୁର୍ବଳତା ଥିବାବେଳେ ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବି ସେଭଳି ଆଖିଦୃଶିଆ ନିଯୁକ୍ତି ପାଇପାରୁନାହାନ୍ତି । କଳାହାଣ୍ଡି ଓ କେନ୍ଦୁଝରଠାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ପ୍ଲେସ୍‍ମେଣ୍ଟ ନିଯୁକ୍ତି ସଂଖ୍ୟା ପ୍ରତିବର୍ଷ ଦୁଇଅଙ୍କରେ ସୀମିତ ରହିଥିବା ବେଳେ ଭୁବନେଶ୍ୱରରେ ଥିବା ସିଆଇଏମ୍‍ଇର ଛାତ୍ରଛାତ୍ରୀଙ୍କ ପ୍ଲେସ୍‍ମେଣ୍ଟ ନିଯୁକ୍ତି ବି ଦୁଇଅଙ୍କରେ ରହିଛି । ଏପରିକି ୨୦୨୦ ବର୍ଷରେ ଏଠାରେ ମାତ୍ର ୧୫ ଜଣ ନିଯୁକ୍ତି ପାଇଛନ୍ତି । କେବଳ ଭୁବନେଶ୍ୱରର ସିଇଟିରେ ପ୍ଲେସ୍‍ମେଣ୍ଟ ନିଯୁକ୍ତି ଅନ୍ୟ ସରକାରୀ ଇଞ୍ଜିନିୟରିଂ କଲେଜ ଅପେକ୍ଷା ଅଧିକ ରହିଥିବା ଜଣାଯାଇଛି । (ତଥ୍ୟ)